ଆଇଆରଇ ସ୍ୱରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ୧୫ ଜଣ ଗ୍ରାମବାସୀ ଗିରଫ

ଛତ୍ରପୁର: ଭାରତୀୟ ବିରଳ ମୃତ୍ତିକା ସଂସ୍ଥା (ଆଇଆରଇ) ପକ୍ଷରୁ ଚାଲିଥିବା ସ୍ୱରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜାଉଥିବା ନେଇ ମାଟିଖାଲ ଗ୍ରାମର ୧୫ ଜଣ ଦଳିତ ଗ୍ରାମବାସୀଙ୍କୁ ଚମାଖଣ୍ଡି ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ୧୫ ଜଣ ଦଳିତ ଗ୍ରାମବାସୀଙ୍କ ମଧ୍ୟରୁ ୭ ଜଣ ଦଳିତ ମହିଳା ଥିବା ଜଣାପଡିଛି । ଆଇଆରଇ ପକ୍ଷରୁ ନିର୍ମାଣ ଚାଲିଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରୁଥିବା ବେଳେ ନିର୍ମାଣାଧୀନ ସ୍ଥାନରେ ଗିରଫ ହୋଇଥିବା ଗ୍ରାମବାସୀ ବେଆଇନ ଭାବେ ଆନ୍ଦୋଳନ ଜାରି ରଖିଥିଲେ । ଯାହା ଫଳରେ କମ୍ପାନି କାର୍ଯ୍ୟରେ ବହୁ ସମସ୍ୟା ଦେଖା ଦେଉଥିଲା । ଏନେଇ ସେମାନଙ୍କୁ ଆନ୍ଦୋଳନ ସ୍ଥଳରୁ ଗିରଫ କରାଯାଇ ୧୪୫ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଥିବା ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତା ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଛତ୍ରପୁର ତହସିଲ ଅଧୀନ ଆଇଆରଇ ବିରୋଧରେ ଦଳିତଙ୍କ ଦ୍ୱାରା ଶ୍ରୀରାମଚନ୍ଦ୍ରପୁର ମୌଜାର କିଛି ଜମିକୁ ଜବରଦଖଲ ଅଭିଯୋଗକୁ ନେଇ ଛକାପଞ୍ଝା ଲାଗି ରହିଛି । ଦଳିତ ପରିବାରଙ୍କ ଅଭିଯୋଗ ହେଉଛି, ପୁରୁଷାନୁକ୍ରମେ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଉକ୍ତ ଜମିକୁ ଆଇଆରଇ ଜବରଦଖଲ କରି ମାଟି ଖୋଳି ନଷ୍ଟ କରି ଦେଇଛି ।

ଅନ୍ୟପକ୍ଷରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଏହି ବାବଦରେ ସେମାନଙ୍କ ନିକଟରେ କିଛି ରେକର୍ଡ ପତ୍ର ଯଦି ଅଛି ତାହାକୁ ପ୍ରଶାସନ ନିକଟରେ ହସ୍ତା‘ର କରାଯାଉ ତେବେ ସେ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନିଆଯିବ । କିନ୍ତୁ ଦଳିତ ପରିବାରଙ୍କ ପକ୍ଷରୁ ତହସିଲଦାରଙ୍କ ନିକଟରେ କୌଣସି ରିପୋର୍ଟ ତଥା ପ୍ରମାଣପତ୍ର ଦାଖଲ ନ କରି ଏହାକୁ କୋର୍ଟରେ ପରିବେଷଣ କରାଯିବ ବୋଲି ଖହି ଆଲୋଚନାରୁ ଉଠି ଚାଲି ଯାଇଥିଲେ ।

ସେହିପରି ଆଇଆରଇ ପକ୍ଷରୁ ସୁରେଶ ଚନ୍ଦ୍ର ପାତ୍ର ଦଳିତ ପରିବାରଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଆଇଆରଇ ବହୁବର୍ଷ ପୂର୍ବରୁ ସରକାରୀ ଓ ବେସରକାରୀ ୧୮୪ ଏକର ଜମିକୁ କ୍ରୟ କରିଛି । କନ୍ତୁ ଉକ୍ତ ଜମି ସେମାନଙ୍କର ନୁହଁ । ସେମାନେ ପ୍ରାୟ ୪୦ ବର୍ଷ ପୂର୍ବରୁ ଉକ୍ତ ଜମିକୁ ଆଇଆରଇକୁ ବିକ୍ରି କରିଛନ୍ତିି । ସେଠାରେ ଆଇଆରଇ କଲୋନି, ସ୍କୁଲ, ଖେଳପଡିଆ ଆଦି କରାଯାଇଥିବା ସହ ଖାଲି ଜମିକୁ ପାଚେରି ବେଢାଇ ରଖାଯାଇଛି ।

ସମ୍ବନ୍ଧିତ ଖବର