ଯାଜପୁର/ଧର୍ମଶାଳା: ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର କେଳେଙ୍କାରୀଙ୍କୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚୋରା ଓ ବେଆଇନ୍ ଖାଦାନରେ ୧୪୪ଧାରା ଜାରି କରିବାରେ ଲାଗିଛି। ଆଜି ଧର୍ମଶାଳା ଥାନା ଅଧୀନ ଆରୁହା ପାହାଡ଼ରେ ୧୪୪ଧାରା ଜାରି କରାଯାଇଛି। ଏଠାରୁ ବ୍ୟାପକ କଳାପଥର ଚୋରି ହେଉଥିବା ‌ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଶେଷରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି ହୋଇଛି।

Advertisment

ପ୍ରକାଶ ଥାଉକି ଆରୁହା ପାହାଡ଼ର ୧୪୭ଏକର ମଧ୍ୟରୁ ମାତ୍ର ୮୩ଏକର ଲିଜ୍ ଅନ୍ୟ ସମସ୍ତ ଅଣଲିଜ୍ କ୍ଷେତ୍ର। ଆଜି ପାହାଡ଼ର ୩ଟି ପ୍ରବେଶପଥ ମଧ୍ୟରୁ ଗୋଟିଏ ସ୍ଥାନ ଜାବରା-ଆରୁହାତଳି ରାସ୍ତାରେ ପ୍ରଶାସନ ନାଲି ପତାକା ମାରିଛନ୍ତି। ଅନ୍ୟ ୨ଟି ସ୍ଥାନ ନାନପୁରଛକ ରାସ୍ତା ଓ ମୁରାରୀପୁର ରେଲଲାଇନ ରାସ୍ତାରେ କୌଣସି ନିର୍ଦେଶ ଦିଆଯାଇ ନାହିଁ। ଏଥିପୂର୍ବରୁ ଜେନାପୁର ଥାନା ଅଧୀନ ରାହାଡ଼ପୁର, ଡଙ୍କାରୀ, ଲୁଣିବର ଓ ବିଛାଖଣ୍ଡି ପ୍ରଭୃତି ପାହାଡ଼ରେ ୧୪୪ଧାରା ଜାରି କରାଯାଇଥିଲା। ଏହାସତ୍ତ୍ବେ ବିଛାଖଣ୍ଡିରୁ କଳାପଥର ଚୋରି ହେଉଥିଲା ଏବଂ ଜଙ୍ଗଲ ବିଭାଗ ଚଢ଼ଉ କରି ଗାଡ଼ି ଜବତ କରିଥିଲା।