କରୋନା ଦ୍ୱିତୀୟ ଲହର: ୪୦ ଦିନରେ ବିଦେଶରୁ ଫେରିଲେ ୧୩୦୦ ପ୍ରବାସୀ

ଖୋର୍ଦ୍ଧା: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କହର ଦେଖାଉଛି । ଭୟ ଓ ଆଶଙ୍କାରେ ରାଜ୍ୟ ଓ ଦେଶ ବାହାରେ କାମ କରୁଥିବା ଓଡ଼ିଆ ଏବେ ଗ୍ରାମାଂଚଳକୁ ଫେରିଆସିଛନ୍ତି । ସରକାରୀ ସୂଚନାରେ ଅପ୍ରିଲ୍ ପ୍ରଥମ ସପ୍ତାହରୁ ବର୍ତମାନ ସୁଦ୍ଧା ବିଦେଶରେ ଥିବା ୧୩୦୦ ଓଡ଼ିଆ ଖୋର୍ଦ୍ଧା ଗ୍ରାମାଂଚଳକୁ ଫେରିଥିବା ବେଳେ ବାଣପୁରରେ ସର୍ବାଧିକ ପ୍ରବାସୀ ଫେରିଥିବା ଜଣାଯାଇଛି ।

ସୂଚନାନୁସାରେ, ୧୮ ତାରିଖ ସୁଦ୍ଧା ଖୋର୍ଦ୍ଧା ଗ୍ରାମାଂଚଳକୁ ୧୫୨୦ଜଣ ପ୍ରବାସୀ ଫେରିଥିଲେ । ତେବେ ଯେତିକି ପ୍ରବାସୀ ଫେରିଛନ୍ତି ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଗ୍ରାମାଂଚଳର ୧୦ଟି ବ୍ଲକ ଓ ୪ଟି ପୌରାଂଚଳ ମଧ୍ୟରୁ ଟାଙ୍ଗୀ, ଜଟଣୀ, ବାଲିଅନ୍ତା, ବେଗୁନିଆ, ବାଣପୁର ଓ ଚିଲିକାକୁ ପ୍ରାୟ ଅଧିକାଂଶ ପ୍ରବାସୀ ଫେରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ, କତାର, ସାଉଦୀ ଆରବ, ଆବୁଧାବି, ବାହରିନ୍‌, ଶ୍ରୀଲଙ୍କା, କୁଏତ, ଦୁବାଇ, ଓମାନ୍ ଓ ଆମେରିକାରୁ ୭୧ ଜଣ ଫେରିଥିବା ବେଳେ ବଳକା ଦେଶର ବିଭିନ୍ନ ରାଜ୍ୟରୁ ଫେରିଛନ୍ତି । ବିଦେଶକୁ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ସର୍ବାଧିକ ଦୁବାଇରୁ ୩୫ଜଣ ଫେରିଥିବା ବେଳେ କୁଏତ୍‌ରୁ ୫, ଓମାନ୍‌ରୁ ୨ଜଣ, କତାରୁ ୫, ସାଉଦି ଆରବରୁ ୯, ଆବୁଧାବିରୁ ୧୦, ବାହରିନ୍‌ରୁ ୩, ଶ୍ରୀଲଙ୍କା ଓ ଆମେରିକାରୁ ଜଣେ ଲେଖାଏଁ ଫେରିଛନ୍ତି ।

ସେହିଭଳି ଟାଙ୍ଗୀକୁ ୩୫୪ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ବେଳେ ବାଲିଅନ୍ତାକୁ ୫, ଜଟଣୀକୁ ୩୫, ବେଗୁନିଆକୁ ୯୫, ବାଣପୁରକୁ ସର୍ବାଧିକ ୪୨୮, ଚିଲିକାକୁ ୩୧୭ ଫେରିଥିବା ଜଣାଯାଇଛି । ସୂଚନାଯୋଗ୍ୟ ସରକାରଙ୍କ ନିୟମାନୁସାରେ, ବାହାର ଦେଶ ଓ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଗ୍ରାମାଂଚଳରେ ୭ରୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଂଟିନ୍‌ରେ ରହିବାକୁ କୁହାଯାଇଛି । ସେମାନଙ୍କ ପାଇଁ ଗ୍ରାମାଂଚଳରେ ୧୯୦ଟି ପଂଚାୟତରେ ୨୩ଟି ଓ ୪ଟି ପୌରାଂଚଳର ୭୧ଟି ୱାର୍ଡ ପାଇଁ ୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯାଇଛି ।

ସମ୍ବନ୍ଧିତ ଖବର