ପିକଅଫ୍‌ ଭ୍ୟାନ୍‌ ଓଲଟି ୧୪ ଆହତ, ୬ ଗୁରୁତରଙ୍କୁ କୋରାପୁଟ ସ୍ତାନାନ୍ତର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଚମ୍ପି ଗ୍ରାମପଚାଂୟତ ନିକଟ ଫଟା କାକୁଡି ଘାଟୀରେ ପିକଅପ୍‌ ଭ୍ୟାନ ଓଲଟି ସୋମବାର ସନ୍ଧ୍ୟାରେ ୧୪ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନେ ହେଲେ ଡମ୍ବତି ଝୋଡିଆ, ଜାନକି ଝୋଡିଆ, ଈଶ୍ୱର ଝୋଡିଆ। ଏମାନେ ସମସ୍ତେ କାଶିପୁର ବ୍ଲକ କୋଡିଙ୍ଗା ଗାଁର ଲୋକ। ମାଳିଚେମା ଗାଁର ସାରିଆ ପରଜା, କନ୍ଦପୁଟ ଗାଁର ତାମ୍ବ ମେଲେକା, ଦଶମନ୍ତପୁର ବ୍ଲକ ବିରିଗୁଡା ଗାଁର ଜିରମେ ମାଣ୍ଡିଙ୍ଗା, ବାରା ମାଣ୍ଡିଙ୍ଗା, କୃଷ୍ନ ମାଣ୍ଡିଙ୍ଗା, ଅରକ୍ଷୀତ ମାଣ୍ଡିଙ୍ଗା, ଲଚ ମାଣ୍ଡିଙ୍ଗା, ରାଇନା ମାଣ୍ଡିଙ୍ଗା, ତୁରୁକାଡି ମାଣ୍ଡିଙ୍ଗା। ପଣସଗୁଡା ଗାଁର ଫକିର ମାଣ୍ଡିଙ୍ଗା ଓ ସନାଇ ମାଣ୍ଡିଙ୍ଗା ମଧ୍ୟ ଆହତ ହୋଇଛନ୍ତି।

ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଜାଇଛି।

କାକିରିଗୁମା ସାପ୍ତାହିକ ହାଟକୁ ଦଶମନ୍ଥପୁର ଓ କାଶିପୁର ବ୍ଲକର କିଛି ପୁରୁଷ ଓ ମହିଳା ହାଟ ସୌଦା ସହ ବେପାର କରିବାକୁ ଯାଇଥିଲେ। ସେମାନେ ସନ୍ଧ୍ୟା ସମୟରେ ଘରକୁ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ପିକ୍‌ଅପ୍‌ ଭ୍ୟାନ୍‌ ଫଟା କାକୁଡି ଘାଟୀ ଚଢୁଥିବା ବେଳେ ଗାଡ଼ିର ଚାଳକ ଭାରସାମ୍ୟ ହରାଇଥିଲା। ଫଳରେ ଗାଡ଼ି ଆକୁ ନ ଯାଇ ପଛକୁ ଗଡିଥିଲା। ଗାଡ଼ିରୁ ଛିଟିକି ପଡିଥିବା ଲୋକମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଜରିଆରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସୂଚନା ପାଇ ଲକ୍ଷ୍ମୀପୁର ଆଇଆଇସି ଗୌରହରି ସାହୁ ଓ ତାଙ୍କର ଟିମ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବା ସହ ଏକ ଦୁର୍ଘଟଣା ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର