ପଦ୍ମପୁରରେ ରବି ମଣ୍ଡି ପରିଚାଳନାରେ ବିଭ୍ରାଟ; ଲାପସ୍ ହୋଇଗଲା ୧୪୦ ଚାଷୀଙ୍କ ଟୋକେନ୍

୭ ହଜାରରୁ ଉର୍ଧ୍ବ କ୍ବିଣ୍ଟାଲ୍ ବୋହିନେଲେ ଆନ୍ଧ୍ର ବ୍ୟବସାୟୀ; ୧୮୬୮ ବଦଳରେ ୮୫୦ ଟଙ୍କାରେ ଧାନ ବିକିଲେ ଚାଷୀ

ରାୟଗଡ଼ା: ଧାନ ଅମଳ ପୂର୍ବରୁ ଖୋଲିଲା ମଣ୍ଡି। ଚାଷୀ ପଞ୍ଜିକରଣ ବି ଆଗୁଆ କରିନେଲେ। ମେ ପହିଲାରୁ ଜୁନ୍ ୧୫ ଭିତରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳିଲା ଟୋକେନ୍। ହେଲେ ଅଦିନିଆ ବର୍ଷା, ଅମଳ ବିଳମ୍ବ କାରଣରୁ ଖଳାକୁ ଆସି ପାରିଲାନି ଧାନ। ଫଳରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳିଥିବା ଟୋକେନ୍ ଅବଧି ସରିଗଲା। ଯେଉଁଥି ପାଇଁ ୧୪୦ ଚାଷୀ ଅଭାବୀ ବିକ୍ରିର ଶିକାର ହେବା ସହ କ୍ବିଣ୍ଟାଲ୍ ୧୮୬୮ ବଦଳରେ ଆନ୍ଧ୍ର ବ୍ୟବସାୟୀଙ୍କୁ ମାତ୍ର ୮୨୦ ରୁ ୮୫୦ ଟଙ୍କାରେ ବିକ୍ରି କରିଛନ୍ତି।

ରବି ମଣ୍ଡି ପରିଚାଳନାରେ ଏପରି ବିଭ୍ରାଟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକରେ। ଜିଲ୍ଲାର ଭାତ ହାଣ୍ଡି ଭାବେ ପରିଚିତ ପଦ୍ମପୁରରେ ଉଭୟ ଖରିଫ ଓ ରବି ଋତୁରେ ସର୍ବାଧିକ ଧାନ ଅମଳ ହୋଇଥାଏ। ବ୍ଲକର ୮୦ ପ୍ରତିଶତ ଚାଷୀ ଧାନ ଚାଷ ଉପରେ ନିର୍ଭରଶୀଳ। କେବଳ ପଦ୍ମପୁରରେ ହିଁ ରବି ଧାନ ଚାଷ ହେଉଛି। ଚଳିତ ବର୍ଷ ୨୫୦୦ ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥିବାରୁ ୧୪ ହଜାର ୩୦୦ କ୍ବିଣ୍ଟାଲ୍ ଧାନ କିଣିବା ପାଇଁ ପ୍ରଶାସନ ପକ୍ଷରୁ ଖିଲାମୁଣ୍ଡାରେ ମଣ୍ଡି ଖୋଲାଯାଇଥିଲା। କିନ୍ତୁ ଯୋଗାଣ ବିଭାଗ-ଲ୍ୟାମ୍ପସ କର୍ତ୍ତୃପକ୍ଷ-ଚାଷୀଙ୍କ ମଧ୍ୟରେ ସମନ୍ବୟ ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ଧାନ ବିକ୍ରି ପାଇଁ ୨୨୨ ଚାଷୀ ପଞ୍ଜିକରଣ କରିଥିଲେ। ସେଥି ମଧ୍ୟରୁ ୧୮୯ ଚାଷୀଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଟୋକେନ୍ ମିଳିଥିଲା। ମେ ୧ରୁ ୧୫, ମେ ୧୫ରୁ ୩୧, ଜୁନ୍ ୧ରୁ ୧୫ ମଧ୍ୟରେ ଟୋକେନ୍ ପାଇଥିବା ଚାଷୀ ପର୍ଯ୍ୟାୟକ୍ରମେ ଧାନ ବିକ୍ରି କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା।

ରବି ଧାନ ଅମଳ ପାଇଁ ସର୍ବନିମ୍ନ ଭାବେ ଶହେ ଦିନ ସମୟ ଲାଗୁଥିବା ବେଳେ ସରକାର ତରବରିଆ ଭାବେ ପଞ୍ଜିକରଣ ଆରମ୍ଭ କରି ଜୁନ୍ ୩୦ ମଧ୍ୟରେ ରବି ମଣ୍ଡି ଶେଷ କରିବାକୁ ଚାଷୀଙ୍କୁ ଟୋକେନ୍ ପ୍ରଦାନ କରିଥିଲେ। ୟାସ ବାତ୍ୟା ଭୟ ସହ ଅଦିନିଆ ବର୍ଷା କାରଣରୁ ଟୋକେନ୍ ଅବଧି ଭିତରେ ଚାଷୀ ଧାନ ଅମଳ କରିବାରେ ସଫଳ ହୋଇପାରିଲେ ନାହିଁ। ଫଳରେ ମାତ୍ର ୪୯ ଚାଷୀ ହିଁ ମଣ୍ଡିରେ ଧାନ ବିକିବାରେ ସକ୍ଷମ ହୋଇଛନ୍ତି। ୧୪୦ ଚାଷୀଙ୍କ ଟୋକେନ୍ ଅଚଳ ହୋଇଯିବା ଯୋଗୁ ଉକ୍ତ ଚାଷୀମାନେ ଅମଳ ଧାନକୁ ମିଲର୍ସ ଓ ଆନ୍ଧ୍ର ବ୍ୟବସାୟୀଙ୍କୁ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି।

ସରକାର କ୍ବିଣ୍ଟାଲ୍ ପିଛା ଧାନର ସହାୟକ ମୂଲ୍ୟ ୧୮୬୮ ଟଙ୍କା ଧାର୍ୟ୍ୟ କରିଥିବା ବେଳେ ଅଭାବୀ ବିକ୍ରିର ଶିକାର ଚାଷୀ ଆନ୍ଧ୍ର ବ୍ୟବସାୟୀଙ୍କୁ କ୍ବିଣ୍ଟାଲ୍ ପିଛା ୮୫୦ ଟଙ୍କାରେ ବିକ୍ରି କରିଛନ୍ତି। ମଣ୍ଡିରେ ଧାନ ବିକିଥିବା ୪୯ ଚାଷୀଙ୍କ ନିକଟରୁ ମଣ୍ଡି କର୍ତ୍ତୃପକ୍ଷ ୭୦୯୩ କ୍ବିଣ୍ଟାଲ୍ ଧାନ କିଣିଛନ୍ତି। ବଳକା ୭୨୦୭ କ୍ବିଣ୍ଟାଲ୍ ଧାନ ଆନ୍ଧ୍ର ବେପାରୀ କିଣି ନେଇଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଛି। ଗାଁରେ ଗାଁରେ ଟ୍ରକ୍ ଲଗାଇ ଆନ୍ଧ୍ର ବେପାରୀ ଧାନ ନେବା ସହ ଖରିଫ୍ ଚାଷ ପାଇଁ ମଧ୍ୟ କିଛି ଚାଷୀଙ୍କୁ ଅଗ୍ରୀମ ଆକାରରେ ଟଙ୍କା ପ୍ରଦାନ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ପଦ୍ମପୁର ବ୍ଲକ ଯୋଗାଣ ନୀରିକ୍ଷକ ପ୍ରଭାକର ମଲ୍ଲିକ ଆନ୍ଧ୍ର ବ୍ୟବସାୟୀଙ୍କୁ ଚାଷୀ ଧାନ ବିକ୍ରି କରିବା ଘଟଣା ନଜରକୁ ଆସିନି ବୋଲି କହିଛନ୍ତି। ପ୍ରମାଣ ମିଳିଲେ ଉପରିସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ମଲ୍ଲିକ୍ କହିଛନ୍ତି।

ସମ୍ବନ୍ଧିତ ଖବର