ରାଉରକେଲା: ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ରାସନ କାର୍ଡ। ଅଯୋଗ୍ୟ ହିତାଧକାରୀମାନେ ହାତଇଥିବା ରାସନ କାର୍ଡ ଜରିଆରେ କିନ୍ତୁ ମାସ ମାସ ଧରି ଚାଉଳ ଓ ଗହମ ଉଠାଉଛନ୍ତି। ରାଉରକେଲାରେ ଜଣେ କି ଦୁଇଜଣ ନୁହେଁ ଏମିତି ଅନେକ ଯୋଗ୍ୟ ହିତାଧିକାରୀମାନେ ଅଛନ୍ତି, ଯେଉଁମାନଙ୍କ ପାଖରେ ଆଜି ପର୍ଯ୍ୟନ୍ତ ରାସନ କାର୍ଡ ଖଣ୍ଡିଏ ନାହିଁ। ବାରମ୍ବାର ଯୋଗାଣ ଅଫିସକୁ ଦୌଡ଼ି ଦୌଡି ନୟାନ୍ତ ହେଲେଣି। କିନ୍ତୁ କିଛି ସୁଫଳ ମିଳୁନି। ଏମିତି ଜଣେ ମହିଳା ହେଲେ ରାଉରକେଲା ପ୍ରଧାନପାଲୀର ସୁଚିତ୍ରା କିସାନ।

Advertisment

ସେ କହିଛନ୍ତି, ମାସେ କି ଦୁଇ ମାସ ନୁହେଁ ପ୍ରାୟ ୧୫ ବର୍ଷ ଧରି ରାସନ କାର୍ଡ ଖଣ୍ଡିଏ ପାଇଁ ଯୋଗାଣ ଅଫିସକୁ ଦୌଡୁଛନ୍ତି। ଏମିତି କାର୍ଡ ଖଣ୍ଡିଏ ପାଇବାକୁ କିଛି ଜୁନି ନେତାଙ୍କୁ ୫୦୦୦ ଟଙ୍କା ଦେଇ ସାରିଲେଣି। ତଥାପି ତାଙ୍କର କାର୍ଡ ହୋଇପାରୁନି। ଯୋଗାଣ ଅଫିସର ବିଭାଗୀୟ ଅଧିକାରୀ କହୁଛନ୍ତି, ମହିଳାଙ୍କ ନାଁରେ ଲାଠିକଟାରେ କାର୍ଡ ଇସ୍ୟୁ ହୋଇଛି। କେହି ଜଣେ ହିତାଧିକାରୀ ତାଙ୍କ ନାଁରେ ମାସକୁ ମାସ ଚାଉଳ ଓ ଗହମ ଉଠାଇ ଖାଉଛନ୍ତି। ସୁଚିତ୍ରା ସବୁଠୁ ନିରାଶ ହେବା ପରେ ସ୍ଥାନୀୟ ସମାଜସେବୀ ମିନତୀ ଦେବତାଙ୍କ ପାଖରେ ପହଞ୍ଚିଥିଲେ। ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କରେ ମିନତୀ ଦେବତାଙ୍କୁ ସମସ୍ତ କଥା କହିଥିଲେ। ମିନତୀ ଦେବତା ସୁଚିତ୍ରାଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଭେଟିଥିଲେ। ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ମହାପାତ୍ରଙ୍କ ସୁଚିତ୍ରାଙ୍କ ଦୁଃଖ ଶୁଣିବା ପରେ ରାସନ କାର୍ଡ କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। କେବଳ ସୁଚିତ୍ରା ନୁହେଁ ସହରରେ ଏମିତି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନେ ମାସ ମାସ ଧରି ଯୋଗାଣ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ଏସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ତୁରନ୍ତ ରାସନ କାର୍ଡ ଯୋଗାଇ ଦେବାକୁ ଦାବି ହେଉଛି।