ଆରଏସପି ପଠାଇଲାଣି ୧୩୦୦ ଟନ୍ ଅମ୍ଳଜାନ

ରାଉରକେଲା: ଓଡ଼ିଶା ସମେତ ସମଗ୍ର ଦେଶରେ କୋଭିଡ୍ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଗୁରୁତର ରୋଗୀଙ୍କୁ ଅମ୍ଲଜାନର ଆବଶ୍ୟକତା ବି ବଢ଼ିବାରେ ଲାଗିଛି। ଯେତିକି ଅମ୍ଲଜାନ ମହଜୁଦ, ତାହା ପର୍ଯ୍ୟାପ୍ତ ହେଉନି। ବିଭିନ୍ନ ଅଞ୍ଚଳରେ ଅମ୍ଳଜାନ ଅଭାବରୁ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏଭଳି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ରାଉରକେଲା ଇସ୍ପାତ କାରଖାନା ଅମ୍ଲଜାନ ପ୍ରେରଣ ଜାରି ରଖିଛି; ଯାହାକି ସବୁ ମହଲରୁ ପ୍ରଶଂସା କରାଯାଉଛି।

ଆରଏସପି ଓ ଏହାର ବିଲ୍ଡ, ଓନ ଆଣ୍ଡ୍ ଅପରେଟ୍ (ବିଓଓ) ପ୍ଲାଣ୍ଟ ‘ମେଷର୍ସ ଲିଣ୍ଡେ’ ସହିତ ନିରବଚ୍ଛିନ୍ନ ରୂପେ ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ଯୋଗାଣ ଜାରି ରଖିଛି। ଗତ ୨୨ ତାରିଖ ରାତିରେ ଦିଲ୍ଲୀକୁ ଏଲଏମଓରେ ଭର୍ତ୍ତି ଏକ ଟ୍ୟାଙ୍କର ପଠାଯାଇଛି। ଓଡ଼ିଶାର ଆବଶ୍ୟକତା ପୂରଣ କରିବା ସହିତ ଆର ଏସ ପି ଏହାର ସହଯୋଗୀ ୟୁନିଟ୍ ସହ ଗୁଜୁରାଟ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଛତିଶଗଡ ଭଳି ରାଜ୍ୟକୁ ଏଲଏମଓ ଯୋଗାଣକରୁଛି।

କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ଅନୁଯାୟୀ ଅପ୍ରେଲ ମାସରେ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନକୁ ୧୩୦୦ ଟନ୍ ଏଲଏମଓ ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରାଯିବ। ଦେଶବାସୀଙ୍କ ହିତରେ ସର୍ବଦା କାର୍ଯ୍ୟରତ ସେଲ୍ ନିଜର ଲୋକାଭିମୁଖୀ ସେବା ଅବ୍ୟାହତ ରଖିବ ବୋଲି କାରଖାନା କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର