ବ୍ରହ୍ମପୁର : ପୌର ଉପାଧ୍ୟକ୍ଷ ନିର୍ବାଚନ ଆଜି ଶେଷ ହୋଇଛି। ଗଞ୍ଜାମ ଜିଲ୍ଲାର ୧୭ଟି ପୌରାଞ୍ଚଳ ମଧ୍ୟରୁ ବିଜେଡି ୧୪ ଉପାଧ୍ୟକ୍ଷ ଆସନ ଦଖଲ କରିଛି। ପୂର୍ବ ଆକଳନ ଅନୁସାରେ, କବିସୂର୍ଯ୍ୟନଗର ଓ ଛତ୍ରପୁର ନିର୍ବାଚନମଣ୍ଡଳୀରୁ ବିଜେପି ଦୁଇଟି ଏନ୍ଏସି ଉପାଧ୍ୟକ୍ଷ ଆସନ କବ୍ଜା କରିଥିବା ବେଳେ ବାଚସ୍ପତିଙ୍କ ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ଆସନ ଭଳି ଉପାଧ୍ୟକ୍ଷ ପଦ ମଧ୍ୟ କଂଗ୍ରେସ ମାଡ଼ି ବସିଛି। ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ଲାଗି ପ୍ରତ୍ୟକ୍ଷ ଭୋଟ୍ରେ ଗଞ୍ଜାମର ୬ ଅଧ୍ୟକ୍ଷ ପଦ ବିଜେଡି ହାତରୁ ଖସି ଯାଇଥିଲା। କିନ୍ତୁ ପୂର୍ବ ଆକଳନ ଅନୁସାରେ ବିଜେଡି ହାତରୁ ୩ଟି ଉପାଧ୍ୟକ୍ଷ ଆସନ ଯିବ ବୋଲି ଯାହା ଅନୁମାନ ଥିଲା, ତାହା ହିଁ ହେଲା। ପୂର୍ବରୁ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ଜିଲ୍ଲାର ୧୧ଟି ଆସନ ଦଖଲ କରିଥିଲା। ୩ଟି ବିଜେପି ଦଖଲ କରିଥିବା ବେଳେ କଂଗ୍ରେସ ଗୋଟିଏ ଓ ସ୍ବାଧୀନ ପ୍ରାର୍ଥୀ ଦୁଇଟି ଆସନ ଦଖଲ କରିଥିଲେ।
ଚଳିତ ପୌର ନିର୍ବାଚନରେ ଅଧ୍ୟକ୍ଷ ପାଇଁ ସିଧାସଳଖ ନିର୍ବାଚନ ହୋଇଥିଲା। ଭୋଟର୍ ଭୋଟ୍ ଦେଇ ଅଧ୍ୟକ୍ଷଙ୍କୁ ବାଛିଥିଲେ। ଆଜି ଉପାଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ ହୋଇଥିଲା। କାଉନ୍ସିଲର୍ମାନେ ଭୋଟ୍ ଦେଇ ଉପାଧ୍ୟକ୍ଷଙ୍କୁ ବାଛିଛନ୍ତି। ଏଣୁ ଯେଉଁ ଏନ୍ଏସିରେ ଯେଉଁ ଦଳର କାଉନ୍ସିଲରଙ୍କ ସଂଖ୍ୟାଗରିଷ୍ଠତା ରହିଥିଲା ସେହି ଦଳର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଉପାଧ୍ୟକ୍ଷ ହୋଇଛନ୍ତି। ଚଳିତ ପୌର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ନୂତନ ନିୟମ ଅନୁସାରେ କାଉନ୍ସିଲର୍ମାନେ ନିଜର ଦଳୀୟ ଏଜେଣ୍ଟ୍ଙ୍କୁ ଭୋଟ୍ ଦେଖାଇ ଭୋଟ୍ ବାକ୍ସରେ ପକାଇଛନ୍ତି। ଏଣୁ କ୍ରସ୍ ଭୋଟିଂ ସମ୍ଭାବନା ଏଥର ରହିଲା ନାହିଁ। ଗଞ୍ଜାମ ଜିଲ୍ଲାର ଛତ୍ରପୁର, ରମ୍ଭା ଓ କୋଦଳା ଏନ୍ଏସି ଅଧ୍ୟକ୍ଷ ଆସନ ବିଜେପି ଦଖଲ କରିଥିଲା। ସେହିପରି ଦିଗପହଣ୍ଡି କଂଗ୍ରେସ, ଗଞ୍ଜାମ ଏବଂ ପୁରୁଷୋତ୍ତମପୁର ଏନ୍ଏସିରେ ସ୍ବାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଥିଲେ। ଛତ୍ରପୁର, ପୁରୁଷୋତ୍ତମପୁର ଓ ଗଞ୍ଜାମ ଏନ୍ଏସିରେ ବିଜେଡି କାଉନ୍ସିଲରଙ୍କ ସଂଖ୍ୟା ଗରିଷ୍ଠତା ରହିଥିଲା। ଏଣୁ ଏହି ୩ଟି ଏନ୍ଏସିରେ ବିଜେଡି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଉପାଧ୍ୟକ୍ଷ ହୋଇଛନ୍ତି। କିନ୍ତୁ କୋଦଳା, ରମ୍ଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ଏଠାରେ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଉପାଧ୍ୟକ୍ଷ ହୋଇଛନ୍ତି। କିନ୍ତୁ ଦିଗପହଣ୍ଡିରେ କଂଗ୍ରେସ ଓ ବିଜେଡି ପକ୍ଷରୁ ପ୍ରାର୍ଥୀ ଦିଆ ଯାଇଥିଲା। କଂଗ୍ରେସର ସଂଖ୍ୟା ଗରିଷ୍ଠ କାଉନସିଲର୍ ୬ ଜଣଙ୍କ ଭୋଟ୍ ଦଳୀୟ ପ୍ରାର୍ଥୀଙ୍କୁ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କୁ ୫ଟି ଭୋଟ ମିଳିଥିଲା। ଫଳରେ ସେଠାରେ କଂଗ୍ରେସ ପ୍ରାର୍ଥୀ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।
ଚଳିତ ପୌର ନିର୍ବାଚନରେ ଜିଲ୍ଲାର ୩ଟି ଏନ୍ଏସିରେ ନବଗଠିତ ପରିଷଦରେ ରୋଚକ ସମୀକରଣ ରହିଛି। ଛତ୍ରପୁର ଏନ୍ଏସି ଅଧ୍ୟକ୍ଷ ଆସନ ବିଜେପି ହାତରେ ରହିଥିବା ବେଳେ ଉପାଧ୍ୟକ୍ଷ ଆସନ ବିଜେଡି ଦଖଲରେ ରହିଛି। ସେହିପରି ଗଞ୍ଜାମ ଏନ୍ଏସିରେ ସ୍ବାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଥିବା ବେଳେ ଉପାଧ୍ୟକ୍ଷ ପଦବି ବିଜେଡି ଦଖଲ କରିଛି। ଅନ୍ୟପଟେ ପୁରୁଷୋତ୍ତମପୁର ଏନ୍ଏସି ଅଧ୍ୟକ୍ଷ ପଦବି ମଧ୍ୟ ସ୍ବାଧୀନ ପ୍ରାର୍ଥୀ ହାତରେ ରହିଥିବା ବେଳେ ଉପାଧ୍ୟକ୍ଷ ଆସନ ବିଜେଡି କବ୍ଜା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Election-Symbol1.jpg)