ବାଲେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଅପରାହ୍ଣ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ସରିବା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏଥିରେ ବାଲେଶ୍ବର ସଦର ବ୍ଲକରୁ ୧୪୦୧ ଜଣ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ତାଲିକାକୁ ଉଠିଥିବା ବେଳେ ୧୮୧ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ଜଣାଯାଇଛି। ସଦର ବ୍ଲକରେ ମୋଟ ୩୭ଟି ପଞ୍ଚାୟତ ରହିଛି। ତେବେ ସରପଞ୍ଚ ପଦ ପାଇଁ ୧୮୬ଟି ପ୍ରାର୍ଥିପତ୍ର କାଏମ ରହିଥିଲା ବେଳେ ୧୪୧ଟି ପ୍ରାର୍ଥିପତ୍ର ସମିତିସଭ୍ୟ ପାଇଁ କାଏମ୍ ରହିଥିଲା। ସେହିପରି ୱାର୍ଡସଭ୍ୟ ପଦ ପାଇଁ ମଧ୍ୟ ୧୨୫୪ଟି ପ୍ରାର୍ଥିପତ୍ର କାଏମ୍ ରହିଥିଲା।
ତେବେ ଆଜି ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ପଦ ପ୍ରାର୍ଥିପତ୍ର ଭରିଥିବା ୪୧ ପ୍ରାର୍ଥୀ, ସମିତିସଭ୍ୟ ପାଇଁ ପ୍ରାର୍ଥିପତ୍ର ଭରିଥିବା ୨୦ ଜଣ ପ୍ରାର୍ଥୀ ଏବଂ ୱାର୍ଡ ସଭ୍ୟ ପଦ ପାଇଁ ୧୨୦ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ବିଭିନ୍ନ କାରଣ ଦର୍ଶାଇ ପ୍ରତ୍ୟାହାର କରିନେଇଛନ୍ତି। ସୂଚନାଥାଉକି, ଏବେ ମଇଦାନକୁ ସଦର ବ୍ଲକରୁ ୧୧୩୪ ଜଣୱାର୍ଡ ସଭ୍ୟ ପ୍ରାର୍ଥୀ, ୧୪୫ ଜଣ ସରପଞ୍ଚ ପ୍ରାର୍ଥୀ ଏବଂ ୧୨୨ ଜଣ ସମିତିସଭ୍ୟ ପ୍ରାର୍ଥୀ ଓହ୍ଲାଇଥିବା ବେଳେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ନିର୍ବାଚନୀ ମାହୋଲ ସରଗରମ ହୋଇଉଠିଛି। ତାଲିକାରେ ପ୍ରକାଶ ପାଇଥିବା ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରପ୍ରସାର କମ୍ ସମୟ ମଧ୍ୟ କିପରି ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବ ଏବଂ ଭୋଟରଙ୍କ ମନ ଜିଣିହେବ ସେନେଇ ରଣନୀତି ପ୍ରସ୍ତୁତ କରିଛନ୍ତି।