ରାୟଗଡ଼ା: ରାଜ୍ୟ ପରେ ରାଜ୍ୟ। ଜିଲ୍ଲା ପରେ ଜିଲ୍ଲା। ମାଇଲ୍ ମାଇଲ୍ ବାଟ ଚାଲିବା ପରେ ବି ଆସୁନି ଗାଁ। କେତେ ଆଉ ଚାଲିବୁ। ବିଶାଖାପାଟଣାରୁ ରାୟଗଡ଼ା ଆସିଲୁ। ଗାଁରେ (ଝାଡ଼ଖଣ୍ଡ) ପହଞ୍ଚିବାକୁ ଆହୁରି ୭ ଶହ କିମି ବାକି ଅଛି। ଚାଲି ଚାଲି ଥକିବା ପରେ ମାଲବାହୀ ଟ୍ରେନରେ ଚଢ଼ୁଥିଲୁ…। ଥେରୁବାଲି ଷ୍ଟେସନରୁ ଉଦ୍ଧାର ହୋଇଥିବା ୧୩ ଶ୍ରମିକ ପ୍ରଶାସନ ଆଗରେ ଏପରି ନିଜର ଦୁଃଖ ବଖାଣିଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ୧୪ ଦିନ ଲାଗି କ୍ବାରାଣ୍ଟାଇନରେ ରଖାଯାଇଛି। ଥେରୁବାଲି ପଞ୍ଚାୟତ ହାଇସ୍କୁଲରେ ଶ୍ରମିକଙ୍କୁ ରଖାଯାଇଥିବା ପୁଲିସ୍ ସୂଚନା ଦେଇଛି।
ଗତ ୨ ମାସ ତଳେ ଝାଡ଼ଖଣ୍ଡର ୧୩ ଶ୍ରମିକ ଦାଦନ ଖଟିବାକୁ ବିଶାଖାପାଟଣା ଯାଇଥିଲେ। ବିଶାଖାପାଟଣା ସହରରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟରେ ଶ୍ରମିକମାନେ ନିୟୋଜିତ ହୋଇଥିଲେ। ଲକଡାଉନ୍ ପରେ କାମ ବନ୍ଦ ହୋଇଯିବାରୁ ସୁପର ଭାଇଜର ଘରକୁ ଚାଲି ଯିବାକୁ କହିଥିଲେ। ଶ୍ରମ ବାବଦ ମଜୁରି ମିଳିନଥିବାରୁ ଶ୍ରମିକମାନେ ବାରମ୍ବାର ସୁପରଭାଇଜରକୁ ଫୋନ୍ କରିଥିଲେ। ସୁପରଭାଇଜର ଧରାଛୁଆଁ ନ ଦେବା ପରେ ନିରୁପାୟ ହୋଇ ପଡ଼ି ରହିଥିଲେ।
ଗାଡ଼ି, ଟ୍ରେନ୍ ଚଳାଚଳ ବନ୍ଦ ଯୋଗୁ ଘରକୁ ଫେରିବା ଆଶା ମଧ୍ୟ ମଉଳି ଯାଇଥିଲା ଶ୍ରମିକମାନଙ୍କର। ଆଖପାଖ ଲୋକଙ୍କୁ ମାଗିଯାଚି ଖାଇ ବହୁ କଷ୍ଟରେ ଦିନ ବିତାଉ ଥିବା ଶ୍ରମିକମାନେ ଗତ ୪ ଦିନ ତଳେ ଚାଲି ଚାଲି ଘରକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। କାନ୍ଧରେ ବ୍ୟାଗ ଧରି ବିଶାଖାପାଟଣା ଷ୍ଟେସନରୁ ୧୩ ଶ୍ରମିକ ଝାଡ଼ଖଣ୍ଡ ଅଭିମୁଖେ ଚାଲିବା ଆରମ୍ଭ କରିଥିଲେ। ୪ ଦିନରେ ୨ ଶହ କିମି ରେଳ ଧାରଣାରେ ଚାଲିବା ପରେ ଶ୍ରମିକମାନେ ଥେରୁବାଲି ଷ୍ଟେସନରେ ପହଞ୍ଚିଥିଲେ।
ଥେରୁବାଲି ଷ୍ଟେସନରେ ଥକା ମେଣ୍ଟାଇବା ପରେ ଏକ ମାଲବାହୀ ଟ୍ରେନ୍ ଭବାନୀପାଟଣା ରୁଟରେ ଯାତ୍ରା ଆରମ୍ଭ କରୁଥିବା ଦେଖି ଶ୍ରମିକମାନେ ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରୁଥିଲେ। ସ୍ଥାନୀୟ ଲୋକ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପରେ ଷ୍ଟେସନ ମାଷ୍ଟର ଥେରୁବାଲି ଫାଣ୍ଡିକୁ ସୂଚନା ଦେଇଥିଲେ। ଫାଣ୍ଡି ଅଧିକାରୀ କୁନି ଶବର ଷ୍ଟେସନରେ ପହଞ୍ଚି ଶ୍ରମିକଙ୍କୁ ପଚରା ଉଚରା କରିବା ପରେ ଚାନ୍ଦିଲି ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଅଜିତ୍ କୁମାର ସ୍ବାଇଁ ଥେରୁବାଲିରେ ପହଞ୍ଚିବା ପରେ ପ୍ରଶାସନ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ କ୍ବାରାଣ୍ଟାଇନ କେନ୍ଦ୍ରକୁ ଅଣାଯାଇଥିଲା। ରାପିଡ୍ ରେସପନସ୍ ଟିମ୍ କେନ୍ଦ୍ରରେ ପହଞ୍ଚି ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି।