ବେସାହାରା ହୋଇଛନ୍ତି ଉଚ୍ଛେଦ ୧୪ ପରିବାର, ପଲିଥିନ୍‌ ଦେଇ କାମ ସାରିଦେଲା ପ୍ରଶାସନ

ନୂଆଗଡ଼: ଗଜପତି ଜିଲ୍ଳା ନୂଆଗଡ଼ ବ୍ଲକ୍‌ ସଦରମହକୁମା ଠାରେ ଗତ ମାର୍ଚ୍ଚ ମାସ ୧୭ ତାରିଖରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ମାଜି‌ଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ପାରଳାଖେମୁଣ୍ଡି ଏସ୍‌ଡିପିଓଙ୍କ ଉପସ୍ଥିତିରେ ନୂଆ କରି ବସ୍‌ଷ୍ଟାଣ୍ଡ୍‌ ତିଆରି କରିବା ପାଇଁ କିଛି ଗରିବ ପରିବାରକୁ ଉଚ୍ଛେଦ କରା ଯାଇଥିଲା। ସେହିଦିନ ଅନ୍ୟ ଏକ ଜାଗା ଚିହ୍ନଟ କରି ସେମାନଙ୍କୁ ହସ୍ତାନ୍ତର କରା ଯାଇଥିଲା।  କିନ୍ତୁ ଉଚ୍ଛେଦର ଏକ ମାସ ପରେ ମଧ୍ୟ ଏହି ୧୪ ପରିବାର ଖଣ୍ଡିଏ ପଲିଥିନ୍‌କୁ ଛାଡ଼ି ଦେଲେ ସରକାରଙ୍କ ତରଫରୁ ଅନ୍ୟ କୌଣସି ସାହାଯ୍ୟ ସହଯୋଗ ପାଇପାରି ନାହିଁ।

ତେବେ ନିଜ ପିଲାଛୁଆ ପରିବାରକୁ ନେଇ ମୁଣ୍ଡଗୁଞ୍ଜିବା ଲାଗି ପ୍ରଶାସନ ତରଫରୁ ପାଇଥିବା ପଲିଥିନ୍‌ ଖଣ୍ଡକୁ ଭରସା କଲା ବେଳକୁ ତାହା ବି କାଳବୈଶାଖୀରେ ଚିରାଫଟା ହୋଇଯାଇଛି। ସେମାନଙ୍କ କହିବା ଅନୁଯାୟୀ, ଉଚ୍ଛେଦ ପୂର୍ବରୁ ଅସ୍ଥାୟୀ ଭାବେ ଘର ତିଆରି କରିବା ପାଇଁ ପ୍ରଶାସନ ତରଫରୁ କିଛି ସହାୟତା ରାଶି ପ୍ରଦାନ କରାଯିବ ବୋଲି ଉଭୟ ବିଡିଓ ଓ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ପ୍ରଦାନ କରାଯାଇ ନାହିଁ। ବିଜୁଳି ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ବି ହୋଇନାହଁ।  ଫଳରେ ଏହି ୧୪ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ପ୍ରଶାସନ ମୌଳିକ ସୁବିଧା ସହ ପ୍ରତିଶ୍ରୁତି ମୁତାବକ ସହାୟତା ରାଶି ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର