ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ମରୈଗାଁ ଛକରେ ଥିବା ଏକ ନୟନଜୋରୀକୁ ବେଆଇନ ଭାବେ ପୋତି ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ପାର୍କ ନିର୍ମାଣ କରାଯାଇଥିଲା। ଏବେ ଏହି ପାର୍କଟି ଘାସବୁଦାରେ ଭର୍ତ୍ତି ହୋଇଥିବା ବେଳେ ଅନାବନା ଗଛଲତା ମାଡ଼ିଗଲାଣି।

Advertisment

ତିନିବର୍ଷ ତଳେ ମରୈଗାଁଛକର ରାସ୍ତାକଡ଼ରେ ଥିବା ଏକ ନୟନଜୋରୀକୁ ମନରେଗା ଅନୁଦାନରେ ପୋତାଯାଇ ପାର୍କ ନିର୍ମାଣ କରାଯାଇଥିଲା। ଉପଯୁକ୍ତ କାମ ନ ହୋଇ ଅନୁଦାନ ରାଶି ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପହଞ୍ଚି ତଦନ୍ତ କରିଥିଲେ। ପରେ ପୁଣି କିଛି କାମ କରାଯାଇ ଏଠାରେ କିଛି ଫୁଲଗଛ ଲଗାଯାଇଥିଲା। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏବେ ପାର୍କଟି ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଯାଇଛି। ଅନ୍ୟପକ୍ଷରେ ପୂର୍ବରୁ ଏହି ନୟନଜୋରୀ ଦେଇ ବର୍ଷାଜଳ ନିସ୍କାସନ ହେଉଥିଲା। ଏହାକୁ ପୋତିଦେବା ପରେ ଆଉ ବର୍ଷାଜଳ ନିସ୍କାସନ ହୋଇପାରୁ ନାହିଁ। ମରୈଗାଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି। ଫଳରେ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି।

ଏ ସମ୍ପର୍କରେ ପୂର୍ବତନ ବିଧାୟକ ଜୟଦେବ ଜେନା କହିଛନ୍ତି, ନୟନଜୋରୀକୁ ବେଆଇନ ଭାବେ ପୋତାଯାଇଛି। ଟଙ୍କା ହଡ଼ପ କରିବାପାଇଁ ଏପରି କରାଯାଇଛି। ଏହାଦ୍ୱାରା ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି। ସେହିପରି ବିଜେପି ନେତା ଆଲୋକ ସେଠୀ ମଧ୍ୟ ଏହାକୁ ଦୃଢ଼ ବିରୋଧ କରିଛନ୍ତି। ଏହି ରାସ୍ତା ଦେଇ ଲୋକେ ସମବାୟ ସମିତି କାର୍ଯ୍ୟାଳୟ, ଥାନା ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟାତ କରୁଛନ୍ତି। ୫-ଟି ପଞ୍ଚାୟତର ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ପାର୍କ ନିର୍ମାଣ ନାଁରେ ନୟନଜୋରୀକୁ ପୋତିଦେବା କେତେଦୂର ଯଥାର୍ଥ ବୋଲି ଶ୍ରୀ ସେଠୀ କହିଛନ୍ତି।