ମାଲକାନଗିରି: ମାଥିଲି ପୁଲିସର ବଡ ଚଢାଉ।ଏହି ଚଢାଉରେ ବିପୁଳ ପରିମାଣର ଗଂଜେଇ ଜବତ କରାଯିବା ସହ ୩ ଜଣ ଆସାମୀକୁ ପୁଲିସ ଗିରଫ କରିବାରେ ମଧ୍ୟ ସଫଳତା ହାସଲ କରିଛି। ବିଶେଷ ସୂତ୍ରରୁ ମାଥିଲି ଥାନା ଏସଆଇ ସୋମନାଥ ଦଳବେହେରା ଖବର ପାଇଥିଲେ ଯେ ସପ୍ତଧାରା ନିକଟରେ ଥିବା ଜଂଗଲରେ ଏକ ନିର୍ଜନ ସ୍ଥାନରେ ବିପୁଳ ପରିମାଣର ଗଂଜେଇ ଗଚ୍ଛିତ କରି ରଖାଯାଇଛି। ତୁରନ୍ତ ଏକ ଟିମ ଗଠନ କରି ଏସଆଇ ଶ୍ରୀ ଦଳବେହେରା ଚଡାଉ କରିଥିଲେ। ସେହି ଅଂଚଳ ସଂପୂର୍ଣ୍ଣ ବିପଦପୂର୍ଣ୍ଣ ଥିବା ବେଳେ କୌଣସି ମୁହର୍ତ୍ତରେ ମଧ୍ୟ କିଛି ଘଟିବାର ସମ୍ଭାବନା ରହିଥିଲା।

Advertisment

ପ୍ରଥମତଃ ନକ୍ସଲ ପ୍ରବଣ ଏବଂ ଦ୍ବିତୀୟରେ ଗଂଜେଇ ମାଫିଆଙ୍କ ଟାର୍ଗେଟର ଶିକାର ହେବାକୁ ପଡିବ। ତେଣୁ ଅତି ସତର୍କତାର ସହ ଚଢାଉ କରାଯାଇ ସେଠାରୁ ୫୯ଟି ଜରି ବ୍ୟାଗ ଜବତ କରାଯାଇଥିଲା, ଯାହାକୁ ପରେ ଓଜନ କରାଯିବା ପରେ ଜଣାପଡିଥିଲା ଯେ ପ୍ରାୟ ୧୫୩୪ କିଲୋ ଗଂଜେଇ ରହିଛି। ଏହାକୁ ଛତିଶଗଡକୁ ଚାଲାଣ କରାଯିବା ପାଇଁ ଯୋଜନା ପ୍ରସ୍ତୁ କରାଯାଉଥିଲା। ଏହି ଗଂଜେଇକୁ ଚାଲାଣ କରିବାକୁ ଚେଷ୍ଟା କରୁଥିବା ତିନି ଜଣ ଆସାମୀ ହେଲେ ବୈପାରିଗୁଡା ବ୍ଲକର ଡୁମୁରିଗୁଡା ଗ୍ରାମର ଧନୁର୍ଯ୍ୟୟ ହନ୍ତାଳ, ଯଡାମ୍ବ ପଞ୍ଚାୟତର ଆଲମପାକା ଗ୍ରାମର ବାବିନୀ ହନ୍ତାଳ ଏବଂ ମାଥିଲି ବ୍ଲକର ଜିଞ୍ଜୁଗୁଡା ଗ୍ରାମର ସାଧୁ ଖିଲ। ଏମାନଙ୍କ ଠାରୁ ଗୋଟିଏ ମଟର ସାଇକେଲ,ଦୁଇଟି ମୋବାଇଲ ଏବଂ ନଗଦ ୨୬୭୦ ଟଂକା ଜବତ କରାଯାଇଛି।

ତେବେ ଏହି ଗଂଜେଇ ଚାଲାଣରେ ଆହୁରି ବହୁ ମାଫିଆଙ୍କ ହାତ ରହିଥିବା ଜଣାପଡିଛି।ତେଣୁ ପୁଲିସ ଏ ନେଇ ଅଧିକା ତଦନ୍ତ କରୁଥିବା ଜଣାପଡିଛି।ବର୍ତ୍ତମାନ ସୁଦ୍ଧା ମାଲକାନଗିରି ପୁଲିସ ୫ ହଜାର କିଲୋରୁ ଉର୍ଦ୍ଧ୍ବ ଗଂଜେଇ ଜବତ କରିସାରିଲାଣି।ମାଲକାନଗିରି ଏସପି ନିତିଶ ଵାଧଵାନୀଙ୍କ ନିର୍ଦେଶକ୍ରମେ ଲଗାତାର ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଚଢାଉ ଜାରି ରହିଛି।ଗଂଜେଇ ମାଫିଆଙ୍କ ନିଦ ପୁଲିସ ହଜାଇ ଦେଇଥିବା ଆଲୋଚନା ଜୋର ଧରିଛି।ଆଗାମୀ ଦିନରେ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି ପୁଲିସ କହିଛି।