ପୁଲିସ ଓ ଆୟକର ବିଭାଗ ଭୟ ଦେଖାଇ ବୃଦ୍ଧଙ୍କଠାରୁ ୧୫ ଲକ୍ଷ ଠକେଇ 

ଯୁବକ ଗିରଫ, ୮ ଲକ୍ଷ ୭୦ ହଜାର ଟଙ୍କା ଜବତ

ଝାରସୁଗୁଡ଼ା : ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭୟ ଦେଖାଇ ତାଙ୍କ ଆକାଉଣ୍ଟରେ ଥିବା ୧୫ ଲକ୍ଷ ଟଙ୍କା ଠକି ନେଇଥିବ‌ା ଜଣେ ଯୁବକ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଶ୍ରୀପୁରା ଗ୍ରାମର ଲଖୀନ୍ଦ୍ର ପୋଢ଼ (୩୫)କୁ ପୁଲିସ ଗିରଫ କରିଛି। ଶ୍ରୀପୁରା ଗ୍ରାମରେ ଶିକ୍ଷକତା କରି ୧୯୯୫ ମସିହାରୁ ଅବସର ନେଇ ଏକାକୀ ରହୁଥିବା ପ୍ରସନ୍ନ ଦୀକ୍ଷିତ (୮୩)ଙ୍କଠାରୁ ଅଭିଯୁକ୍ତ ଲଖୀନ୍ଦ୍ର ଏହି ଟଙ୍କା ହାତେଇଥିବା ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ଉଭୟେ ଗୋଟିଏ ଗ୍ରାମର ହୋଇଥିବା ବେଳେ ଏକାକୀ ରହୁଥିବାରୁ ପ୍ରସନ୍ନ ଓ ଲଖୀନ୍ଦ୍ର ମଧ୍ୟରେ ଭଲ ସଂପର୍କ ଥିଲା। ପ୍ରସନ୍ନ କେଉଁଠିକୁ ଗଲେ ଲଖୀନ୍ଦ୍ର ତାଙ୍କୁ ନେବାଆଣିବା କରୁଥିଲା। ପ୍ରସନ୍ନଙ୍କ ଆକାଉଣ୍ଟରେ ଟଙ୍କା ଥିବା କଥା ମଧ୍ୟ ଲଖୀନ୍ଦ୍ର ଭଲ ଭାବେ ଜାଣିଥିଲା। ଗତ ୪ ତାରିଖ ଦିନ ଲଖୀନ୍ଦ୍ର ଏକ ବ୍ୟାଗ ନେଇ ପ୍ରସନ୍ନଙ୍କ ଘରେ ରାତିରେ ରଖିଥିଲା ଓ ତାକୁ ପରଦିନ ସକାଳେ ନେଇଥିଲା। ୫ ତାରିଖ ସନ୍ଧ୍ୟାରେ ଲଖୀନ୍ଦ୍ର ଆସି ପ୍ରସନ୍ନଙ୍କୁ ସେ ରାତିରେ ରଖିଥିବା ବ୍ୟାଗକୁ ପୁଲିସ ଓ ଆୟକର ବିଭଗ ଜବତ କରି ନେଇଥିବା କହିଥିଲା। ଉକ୍ତ ବ୍ୟାଗରେ କଳା ଟଙ୍କା ଥିବାରୁ  ଆୟକର ପିଛା କରି ତାକୁ ପୁଲିସ ସହାୟତାରେ ଜବତ କରି ନେଇଥିବା ବେଳେ ‌ତାକୁ ଗିରଫ କରିବାକୁ ଖୋଜୁଥିବା କହିଥିଲା। ଏହି ଘଟଣାରେ ପୁଲିସ ତାକୁ ଗିରଫ କରିବା ସହିତ ପ୍ରସନ୍ନଙ୍କୁ ମଧ୍ୟ ଗିରଫ କରିବ ବୋଲି ଭୟଭୀତ କରିଥିଲା। ଗିରଫ ହେଲେ ଆଜୀବନ ଜେଲ ହେବା ଭୟ ବି ଦେଖାଇଥିଲା। ପରେ ପ୍ରସନ୍ନଙ୍କ ପାଖକୁ ପୁଲିସ ଓ ଆୟକର ବିଭାଗ ନାମରେ ଫୋନ୍‌ କଲ ଆସିଥିଲା। ଏହି ଫୋନ୍‌ରେ ମଧ୍ୟ ପ୍ରସନ୍ନଙ୍କୁ ଗିରଫ କରିବା ଭୟ ଦେଖାଇ ତାଙ୍କୁ ୨ ଲକ୍ଷ ଟଙ୍କା ଦେଇ ମାମଲା ରଫାଦଫା କରି ଦେବାକୁ ପ୍ରବର୍ତ୍ତାଇ ଥିଲେ। ଏଥିରେ ସେ ରାଜି ହୋଇ ଗତ ୬ ତାରିଖ ଦିନ ୨ ଲକ୍ଷ ଟଙ୍କା ଲଖୀନ୍ଦ୍ରକୁ ଦେଇ ମାମଲା ବନ୍ଦ କରିବାକୁ କହିଥିଲେ। ଗିରଫ ଭୟ ଦେଖାଇ ବାରମ୍ବାର ଲଖୀନ୍ଦ୍ର, ପ୍ରସନ୍ନଙ୍କୁ ଟଙ୍କା ମାଗି ବସିଲା। ଫୋନ୍‌ କଲ୍‌ ମଧ୍ୟ ବାରମ୍ବାର ଆସୁଥିଲା। ୬ ତାରିଖରୁ ୨୩ ତାରିଖ ମଧ୍ୟରେ ୧୫ ଲକ୍ଷ ଟଙ୍କା ପ୍ରସନ୍ନଙ୍କ ପାଖରୁ ଲଖୀନ୍ଦ୍ର ଠକି ନେଇସାରିବା ପରେ ପୁଣି ଟଙ୍କା ମାଗିଥିଲା। ତେଣେ ମଙ୍ଗଳବଜାର ସ୍ଥିତ ସମ୍ବଲପୁର ସମବାୟ ବ୍ୟାଙ୍କ ଶାଖାରେ ଥିବା ତାଙ୍କ ଆକାଉଣ୍ଟରୁ ପ୍ରସନ୍ନ ବାରମ୍ବାର ଟଙ୍କା ଉଠାଉଥିବାରୁ ବ୍ୟାଙ୍କ ପରିଚାଳକଙ୍କ ସନ୍ଦେହ ହୋଇଥିଲା ଓ ସେ ତାଙ୍କୁ ଟଙ୍କା ଦେବା ବନ୍ଦ କରି ଦେଇଥିଲେ। ବ୍ୟାଙ୍କରୁ ଟଙ୍କା ନ ମିଳିବାରୁ ପ୍ରସନ୍ନ ନିଜ ନାତି ସ୍ବାଗତ ନାୟକଙ୍କୁ ୭୦ ହଜାର ଟଙ୍କା ଧାର ମାଗିଥିଲେ। ଅଜା ପାଖରେ ଟଙ୍କା ଥିବା ବେଳେ ସେ କାହିଁକି ମାଗୁଛନ୍ତି ଜାଣିବା ପାଇଁ ସ୍ବାଗତ ଏହି କଥା ଏମ୍‌ସିଏଲ୍‌ରେ ଚାକିରି କରୁଥିବା ମାମୁଁ ଆଦି ନାରାୟଣ ଦୀକ୍ଷିତ (ପ୍ରସନ୍ନଙ୍କ ପୁଅ)ଙ୍କୁ ଜଣାଇଥିଲେ। ପୁଅ ଏହି ବିଷୟ ବାପାଙ୍କୁ ପଚାରିବାରୁ ପ୍ରସନ୍ନ ସବୁକଥା କହିଥିଲେ ଓ ଗିରଫ ଭୟରେ ସେ କିଭଳି ୧୫ ଲକ୍ଷ ଟଙ୍କା ‌ଲଖୀନ୍ଦ୍ରକୁ ଦେଇ ସାରିଛନ୍ତି କହିଥିଲେ। ଯଦ୍ବାରା ଠକେଇ ସାମ୍‌ନାକୁ ଆସିଥିଲା। ଏ ନେଇ ବଡ଼ମାଲ ଥାନାରେ ଅଭିଯୋଗ ପରେ ପୁଲିସ ଲଖୀନ୍ଦ୍ରକୁ ଗିରଫ କରି ତା’ ଘରେ ଥିବା ନଗଦ ୪ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା। ଏଥି ସହ ଲଖୀନ୍ଦ୍ର ନାଁରେ ୟୁନିଅନ ବ୍ୟାଙ୍କ ଆକାଉଣ୍ଟରେ ୪ ଲକ୍ଷ ଟଙ୍କା ଥିବା ବେଳେ ପୁଲିସ ଉକ୍ତ ଆକାଉଣ୍ଟକୁ ଫ୍ରିଜ କରିଛି। ଆଉ ୬ ଲକ୍ଷ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ସୁନା କ୍ରୟ କରିଥିବା ଲଖୀନ୍ଦ୍ର କହିଥିବା ବେଳେ ପୁଅ ପାଇଁ ବାଇକ୍‌ କିଣା, ମେଡିକାଲ ଖର୍ଚ୍ଚ, କିରାଣା ଦୋକାନ ଖର୍ଚ୍ଚ, ଧାର ଟଙ୍କା ପରିଶୋଧ ନେଇ ପୁଲିସକୁ ସଂପୂର୍ଣ୍ଣ ତଥ୍ୟ ଦେଇଛି। ତେବେ ଆହୁରି ଅଢ଼େଇ ଲକ୍ଷ ଟଙ୍କାର ହିସାବ ସେ ଦେଇ ପାରୁନଥିବା ପୁଲିସ କହିଛି। ଅଭିଯୁକ୍ତ ବିରୋଧରେ ଆଇପିସିର ୪୧୯, ୪୨୦, ୩୮୮, ୫୦୬ ଦଫାରେ ମାମଲା ରୁଜୁ କରି ତାକୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର