ଗୁମୁଡ଼ା/ପଦ୍ମପୁର: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଗୁମୁଡ଼ାରେ ଚଢ଼ଉ କରି ବ୍ୟାପକ ପରିମାଣର ବିଦେଶୀ ମଦ ଜବତ କରିଛି। ଏକ ପରିତ୍ୟକ୍ତ ଘରୁ ୧୩୦ ପେଟି ମଦ ଜବତ ପରେ ଏତେ ପରିମାଣର ମଦ କିଏ ଓ କାହିଁକି ଲୁଚାଇ ରଖିଥିଲା ତାକୁ ନେଇ ଖୋଳତାଡ଼ ଜାରି ରଖିଛି ଅବକାରୀ ଗୁଇନ୍ଦା ବିଭାଗ। ଗୁଇନ୍ଦା ବିଭାଗର ଅଚାନକ ଚଢ଼ଉ ପରେ ଜିଲ୍ଲାରେ ଥିବା ଚୋରା ମଦ ବେପାରୀ ଛାନିଆ ହୋଇ ପଡିଛନ୍ତି।
ଗୁମୁଡ଼ାର ଏକ ପରିତ୍ୟକ୍ତ ଘରେ ମଦ ମହଜୁଦ୍ ରଖି ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଅବକାରୀ ଗୁଇନ୍ଦା ବିଭାଗ। ଆଜି ସକାଳେ ଅବକାରୀ ଗୁଇନ୍ଦା ବିଭାଗର ଏସଆଇ ବିଶ୍ବଜିତ୍ ଦାଶଙ୍କ ନେତୃତ୍ବରେ ୧୫ ଜଣିଆ ଟିମ୍ ଗୁମୁଡ଼ାରେ ପହଞ୍ଚିବା ଅନ୍ତରଝୋଲି ଗାଁ ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ ଘର ଉପରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଘର ଭିତରେ ଥାକ ଥାକ ହୋଇ ଶତାଧିକ ବିଦେଶୀ ମଦ ପେଟି ଥିବା ଗୁଇନ୍ଦା ଅଧିକାରୀ ଦେଖିବା ପରେ ସବୁ ପେଟିକୁ ବାହାରକୁ ଅଣାଯାଇଥିଲା।
ଚଢ଼ଉ ସରିବା ପରେ ୧୩୦ ପେଟି ମଦ ଜବତ କରିଥିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ। ଜବତ ହୋଇଥିବା ମଦ ରାୟଗଡ଼ା ବ୍ଲକର କୁମୁଟିପେଣ୍ଠସ୍ଥିତ ଫାୟାର ୱାଟର୍ ଡିଷ୍ଟିଲେରୀ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ପ୍ରସ୍ତୁତ ଓ ପ୍ୟାକିଂ ହୋଇଥିବା ପ୍ୟାକେଟରେ ଉଲ୍ଲେଖ ରହିଛି। ମଦର ମାନ ଓ ପ୍ୟାକିଂ ହୋଇଥିବା ସିଲ୍ ଅସଲି ନା ନକଲି ତାକୁ ନେଇ ତଦନ୍ତ ଆରମ୍ଭ କରିଛି ବିଭାଗ। ଏପରିକି ଜବତ ମଦର କେମିକାଲ୍ ଟେଷ୍ଟିଂ ପାଇଁ ଭୁବନେଶ୍ବର ଲ୍ୟାବକୁ ପଠାଯିବ ବୋଲି ସୂଚନା ମିଳିଛି। ରାୟଗଡ଼ାରେ ପ୍ରସ୍ତୁତ ହେଉଥିବା
ଏହି ବିଦେଶୀ ମଦ ରାୟଗଡ଼ା ଡିପୋ ଦ୍ବାରା ଭେଣ୍ଡର ମାଧ୍ୟମରେ ଅଫ୍ ସପ୍ ଓ ଅନ୍ ସପକୁ ଯିବା ପରେ ବିକ୍ରି ହେବା କଥା। କିନ୍ତୁ ତାହା ନ ହୋଇ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ଘରେ ରଖାଯିବାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚୋରା ମଦ କାରବାର ନା ଅନ୍ୟ କୌଣସି କାରଣ ପାଇଁ ଏହି ମଦ ଲୁଚାଇ ରଖାଯାଇଥିଲା ତାକୁ ନେଇ ବିଭାଗ ତଦନ୍ତ ଜାରି ରଖିଛି। ଚଢ଼ଉରେ ଅବକାରୀ ଗୁଇନ୍ଦା ବିଭାଗର ଏସଆଇ ଶ୍ରୀ ଦାଶଙ୍କ ସମେତ ଏସଆଇ ସୁଦର୍ଶନ ବିଷୋୟୀ, ଏଏସଆଇ ଜନାର୍ଦନ ମିଶ୍ର, ଏଏସଆଇ ଅନ୍ତର୍ଯ୍ୟାମୀ ସାହୁ, ସୁଦର୍ଶନ ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/RGD_Mada-Chadhau.jpg)