ଖୋର୍ଦ୍ଧା: ଶ୍ରୀମନ୍ଦିର ପ୍ରଶାସନ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥଙ୍କ ଜମିରେ ଥିବା ୧୪୭ଟି କ୍ରସର ୟୁନିଟ୍କୁ ବନ୍ଦ କରିବାକୁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖିଛି । ତେବେ ଏନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଠିକ ସୂଚନା ଦେବାରେ ଅକ୍ଷମ ଥିବା ବେଳେ କ୍ରସରମାଲିକ ସଂଘ ଏଥିପାଇଁ ପ୍ରଶାସନର ଅବହେଳାକୁ ଦାୟୀ କରିଛି । ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ ଶ୍ରୀଜଗନ୍ନାଥଙ୍କ ଜମିରେ ଥିବା ୨୩୨ଟି କ୍ରସର ମଧ୍ୟରୁ ୫୨ଟି କ୍ରସର ୟୁନିଟ୍ ନବୀକରଣ ପାଇଁ ଆବେଦନ କରିବା ସହ ନିର୍ଦ୍ଧାରିତ ଅର୍ଥ ଜମା କରିଛନ୍ତି । ବଳକା ୧୪୭ଟି ୟୁନିଟ୍ ଆବେଦନ କିମ୍ବା ଜମାଟଙ୍କା ଦାଖଲ କରିନାହାନ୍ତି । ଖିଲାପ କରିଥିବା କ୍ରସର ୟୁନିଟ୍ଗୁଡ଼ିକର ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରିବା ସହ ସେଗୁଡ଼ିକୁ ଦିଆଯାଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରମାଣପତ୍ରକୁ ଖାରଜ କରିବାକୁ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡକୁ ସୂଚିତ କରାଯାଇଛି ।
କେବଳ ଏହାନୁହେଁ ବକେୟା ଆଦାୟ ପାଇଁ ଓପିଡିଆର୍ ଆଇନାନୁସାରେ ଉକ୍ତ ଖିଲାପକାରୀ କ୍ରସର ୟୁନିଟ୍ ବିରୋଧରେ ମାମଲା ରୁଜୁ କରିବାକୁ ଉପଜିଲ୍ଲାପାଳଙ୍କୁ କୁହାଯାଇଛି । ତେବେ ଏନେଇ ଉପଜିଲ୍ଲାପାଳ ଦୀପ୍ତି ରଂଜନ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ନିର୍ଦ୍ଦେଶ ନେଇ ସେ ସଠିକ କିଛି ଜାଣନ୍ତି ନାହିଁ । ଆସନ୍ତାକାଲି ଫାଇଲ୍ ଦେଖିବା ପରେ ଏନେଇ କିଛି ପ୍ରତିକ୍ରିୟା ଦେଇପାରିବେ । ଅପରପକ୍ଷରେ ଜିଲ୍ଲା କ୍ରସର ମାଲିକ ସଂଘର କାର୍ଯ୍ୟକାରୀ ସଭାପତି ତଥା ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ କହିଛନ୍ତି ଯେ ୫୮ଟି କ୍ରସର ୟୁନିଟ ନବୀକରଣ ପାଇଁ ଆବେଦନ କରିବା ସହ ନିର୍ଦ୍ଧାରିତ ଟଙ୍କା ଜମା କରିଛନ୍ତି, କିନ୍ତୁ ସେଗୁଡ଼ିକୁ ଏଯାଏଁ ପ୍ରଶାସନ ପକ୍ଷରୁ କ୍ଲିୟରାନ୍ସ ମିଳିନାହିଁ ।
ସେହିଭଳି ଜିଲ୍ଲାର ୪୨ଟି ଖଣି ମଧ୍ୟରୁ ୩ଟି ବ୍ୟତୀତ ଆଉ କାହାରିକୁ ବିସ୍ଫୋରଣ ଅନୁମତି ମିଳିନଥିବାରୁ ପଥର ମିଳୁନାହିଁ । କଂଚାମାଲ ଅଭାବରେ ଯେଉଁ କ୍ରସର ୟୁନିଟ୍ ଗୁଡ଼ିକ ପୂର୍ବବର୍ଷ ଯାଏଁ ନବୀକରଣ କରିବା ସହ ଜମାଟଙ୍କା ଦେଇଥିଲେ ସେମାନେ କ୍ରସର ୟୁନିଟ୍ ଚଳାଇନପାରି ଆର୍ଥିକ କ୍ଷତି ସହିଛନ୍ତି । ବର୍ତ୍ତମାନ ସେମାନଙ୍କୁ ପୁଣି ନବୀକରଣ ପାଇଁ ଆବେଦନ ଓ ଟଙ୍କା ଜମା ଦେବାକୁ କୁହାଯାଉଛି । ପ୍ରାୟ ୩୫ଟି କ୍ରସରୟୁନିଟ୍ ମାଲିକ କ୍ରସର ଚଳାଇନପାରି ଅନ୍ୟ ଜଣକୁ ହସ୍ତାନ୍ତର କରିବାକୁ ଆବେଦନ କରିଛନ୍ତି । ସେହି କ୍ରସର ୟୁନିଟଗୁଡ଼ିକର ମାଲିକାନା ପରିବର୍ତନ ପାଇଁ ଆବେଦନ ପ୍ରଶାସନ ନିକଟରେ ପଡ଼ିରହିଛି ଓ ଏହା ସହ ସେମାନଙ୍କ ବକୟା ଅର୍ଥ ମଧ୍ୟ ୫-୭ ଧରି ବଢ଼ିବଢ଼ି ଚାଲିଛି । ସମସ୍ତ ବକେୟା ଟଙ୍କା ଦେବାକୁ ସଂଘ ପ୍ରସ୍ତୁତ, କିନ୍ତୁ ଏଥିପାଇଁ ପ୍ରଶାସନ ମଧ୍ୟ ଅଟକି ଥିବା ଆବେଦନକୁ ତୁରନ୍ତ ଅନୁମତି ଦେବା ଆବଶ୍ୟକ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Crusher-unit-FIle-photo-khordha.jpeg)