ଅଟକିଛି ୧୩୨ କେଭି ଟାୱାର ଲାଇନ ନିର୍ମାଣ କାମ, ଇମାଲିଗୁଡା-ଓପିଟିସିଏଲ ମଧ୍ୟରେ ତୁଟୁନି ବିବାଦ 

ପୁଲିସ୍-ପ୍ରଶାସନ ଉପସ୍ଥିତିରେ ଆଲୋଚନା ବିଫଳ

ରାୟଗଡ଼ା : ଅଟକିଛି ୧୩୨ କେଭି ବିଦ୍ୟୁତ୍ ଟାୱାର ଲାଇନ କାମ। କ୍ଷତିପୂରଣ ପ୍ରଦାନ ନେଇ ଇମାଲିଗୁଡା ଗ୍ରାମବାସୀ-ଓପିଟିସିଏଲ ମଧ୍ୟରେ ବିବାଦ ତୁଟୁନଥିବାରୁ କାମ ଆଗେଇ ପାରୁନି। ଚାନ୍ଦିଲି ପୁଲିସ, ପ୍ରଶାସନ ଉପସ୍ଥିତିରେ ପ୍ରଭାବିତ ଗ୍ରାମବାସୀ-ଓଟିପିସିଏଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ବୈଠକ ବିଫଳ ହୋଇଛି। ଆସନ୍ତା ଦୁଇ ତିନି ମଧ୍ୟରେ ରାଜସ୍ୱ ନୀରିକ୍ଷକଙ୍କ ଦ୍ୱାରା ଜମି ମାପଚୁପ ପରେ କ୍ଷତିପୂରଣ ଆକଳନ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଉଚିତ୍ କ୍ଷତିପୂରଣ ନ ମିଳିଲେ ଟାୱାର ଲାଇନ କାମ କରିବାକୁ ଦିଆଯିବ ନାହିଁ ବୋଲି ପ୍ରଭାବିତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ରାୟଗଡ଼ା ଜିଲ୍ଲା ଥେରୁବାଲି ବିଦ୍ୟୁତ ଗ୍ରୀଡ୍ରୁ ଭାଲୁମାସ୍କା ରେଳ ଷ୍ଟେସନ ସବ୍ ଷ୍ଟେସନ ପର୍ୟ୍ୟନ୍ତ ୧୩୨ କେଭି ବିଦ୍ୟୁତ ସଂଯୋଗ ନିମନ୍ତେ ୧୧୫ଟି ଟାୱାର ଲାଇନ ନିର୍ମାଣ କାର୍ୟ୍ୟ ଗତ ୪ ବର୍ଷ ଧରି ଓଟିପିସିଏଲ ପକ୍ଷରୁ ଚାଲିଛି। ଟାୱାର ଲାଇନ ନିର୍ମାଣ କାର୍ୟ୍ୟ ନିମନ୍ତେ ଭାଲୁମାସ୍କାରୁ ଥେରୁବାଲି ମଧ୍ୟରେ ଥିବା ଶିକରପାଇ, ବେଲକଣା, ଭେଜା, ଲକ୍ଷ୍ମୀପୁର, ଗାଡି ଶେଷଖାଲ ଆଦି ମୌଜାର ଚାଷ ଜମି ଦେଇ  ଟାୱାର ଲାଇନ୍ ଯିବ। ଫଳରେ ଏହି ଅଞ୍ଚଳରେ ନୀଳଗିରି, ଆମ୍ବ, ପଣସ ଆଦି ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀଙ୍କୁ ଓଟିପିସିଏଲ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। କ୍ଷତିପୂରଣ ପ୍ରତିଶ୍ରୁତି ପରେ କାମ ଆଗେଇ ଚାଲିଥିବା ବେଳେ ଇମାଲିଗୁଡା ମୌଜାର ସତ୍ୟବ୍ରତ ପେଦେଣ୍ଟି, ଆପାରାଓ ପେଦେଣ୍ଟି, କାଇପୁଇ ପେଦେଣ୍ଟି, ମହେଶ ପେଦେଣ୍ଟି, ବାଇଚମଣି ପେଦେଣ୍ଟି, ଇମାଲିଗୁଡା ଗ୍ରାମର ବାରିକା ମିଣିଆକାଙ୍କ ଜମିରେ ଟାୱାର ବସିଥିବାରୁ କ୍ଷତିଗ୍ରସ୍ତ କ୍ଷତିପୂରଣ ଦାବି କରି ଆସୁଛନ୍ତି। କ୍ଷତିପୂରଣ ପ୍ରଦାନରେ ବିଳମ୍ବ ଯୋଗୁ ଗତ ଦୁଇ ଦିନ ହେଲା ଟାୱାର ଲାଇନ କାମକୁ ଗ୍ରାମବାସୀ ବନ୍ଦ କରି ଦେଇଛନ୍ତି। ପ୍ରଶାସନକୁ ଏ ସଂପର୍କରେ ଓପିଟିସିଏଲ ଅବଗତ କରିବା ପରେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ  କୋଲନରା ତହସିଲଦାର, ଚାନ୍ଦିଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ସମେତ ପୁଲିସ୍ ଫୋର୍ସ ଆଜି ଇମାଲିଗୁଡ଼ାରେ ପହଞ୍ଚିଥିଲେ। ସରପଞ୍ଚ ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଇମାଲିଗୁଡା ଗ୍ରାମର ପ୍ରଭାବିତ ୫ ଚାଷୀ ଏବଂ ଓପିଟିସିଏଲର ଡେପୁଟି ଜେନେରାଲ ମ୍ୟାନେଜର ନିହାର ରାଏଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରଭାବିତ ଚାଷୀ ଲଗାଯାଇଥିବା ନୀଳଗିରି ଚାଷର ୪ କିସ୍ତି ଟଙ୍କା ଗଛ ପିଛା ପ୍ରଦାନ ପାଇଁ ଦାବି କରିଥିଲେ। କିନ୍ତୁ ଓପିଟିସିଏଲ୍ ୩ଟି କିସ୍ତି ବାବଦରେ କ୍ଷତିପୂରଣ ଦେବାକୁ ରାଜି ହୋଇଥିଲା। ଫଳରେ ଆଲୋଚନା ବିଫଳ ହୋଇଥିଲା।

ସମ୍ବନ୍ଧିତ ଖବର