ପଟ୍ଟାମୁଣ୍ତାଇ: ସ୍କୁଲ ପାଚେରି ନିର୍ମାଣକୁ ନେଇ ପଟ୍ଟାମୁଣ୍ତାଇ ପୌରପରିଷଦ ଅନ୍ତର୍ଗତ ୧୧ ନମ୍ବର ୱାର୍ଡରେ ତୁମୁଳକାଣ୍ଡ ଘଟିଛି। ଦୁଇପକ୍ଷ ମଧ୍ୟରେ ଗଣ୍ତଗୋଳରେ ୧୮ ଜଣ ପୁରୁଷ ଓ ମହିଳା ଆହତ ହୋଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଆକ୍ରମଣକାରୀଙ୍କ ଗିରଫ ଦାବିରେ ଶତାଧିକ ଲୋକ ଥାନା ଘେରାଉ କରିଛନ୍ତି। ଥାନା ଘେରାଉ ସହ ଡାକବଙ୍ଗଳା ଛକ ଓ ପୋଲପାଖ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ତାଇ ସହରରେ ୧୪୪ ଧାରା ଲଗାଯିବା ସହ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପଟ୍ଟାମୁଣ୍ତାଇ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଥାନା ଘେରାଉ କରିଥିବା ଶତାଧିକ ମହିଳାଙ୍କୁ ବୁଝାସୁଝା କରି ଶାନ୍ତି କମିଟି ଜରିଆରେ ଆଲୋଚନା କରାଯାଇ ପଦକ୍ଷେପ ନେବାକୁ କୁହାଯିବା ପରେ ଥାନା ଘେରାଉରୁ ମହିଳା ମାନେ ହଟିଛନ୍ତି। ଦୁଇପକ୍ଷର ୨ ଜଣଙ୍କୁ ପୁଲିସ ଗିରଫ କରିଛି। ପଟ୍ଟାମୁଣ୍ତାଇ ବସ୍ତି ସହ ସହରର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯିବା ସହ ସମଗ୍ର ସହରରେ ପୁଲିସ ଫ୍ଲାଗମାର୍ଚ କରିଛି।
ପଟ୍ଟାମୁଣ୍ତାଇ ବସ୍ତିରେ ଥିବା ଏକ ସ୍କୁଲର ପାଚେରି ନିର୍ମାଣ କାମକୁ ନେଇ ଏହି ବିବାଦ ଦେଖାଯାଇଥିଲା। ଗତକାଲି ଗୋଟିଏ ଗୋଷ୍ଠୀର ଜଣେ ଲୋକ ଏକ ଗାଡି ନେଇଯିବା ସମୟରେ ରାସ୍ତା ଉପରେ ନିର୍ମାଣ ପାଇଁ ଗୋଡି ଓ ସିମେଣ୍ଟ ଗୋଳା ଯାଉଥିବାରୁ ତାହାର ପ୍ରତିବାଦ କରିଥିଲେ। ଫଳରେ ସେଠାରେ କାମ କରୁଥିବା ଲୋକଙ୍କ ସହିତ ତାଙ୍କର ମାଡ଼ପିଟ୍ ହୋଇଥିଲା। ପରେ ପାଚେରି କାମ ନେଇଥିବା ଗୋଷ୍ଠୀର ଲୋକେ ଏକଜୁଟ ହୋଇ ବିଭିନ୍ନ ମାରଣାସ୍ତ୍ର ଧରି ଅପର ପକ୍ଷ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରୁ ମହିଳା ମାନେ ମଧ୍ୟ ବାଦ ପଡି ନଥିଲେ। ପୁଲିସ ସଂଯୁକ୍ତା ମଳ୍ଲିକଙ୍କ ଅଭିଯୋଗ ଅଧାରରେ ଏକ ମାମଲା ରୁଜୁ କରିଥିବା ବେଳେ ଲିଲି ବିବିଙ୍କ ଅଭିଯୋଗ କ୍ରମେ ଅନ୍ୟ ଏକ ମାମଲା ରୁଜୁ କରିଛି। ପୁଲିସ ଉତ୍ତମ ମଳିକ ଓ ସେକ ପପୁକୁ ଗିରଫ କରିଛି। କେନ୍ଦ୍ରାପଡା ଅତିରିକ୍ତ ଏସପି ଗାଗାରିନ ମହାନ୍ତି, ପଟ୍ଟାମୁଣ୍ତାଇ ଏସଡିପିଓ ରଂଜନ କୁମାର ଦେ, ଥାନା ଆଇଆଇସି ବିଲ୍ବମଙ୍ଗଳ ସେଠୀ, ତହସିଲଦାର ଦିଲ୍ଲୀପ କୁମାର ସେଠୀ ପ୍ରମୁଖ ଘଟଣାସ୍ଥଳରେ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। କେନ୍ଦ୍ରାପଡ଼ା ଉପ-ଜିଲ୍ଲାପାଳ ନିରଂଜନ ବେହେରା, ପଟ୍ଟାମୁଣ୍ଡାଇ ଏସ୍ଡିପିଓ ରଂଜନ କୁମାର ଦେ, ଆଇଆଇସି ବିଲ୍ବମଙ୍ଗଳ ସେଠୀ ପ୍ରମୁଖଙ୍କ ନେତୃତ୍ବରେ ଥାନା ପରିସରରେ ଶାନ୍ତି କମିଟିର ବୈଠକ ଡକାଯାଇ ସମସ୍ୟାର ସମାଧାନ ଉଦ୍ୟମ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/8-3.jpg)