ଗଠନ ହୋଇପାରୁନି ୧୫ ଜଣିଆ କମିଟି: ନିର୍ବାଚନ ପରେ ସୁପ୍ତ ଅବସ୍ଥାରେ ଏସଡିସି

୨୦୧୯ ପରଠୁ ଆସିନି ଟଙ୍କାଟିଏ ଅନୁଦାନ, ୧୧ ବ୍ଲକରେ ବହୁ ପ୍ରକଳ୍ପ ଅଧପନ୍ତରିଆ

ରାୟଗଡା: ସାଧାରଣ ନିର୍ବାଚନ ପୂର୍ବରୁ ଗଠନ ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)। ଆଦିବାସୀଙ୍କ କଳା, ସଂସ୍କୃତିର ବିକାଶ ଓ ପୁନରୁଦ୍ଧାର ପାଇଁ ବ୍ଲକ୍ ପିଛା ସରକାର ଦେଢ଼ କୋଟିର ଅନୁଦାନ ଯୋଗାଇ ଦେଲେ। ବ୍ଲକସ୍ତରୀୟ ଉତ୍ସବ ଆୟୋଜନ ସହ ବର୍ଷକ ମଧ୍ୟରେ ବଦଳିଗଲା ଆଦିବାସୀ ଗାଁ ଓ ପୀଠର ଚିତ୍ର। ହେଲେ ୨୦୧୯ ନିର୍ବାଚନ ପରଠୁ ସୁପ୍ତ ଅବସ୍ଥାକୁ ଚାଲିଯାଇଛି ପରିଷଦ। ଅଢ଼େଇ ବର୍ଷ ହେଲା ୧୫ ଜଣିଆ କମିଟି ଗଠନ ଦିଗରେ ସରକାର ଦୃଷ୍ଟି ଦେଉନଥିବାରୁ ଅଟକିଛି ବିକାଶ।

୨୦୧୮ ମାର୍ଚ୍ଚ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ଏହି ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ଯୁବ ଆଦିବାସୀ ନେତା ଜଗନ୍ନାଥ ନୁଣ୍ଡ୍ରୁକା ଦାୟିତ୍ବ ଗ୍ରହଣ କରିଥିଲେ। ୧୫ ଜଣିଆ କମିଟିରେ ରାୟଗଡ଼ା ବ୍ଲକରୁ ୨, ମୁନିଗୁଡାରୁ ଜଣେ, ବିଷମକଟକରୁ ୨, କୋଲନରାରୁ ଜଣେ, କଲ୍ୟାଣସିଂହପୁରରୁ ଜଣେ, ଚନ୍ଦ୍ରପୁରରୁ ଜଣେ, ଗୁଣପୁରରୁ ୨ ଜଣ, ଗୁଡାରିରୁ ଜଣେ, ପଦ୍ମପୁରରୁ ୨, କାଶୀପୁରରୁ ଜଣେ ସଦସ୍ୟ ରହିଥିଲେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ରାୟଗଡ଼ା ଜିଲ୍ଲାକୁ ୩୨ କୋଟିର ଅନୁଦାନ ଯୋଗାଇ ଦେଇଥିଲେ।

ପରିଷଦର ନୋଡାଲ୍ ଅଫିସର ରାୟଗଡ଼ା ପିଏ ଆଇଟିଡିଏକୁ ଚୟନ କରାଯାଇଥିଲା। ଅନୁଦାନ ପରେ ୧୧ ବ୍ଲକରେ ବିକାଶମୂଳକ କାମ ଆରମ୍ଭ କରାଯାଇ ଆଦିବାସୀଙ୍କ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ପୀଠ ଓ ସାଂସ୍କୃତିକ କ୍ଲବର ପୁନରୁଦ୍ଧାର କରାଯାଇଥିଲା। କିନ୍ତୁ ୨୦୧୯ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପରେ ପରିଷଦ ଭାଙ୍ଗିଯବା କାରଣରୁ ଏବେ ବିକାଶ ବାଟବଣା ହୋଇଛି। ୨୦୧୯ ପରଠୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରିଷଦକୁ ଟଙ୍କାଟିଏ ଅନୁଦାନ ଆସିନଥିବାରୁ କିଛି ପ୍ରକଳ୍ପର କାମ ସରିଥିବା ବେଳେ ଅନେକ ପ୍ରକଳ୍ପର ନିର୍ମାଣ ଶେଷ ହୋଇପାରିନି।

ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ନୂତନ ପରିଷଦ ଗଠନ ନେଇ ସରକାର ଆଶା ଦେଖାଇଥିଲେ ମଧ୍ୟ ଏଯାବତ୍ ଗଠନ ହୋଇପାରିନି। ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରିକୁ ଛାଡ଼ିଲେ ଅନ୍ୟ ୩ ଜିଲ୍ଲା ରାୟଗଡ଼ା, କୋରାପୁଟ, ନବରଙ୍ଗପୁରରେ ପରିଷଦ ଗଠନ ଝୁଲି ରହିଛି। ରାଜ୍ୟ ସରକାର ନିଗମ ଅଧ୍ୟକ୍ଷ ପଦବି ସହିତ ସାଙ୍ଗଠନିକ ପ୍ରକ୍ରିୟା ମାଧ୍ୟମରେ ସବୁ କମିଟି ଘୋଷଣା କରି ସାରିଲେଣି। ଜିଲ୍ଲାସ୍ତରର ଦଳୀୟ ନେତାଙ୍କୁ ରାଜ୍ୟ ଓ ଜିଲ୍ଲାସ୍ତରରେ ପଦ ପଦବି ଦେଇ ଥଇଥାନ କଲେଣି। ଅଥଚ ଏସଡିସି ଗଠନ ପାଇଁ କାହିଁକି ପଦକ୍ଷେପ ନେଉ ନାହାନ୍ତି ତାକୁ ନେଇ ଆଦିବାସୀ ନେତା ଆଶା ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି।

ଜଗନ୍ନାଥଙ୍କ ପରେ ଏସଡିସି ଅଧ୍ୟକ୍ଷ ପଦବି ଦୌଡ଼ରେ ଥିବା ଅନୁସୂୟା ମାଝିଙ୍କୁ ଦଳ ପୁଣି ଜିଲ୍ଲା ମହିଳା ସଭାନେତ୍ରୀ ଭାବେ ଚୟନ କରିଛି। ସେହିପରି ଶକୁନ୍ତଳା ମାଝିଙ୍କ ରାଜ୍ୟ ସଂପାଦିକା, ରାଜ୍ୟ ପରିଷଦ ସଦସ୍ୟ ଭାବେ ଜିଲ୍ଲା ପରିଷଦ ସଦସ୍ୟ ଅଶ୍ବିନୀ ଗମାଙ୍ଗଙ୍କୁ ଦଳ ମନୋନିତ କରିଛି। କିନ୍ତୁ ପୂର୍ବତନ ଅଧ୍ୟକ୍ଷ ଜଗନ୍ନାଥଙ୍କୁ ଦଳ ବଡ ପଦବିରେ ଥଇଥାନ କରିନାହିଁ। ଉଚ୍ଚ ଶିକ୍ଷିତ ଜଗନ୍ନାଥ ସମାଜସେବା ସହ ଆଦିବାସୀଙ୍କ ବିକାଶକୁ ଗୁରୁତ୍ବ ଦେଇ ଆସୁଥିବାରୁ ପରିଷଦ ଗଠନ ପରେ ପୁଣି ଅଧ୍ୟକ୍ଷ ଭାବେ ଥଇଥାନ ହୋଇପାରନ୍ତି। ସୂଚନାଯୋଗ୍ୟ, ୨୦୧୧ ଜନଗଣନା ଅନୁଯାୟୀ ଜିଲ୍ଲାର ଜନସଂଖ୍ୟା ୯ ଲକ୍ଷ ୬୮ ହଜାର ଥିବା ବେଳେ ସେଥି ମଧ୍ୟରୁ ୬ ଲକ୍ଷ ୮୧ ହଜାର ୪୧୯ କେବଳ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର।

ସମ୍ବନ୍ଧିତ ଖବର