ବାରିପଦା: ଆଜି ଥିଲା ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ କରୋନା କଟକଣା ସତ୍ତ୍ବେ ୨ୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦା ହୋଇପଡ଼ିଥିଲା ଚଳଚଞ୍ଚଳ। ପ୍ରଶାସନ ପକ୍ଷରୁ ରଥଖଳାରେ ୧୪୪ ଧାରା ଜାରି କରାଯାଇଥିଲା। କୋଭିଡ୍ କଟକଣା ମଧ୍ୟରେ ପବିତ୍ର ଘୋଷଯାତ୍ରା ପାଇଁ ଆଜି ଅକ୍ଷୟ ତୃତୀୟ ଅବସରରେ ତିନି ଠାକୁରଙ୍କ ରଥର ଚକରେ ଅଖ ଲାଗି ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିସହିତ ୨୧ ଦିନିଆ ଚନ୍ଦନଯାତ୍ରାର ଶୁଭାରମ୍ଭ ହୋଇଛି। ପବିତ୍ର ଶ୍ରୀପଞ୍ଚମୀ ତିଥିରେ ଶ୍ରୀଶ୍ରୀଶ୍ରୀହରି ବଳଦେବଜୀଉ ବିଜେ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ହେବା ପରେ ଆଜି ରଥର ଅଖରେ ଚକ ଲାଗି ହୋଇଛି। ଏହି ଅବସରରେ ମନ୍ଦିରରେ ମହାପ୍ରଭୂଙ୍କ ନିକଟରେ ସନ୍ଧ୍ୟା ଆଳତୀ ଶେଷ ହେବା ପରେ ପରିଚ୍ଛା ଦୁର୍ଗା ଚରଣ ଜିତ୍ ବାବୁଙ୍କ ଅନୁପସ୍ଥିତିରେ ବଡ଼ଠାକୁରଙ୍କ ପୂଜାପଣ୍ଡା ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ନେବା ସହ ମହାପ୍ରଭୁ ବାସୁଦେବଙ୍କ ସହ ଆସି ରଥଖଳାରେ ପହଞ୍ଚି ଅଖକୁ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ପୂଜକମାନେ ପହଣ୍ଡିରେ ମଦନମୋହନ ମହାପ୍ରଭୁ ଓ ବାସୁଦେବ ଠାକୁରଙ୍କ ସହିତ ଗଜଦଣ୍ଡ ନେଇଥିଲେ।
ପ୍ରଥମେ ମଦନମୋହନ ମହାପ୍ରଭୁ ମନ୍ଦିରର ମେଘନାଦ ପାଚେରୀରେ ଥିବା ଚାରିଣୀ ମଣ୍ଡପ ସିଂହାସନରେ ବସି ରଥଖଳା ଦେଖିଥିଲେ। ତା’ପରେ ବିଶ୍ୱକର୍ମା ଠାକୁର ଓ ତାଙ୍କର ଗଜଦଣ୍ଡ ନେଇ ପୂଜକ ରଥକଳାକୁ ବିଜେ କରିଥିଲେ। ପରେ ପ୍ରଥମେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥର ଅଖରେ ଚକ ଲାଗି ହୋଇଥିଲା। ଏହାପରେ ମହାପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଚକ ଲାଗି ହୋଇଥିଲା। ଏହି ସମୟରେ ମନ୍ଦିରର ସେବାୟତ ଦେବୋତ୍ତର ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2021/05/IMG-20210515-WA0053-300x225.jpg)
ସେହିପରି ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା ନିମନ୍ତେ ଅଖରେ ଚକ ଲାଗି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ଶେଷ ହୋଇଥିଲା। ପୁରୀରେ ୨୧ଦିନିଆ ଚନ୍ଦନଯାତ୍ରାରେ ପ୍ରତିଦିନ ଚାପଖେଳ ହେଉଥିବାବେଳେ ଏଠାରେ ଶେଷ ତିନି ଦିନରେ ତିନିଠାକୁର ଚାପ ଖେଳିଥାଆନ୍ତି। ମାତ୍ର ଏହି ଯାତ୍ରାର ଅନ୍ତିମ ତିନିଦିନକୁ ବାରିପଦାରେ ଓଲଟ ଚନ୍ଦନଯାତ୍ରା କୁହାଯାଇଥାଏ। ଆଜି ପାରମ୍ପରିକ ନୀତି ଅନୁଯାୟୀ ଶ୍ରୀଜୀଉମାନଙ୍କ ଦୈନନ୍ଦିନ ନୀତି ସହ ଅପରାହ୍ନରେ ଯାତଭୋଗ ନୀତି ସମ୍ପନ୍ନ ହୋଇଥିଲା।
ଏହା ସହିତ ତିନିପୂଜକ କଂସା ଥାଳିଆରେ ଚନ୍ଦନ ଓ ଗାମୁଛା ନେଇ ବେଢା ପରିକ୍ରମା କରିବା ପରେ ମନ୍ଦିର ତିନିପୂଜକ ଚଳନ୍ତି ଠାକୁର ମନ୍ଦନମୋହନ, ଶ୍ରୀଦେବୀ ଓ ମାତାଭୂଦେବୀଙ୍କୁ ନେଇ ସ୍ଥାନୀୟ ହେମସାଗର ପୁଷ୍ପରଣୀକୁ ଚନ୍ଦନଯାତ୍ରା ପାଇଁ ନେଇଥିଲେ। ସେଠାରୁ ସ୍ନାନସାରି ଦେଉଳକୁ ଫେରି ଚନ୍ଦନପୂଜା ଯାତ୍ରା କରାଯାଇଥିଲା। ମନ୍ଦିରର ସମସ୍ତ ସେବାୟତମାନେ ପୂଜାସେବା ନୀତିରେ ସହଯୋଗ କରିଥିଲେ।