ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ୨ ଦିନରେ ୧୪୧.୦୪ ମିମି ବର୍ଷା ରେକର୍ଡ କରାଯାଇଛି। ଗତକାଲି ୮୬.୦୪ ଓ ଆଜି ୫୫.୦୦ ମିମି ବର୍ଷା ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଗତକାଲି ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ କରଦାଙ୍ଗିସ୍ଥିତ ଘୁରୁଡିଆ ନାଳ ପୋଲ ଓ ଭୀମକାଣ୍ଡ ପଞ୍ଚାୟତ କାଣ୍ଡପଶିସ୍ଥିତ ଘୁରୁଡିଆ ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ସ୍ଥାନୀୟ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା। ଲଗାଣ ବର୍ଷା ପାଇଁ ଚାଷକାର୍ଯ୍ୟ ପ୍ରଭାବିତ ହୋଇଛି।

Advertisment

ଧାନ କିଆରୀରେ ବର୍ଷା ଜଳ ଭର୍ତ୍ତି ହୋଇଥିବାରୁ ଧାନ ବୁଣା ଓ ତଳି ପକା କାର୍ଯ୍ୟ ହୋଇପାରୁ ନାହିଁ। ଯେଉଁମାନେ ବି ତଳି ପକାଇଛନ୍ତି ତାହା ବର୍ଷା ପାଣିରେ ବୁଡ଼ି ରହିଛି। ଚଳିତ ବର୍ଷ ଅଭାବରୁ ଓ ଲଗାଣ ବର୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ଚାଷକାର୍ଯ୍ୟ ପଛାଇବା ସମ୍ଭାବନା ରହିଛି। ଏବେ ସୁଦ୍ଧା ଶତକଡ଼ା ୫ % ଭାଗ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ବର୍ଷାରେ ନିର୍ମାଣାଧୀନ ତେଲକୋଇ-ତାଳଚେର ପୂର୍ତ୍ତ ରାସ୍ତାର ଆକୁଳ-କାଳିମା ପୋଲ ନିକଟସ୍ଥ ଡାଇଭର୍ସନ ରାସ୍ତା ଧୋଇ ହୋଇଯାଛି। ଫଳରେ ଏହି ରାସ୍ତାରେ ଗମନାଗମନ ବ୍ୟାହତ ହୋଇଛି। ଯାତ୍ରୀବାହୀ ବସ୍ ତଥା ଭାରୀଯାନଗୁଡିକ ୨୫ କିମି ଦୂର ଖୁଣ୍ଟାପଡା-ପଡ଼ାଙ୍ଗ-ବିମଳା ଦେଇ ଯାତାୟାତ କରୁଛନ୍ତି। ପୂର୍ବରୁ ଏହି ଡାଇଭର୍ସନ ରାସ୍ତାରେ ବାଲି ବୋଝେଇ ଟ୍ରକ ସହିତ ଅନ୍ୟ ଗାଡ଼ି ମଧ୍ୟ ଓଲଟି ପଡ଼ିଥିଲା।

ନାଳ ଭିତରେ ଖାମଖିଆଲି ଭାବେ ୨/୪ଟି ହ୍ୟୁମ୍ ପାଇପ୍ ଦେଇ ମାଟି ଦିଆ ଯାଇଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ମାଟି ଓଦା ତଥା ସନ୍ତସନ୍ତିଆ ରହୁଥିବା କାରଣରୁ ଦବି ଯାଇ ଦୁର୍ଘଟଣା ଘଟୁଛି। ଡାଇଭର୍ସନ ରାସ୍ତା ଧୋଇ ଯିବା ପରେ ଗତକାଲି ଅପରାହ୍ଣରେ ଜେସିବି ଦ୍ବାରା କିଛି ପରିମାଣରେ ମାଟି ବିଛା ଯିବାରୁ ଛୋଟ ଛୋଟ ଗାଡ଼ିଗୁଡିକ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି। ଅନ୍ୟ ଗାଡ଼ିଗୁଡିକକୁ ଏହି ରାସ୍ତାରେ ଛଡ଼ା ଯାଉନାହିଁ। ଫଳରେ କେଉଁ ରାସ୍ତା ଦେଇ ଯିବାକୁ ହେବ ଚାଳକମାନେ ଜାଣି ପାରି ନଥିବାରୁ ସମସ୍ୟା ସୃଷ୍ଟି ହୋଉଛି। ଡାଇଭର୍ସନ ରାସ୍ତାର ଅବସ୍ଥା ଯାହା ହୋଇଛି ତାହା କେତେବେଳେ ଭୁଶୁଡି କିମ୍ବା ଧୋଇ ନେଇଯିବା ସମ୍ଭାବନା ରହିଛି। ତୁରନ୍ତ ଡାଇଭର୍ସନ ରାସ୍ତାକୁ ସଠିକ୍ ଭାବରେ ନିର୍ମାଣ କରାଯିବାକୁ ଆକୁଳ ସରପଞ୍ଚ କୁଳମଣି ଫୁଦକାର, ଶିରିଗିଡା ସରପଞ୍ଚ ମୋହନ ନାୟକ, ସମିତି ସଭ୍ୟ ପଦ୍ମଲୋଚନ ଦାସ, ବଳରାମ ଦାସ, ସୁଜନ ହାଁସଦା, ଅଲେଖ ପାତ୍ର, ଲଳିତ ବେହେରା, ନବକିଶୋର ସାହୁ, କ୍ଷିତୀଶ ଚନ୍ଦ୍ର ବିଶ୍ବାଳ, ବଲ୍ଲଭ ପେଣ୍ଠେଇ ପ୍ରମୁଖ ଦାବି କରିଛନ୍ତି।