ମାଟ୍ରିକ ପରୀକ୍ଷାରେ ଜିଲ୍ଲାରୁ ୧୫୦୦ ପରୀକ୍ଷାର୍ଥୀ ଗାଏବ: ଅଧିକାଂଶ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଛନ୍ତି

ଖୋର୍ଦ୍ଧା: ରାଜ୍ୟରେ ଚଳିତ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୪୩ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପରୀକ୍ଷା ଦେଇନାହାନ୍ତି, ଏହାକୁ ନେଇ ରାଜ୍ୟରେ ବିଭିନ୍ନ ମହଲରେ ଚାଂଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଫର୍ମ ପୂରଣ କରି ପରୀକ୍ଷା ଦେଇନଥିବା ୧୪୬୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୩୯୮ଜଣ ନିଜର ପ୍ରତିକ୍ରିୟା ଦେଇଥିବାବେଳେ ବଳକା ପରୀକ୍ଷାର୍ଥୀଙ୍କ ଠିକଣା ମିଳୁନାହିଁ । ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷ ୩୩୦ଟି ସ୍ୱୀକୃତିପ୍ରାପ୍ତ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୧୦ମ ବୋର୍ଡ ପରୀକ୍ଷାର ଆସେସ୍ମେଂଟ୍-୨ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । କିନ୍ତୁ ବୋର୍ଡର ରିପୋର୍ଟ ଅନୁସାରେ ପରୀକ୍ଷାରେ ୧୪୬୬ଜଣ ଅନୁୁପସ୍ଥିତ ଅଛନ୍ତି । ଏନେଇ ରାଜ୍ୟ ଶିକ୍ଷାନିର୍ଦ୍ଦେଶାଳୟ ଜିଲ୍ଲା ଶିକ୍ଷା ବିଭାଗକୁ ଜବାବ ତଲବ କରିଥିଲା । ଯାଂଚ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲା । ଜିଲ୍ଲାର ୧୦ଟି ବିଇଓଙ୍କ ମଧ୍ୟରୁ ଅଧିକାଂଶ ଏହି ଯାଂଚ ରିପୋର୍ଟ ଗୁଗୁଲ ଫର୍ମ ମାଧ୍ୟମରେ ପୂରଣ କରି କାରଣ ଦାଖଲ କରିଛନ୍ତି । ଏପରିକି ସ୍କୁଲ ମାଧ୍ୟମରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ଠାବ କରି ସେମାନଙ୍କ ଦ୍ୱାରା ଫର୍ମ ଦାଖଲ ମଧ୍ୟ କରିଛନ୍ତି । ତେବେ ଆଜି ସୁଦ୍ଧା ଅନୁପସ୍ଥିତ ଥିବା ୩୩୦ ଉଚ୍ଚବିଦ୍ୟାଳୟର ୧୪୬୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୫ଟି ଉଚ୍ଚବିଦ୍ୟାଳୟର ୩୯୮ଜଣଙ୍କ ଯାଂଚ ରିପୋର୍ଟ ଦାଖଲ ହୋଇପାରିଛି ।

ବଳକା ପ୍ରାୟ ୧ହଜାର ଜଣ ପରୀକ୍ଷାର୍ଥୀଙ୍କ ରିପୋର୍ଟ ଦାଖଲ ହୋଇପାରିନାହିଁ । ଅନୁସନ୍ଧାନରୁ ଜଣାଯାଇଛି ଯେ ଅନୁପସ୍ଥିତ ନେଇ ଯେଉଁ କାରଣ ଦର୍ଶାଯାଇଛି ସେ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଆର୍ଥିକ ଅନଟନ କାରଣରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଛନ୍ତି । ସ୍ପଳ୍ପ କେତେକ ପାଠ ପଢ଼ିନଥିବା ଓ ଶାରୀରିକ ଅସୁସ୍ଥତା କାରଣରୁ ଅନୁପସ୍ଥିତ ଥିବା ଦର୍ଶାଇଛନ୍ତି । ତେବେ ସବୁଠାରୁ ବଡ଼ କଥା ଫର୍ମ ପୂରଣରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ମଧ୍ୟ ପଦାରେ ପଡ଼ିଛି । ଖୋର୍ଦ୍ଧା ବ୍ଲକର ଏକ ବିଦ୍ୟାଳୟର ଜଣେ ଛାତ୍ର ଆସେସ୍ମେଂଟ-୧ ଦେଇସାରିବା ପରେ ମୃତ୍ୟୁ ଘଟିଥିଲା, ସେ ଫର୍ମ ପୂରଣ କରିନଥିଲେ ମଧ୍ୟ ତାଙ୍କ ନାମରେ ଆଡମିଟ୍ କାର୍ଡ ବାହାରିଥିବା ବିଭାଗୀୟ ଯାଂଚରୁ ଜଣାଯାଇଛି । ଏଭଳି ଘଟଣା ସମ୍ପର୍କରେ ପଚାରିବାରେ ଜଣାଯାଇଛି ଯେ ଆସେସ୍ମେଂଟ୍ -୧ ପରୀକ୍ଷା ଦେବା ପରେ ସ୍ୱୟଂକୃତ ଭାବେ ଛାତ୍ର ଆସେସ୍ମେଂଟ୍-୨ ପାଇଁ ଉତ୍ତୀର୍ଣ୍ଣ ହୋଇଯାଏ । ଅନ୍ଲାଇନ୍ର ଏହା ଏକ ସ୍ୱୟଂକ୍ରିୟ ପ୍ରକ୍ରିୟା । ଅପରପକ୍ଷରେ, ପୂର୍ବେ ଛାତ୍ରଛାତ୍ରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ପ୍ରଧାନଶିକ୍ଷକଙ୍କ ସ୍ୱାକ୍ଷର ପରେ ଫର୍ମ ପୂରଣ ହେଉଥିଲା ।

କିନ୍ତୁ ବର୍ତମାନ ଅନ୍ଲାଇନ୍ ପରେ ପ୍ରଧାନଶିକ୍ଷକ ଏହା ପୂରଣ କରୁଛନ୍ତି, ଏପରିକି ଫୋନ୍ ଦ୍ୱାରା ଯୋଗାଯୋଗ କରି ସେମାନଙ୍କ ମୌଖିକ ସ୍ୱୀକୃତି ନେବା ପରେ ପୂରଣ ହୋଇଯାଉଛି । ଏଭଳି ଅବ୍ୟବସ୍ଥା ଓ ଅନିୟମିତତା ପାଇଁ ଶିକ୍ଷକମାନେ ବୋର୍ଡର ଅନ୍ଲାଇନ୍ ଫର୍ମପୂରଣ ବ୍ୟବସ୍ଥାରେ ତ୍ରୁଟିକୁ ଦାୟି କରିଥିବା ବେଳେ ଜିଲ୍ଲା ଶିକ୍ଷାବିଭାଗ ଭିନ୍ନ ମତ ଦେଇଛି । ଅନେକ ଛାତ୍ରଛାତ୍ରୀ କରୋନା ସଂକ୍ରମଣ ଜନିତ ଆର୍ଥିକ ଅନଟନ ଯୋଗୁଁ ବାପାମା’ଙ୍କ ସହ କିମ୍ବା ସ୍ୱତନ୍ତ୍ର ଭାବେ ଦାଦନ ଖଟିବାକୁ ବାହାର ରାଜ୍ୟ ଚାଲିଯାଇଥିବାରୁ ପରୀକ୍ଷା ଦେଇପାରିନଥିବା କହିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ବର୍ତମାନ ସୁଦ୍ଧା ଅନୁପସ୍ଥିତ ହୋଇଥିବା ୭୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଯାଂଚ ରିପୋର୍ଟ ଆସିନାହିଁ, ଏହା ଶେଷ ହେବାକୁ ଆହୁରି ୭-୮ ଦିନ ସମୟ ଲାଗିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର