ବିଲରେ କାମ ସାରି ଘରକୁ ଫେରିବା ବେଳେ ଦୁର୍ଘଟଣା: ୨ ପିକ୍‌-ଅପ୍‌ ଭ୍ୟାନ୍‌ ମୁହାଁମୁହିଁ, ୧୫ ଶ୍ରମିକ ଗୁରୁତର

ଆନନ୍ଦପୁର: କେନ୍ଦୁଝର ସୀମାନ୍ତ ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତା ସାତକୋଶିଆ ପଥୁରିଆସାହିରେ ଆଜି ଅପରାହ୍ନରେ ୨ଟି ପିକ୍‌-ଅପ୍‌ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୫ ଜଣ ଶ୍ରମିକ ଆହତ ହୋଇଥିବା ଜଣାଯାଇଛି। ସମସ୍ତ ଆହତମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଦୁର୍ଘଟଣାର ଶିକାର ହୋଇଥିବା ଶ୍ରମିକମାନେ ଧାନ ବିଲରେ କାମ ସାରି ଘରକୁ ଫେରୁଥିଲେ।

ସୂଚନା ଅନୁସାରେ ମହୁଲଡିହା ଥାନା ଅନ୍ତର୍ଗତ ବାଗଦଫା ଗାଁର ମହିଳାମାନେ ଆଜି ଏକ ପିକ୍‌-ଅପ୍‌ରେ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳକୁ ବିଲରେ ଧାନ ତଳି ରୋଇବାକୁ ଯାଇଥିଲେ। ସେମାନେ ଅପରାହ୍ନରେ କାମ ସାରି ଏକ ପିକ୍‌ଅପ୍‌ରେ ଘରକୁ ଫେରୁଥିଲେ। ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ପଥୁରିଆସାହି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଣ୍ଡା ବୋଝେଇ ପିକ୍‌-ଅପ୍‌ ଭ୍ୟାନ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ତେବେ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର