୧୪୦ ଲିଟର ଦେଶୀ ମଦ ଓ ୮୦୦ କିଲୋ ମହୁଲ ପୋଚ ଜବତ, ଜଣେ ଅଟକ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ୍‌ ଏକାଙ୍କର ନିର୍ଦ୍ଦେଶ କ୍ରମେ ଆଜି ଉଲୁଣ୍ଡା ବ୍ଲକର ଏସ୍‌ ପତ୍ରାପାଲି ଅଂଚଳରେ ଥିବା ଜଙ୍ଗଲରୁ ୧୪୦ ଲିଟର ମଦ ଓ ୮୦୦ କିଲୋ ମହୁଲ ପୋଚ ଜବତ ହୋଇଛି। ମଦ କାରବାର ସହିତ ଜଡ଼ିତ ଜଣେ ଅଭିଯୁକ୍ତକୁ ଅବକାରୀ ବିଭାଗ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ଉଲୁଣ୍ଡା ବ୍ଳକର ଏସ୍‌ ପତ୍ରାପାଲି ଅଞ୍ଚଳର ଜଙ୍ଗଲରେ ଚଢ଼ାଉ କରି ସେଠାରେ ବ୍ୟାପକ ଭାବେ ଦେଶୀ ମହୁଲି ମଦ ଜବତ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ୮୦୦ କେଜି ପୋଚ ଜବତ କରିବା ସହ ୧୦୦ ଲିଟର ମହୁଲି ମଦ ନଷ୍ଟ କରାଯାଇଛି। ଏହା ସହିତ ଅଭିଯୁକ୍ତ ପାଖରୁ  ୪୦ ଲିଟର ମଦ ଜବତ ହୋଇଛି।

ସେହିପରି ମଦ ରନ୍ଧା ଓ ରଖିବା ପାଇଁ ବ୍ୟବହୃତ ଆଲୁମିନିୟମ ହାଣ୍ଡି ଓ ପ୍ଲାଷ୍ଟିକ ଡ୍ରମ ଜବତ କରାଯାଇଛି। ସୁଧୀର ଜୋଯୋ (୨୨) ନାମକ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ସୁବର୍ଣ୍ଣପୁର  ଅବକାରୀ ବିଭାଗ ମୋବାଇଲ ଦଳ ଦ୍ୱରା ଚଢ଼ାଉ କରାଯାଇ କେସ୍‌ ନମ୍ବର ୪୦/୨୦୨୦ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ମୋବାଇଲ ଅବକାରୀ ବିଭାଗ। ଏହି ଚଢାଉରେ ସାମିଲ ହୋଇଥିଲେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗର ଏଏସଆଇ ସବିତା ପଟ୍ଟନାୟକ, ବନମାଳୀ ରଣା, କୀର୍ତନ ନାୟକ, କନଷ୍ଟେବଳ ପିଣ୍ଟୁ ସାହୁ ଓ ପୃଥ୍ଵୀରାଜ କହଁର।

ସୁବର୍ଣ୍ଣପୁରର ଏସ୍‌ ପତ୍ରାପାଲି ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ ହେଉଛି। ମଦ ବ୍ୟବସାୟ କରୁଥିବା ଲୋକମାନେ ଜଙ୍ଗଲକୁ ନିରାପଦ ସ୍ଥାନ ଭାବି ନାଳ, ଝରଣା ନିକଟରେ ମଦ ପ୍ରସ୍ତୁତ କରୁଛନ୍ତି। ଏହା ବନ୍ଦ କରାନଗଲେ ବିଷାକ୍ତ ମଦ ପିଇ ଲୋକମାନେ ମତ୍ୟୁ ବରଣ କରିବାର ସମ୍ଭାବନା ଅଛି।

ସୂଚନାଯୋଗ୍ୟ, ବୀରମହାରାଜପୁର ଅବକାରୀ ବିଭାଗରେ କର୍ମଚାରୀ ଅଭାବ ଓ ଡେପୁଡେସନରେ ଆସି କାମ କରୁଥିବାରୁ ମଦ ମାଫିଆ ମାନେ ସକ୍ରିୟ ହୋଇ ବ୍ୟାପକ ପରିମାଣରରେ ମହୁଲି ମଦ ପ୍ରସ୍ତୁତ କରି ମହାନଦୀର ଅପରପାର୍ଶ୍ୱରେ ଥିବା ଅଂଚଳକୁ ଚୋରା ଚାଲାଣ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର