ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘର ଏକ ସମ୍ମିଳନୀ ଆଜି ସିଭିକ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଉଗ୍ରସେନ କିସାନ ସଭାପତିତ୍ବ କରିଥିଲେ। ଉପସଭାପତି ଅଜିତ ତିର୍କୀ, ଭୁବନ କୁଜୁର, ସାଧାରଣ ସମ୍ପାଦକ ତ୍ରିଲୋଚନ ପ୍ରଧାନ, ସମ୍ପାଦକ ଅର୍ଜୁନ ଏକ୍କାଙ୍କ ସମେତ ବିନୟ ଭୁଷଣ ବାର୍ଲା ପ୍ରମୁଖ ମଞ୍ଚାସୀନ ଥିଲେ। ୧୦ଟି ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ସୁନ୍ଦରଗଡ଼ର ପ୍ରତ୍ୟେକ ପଞ୍ଚାୟତକୁ ବିଜୁଳି ସେବା ଯୋଗାଇ ଦିଆଯିବାକୁ ଦାବି ରଖାଯାଇଥିଲା।
ଏହାର ମାସିକ ବିଜୁଳି ବିଲ୍ ଡିଏମ୍ଏଫ୍ ପାଣ୍ଠିରୁ ପ୍ରଦାନ କରାଯିବାକୁ ମଧ୍ୟ କିଛି ସରପଞ୍ଚ ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ଏଥିସହ ବାର୍ଷିକ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ପାଇଁ ୨୦ ଲକ୍ଷ ଲେଖାଏଁ ପ୍ରଦାନ କରିବାକୁ ସରପଞ୍ଚମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଳେ। ପ୍ରତି ପଞ୍ଚାୟତକୁ ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସୁବିଧା ଉପଲବ୍ଧ କରିବା। ସରପଞ୍ଚମାନଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ପ୍ରଦାନ ସହ କାର୍ଯ୍ୟକାଳ ସମୟରେ ମୃତ୍ୟୁ ହେଲେ ସରପଞ୍ଚଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରପଞ୍ଚମାନେ ଦାବି କରିଥିଲେ। ୧୦ ଦଫା ସମ୍ବଳିତ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଛି। ସମ୍ମିଳନୀରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ସରପଞ୍ଚ ସାମିଲ ହୋଇଥିଲେ।