ଅଦା ବୋଝେଇ ଟ୍ରକରୁ ୧୯୦ କେଜି ଗଞ୍ଜେଇ ଜବତ 

ଡ୍ରାଇଭର, ହେଲପର ଗିରଫ, କୋରାପୁଟରୁ ଉତ୍ତରପ୍ରଦେଶକୁ ହେଉଥିଲା ଚାଲାଣ

ରାୟଗଡ଼ା: ଅଦା ବୋଝେଇ ଟ୍ରକରୁ ରାୟଗଡ଼ା ପୁଲିସ୍ ଆଜି ୧୯୦ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣରେ ସଂପୃକ୍ତ ଟ୍ରକର ଡ୍ରାଇଭର, ହେଲପରକୁ ପୁଲିସ୍ ଗିରଫ କରିଛି। ଜବତ ଟ୍ରକରେ ୨୦ ଟନ୍ ଅଦା ଥିବା ବେଳେ ଟ୍ରକଟି କୋରାପୁଟରୁ ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ବାହାର ରାଜ୍ୟର ଏକ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ରାୟଗଡ଼ା ପୁଲିସକୁ ସୂଚନା ମିଳିଥିଲା। ଟ୍ରକଟି ରାୟଗଡ଼ା ଦେଇ ବିଶାଖାପାଟଣା ଅଭିମୁଖେ ଯାଉଥିବା ଜାଣିବା ପରେ ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ଟ୍ରକକୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଥିଲା।

ରାୟଗଡ଼ା-ବିଶାଖାପାଟଣା ଜାତୀୟ ରାଜପଥର ମା ମଝିଘରିଆଣୀ ମନ୍ଦିର ନିକଟରେ ଯାଞ୍ଚ ଚାଲିଥିବା ସମୟରେ ଅଦା ବୋଝେଇ ଟ୍ରକକୁ ଠାବ କରିଥିଲା ପୁଲି୍ସ। ଟ୍ରକକୁ ଥାନାକୁ ଆଣି ଅନଲୋଡ଼୍ କରିବା ପରେ ଅଦା ବସ୍ତା ଭିତରୁ ୧୯୦ କେଜି ଗଞ୍ଜେଇ ବାହାରିଥିଲା। ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ଯାଞ୍ଚ ଏବଂ ଓଜନ ପରେ ଟ୍ରକ୍ ଡ୍ରାଇଭର, ହେଲପରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ସମ୍ବନ୍ଧିତ ଖବର