ବୌଦ୍ଧ: ଗୋଟିଏ ଗାଁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି, ଅନିଦ୍ଧିଷ୍ଟ କାଳ ପାଇଁ ଲାଗୁ ହେଲା ୧୪୪ ଧାରା

ବୌଦ୍ଧ: ଜିଲ୍ଲାର ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗର ଗାଁରେ ପ୍ରଥମ କରୋନା ହଟସ୍ପଟ ଚିହ୍ନଟ ହୋଇଛି। ଶନିବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୧୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମାତ୍ର ସପ୍ତାହକ ମଧ୍ୟରେ ନାରାୟଣନଗରରେ ୫୪ଜଣ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। ଏହି ଗାଁରେ ମୋଟ ସଂକ୍ରମିତ ସଂଖ୍ୟା ୧୫୯ରେ ପହଂଚିଛି। ଜିଲ୍ଲାପ୍ରଶାସନ ପକ୍ଷରୁ ଶୁକ୍ରବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ନାରାୟଣନଗରରେ ୧୪୪ ଧାରା ଲାଗୁ କରାଯାଇଛି।

ଗତ ଗୁରୁବାରରୁ ସ୍ୱାସ୍ଥ୍ୟ ଟିମ୍‌ ପକ୍ଷରୁ ଗାଁରେ ଶିବିର କରାଯାଇ ସମସ୍ତ ଗ୍ରାମବାସୀଙ୍କ ସ୍ୱାବ୍‌ ନମୁନା ସଂଗ୍ରହ କରାଯାଇଥିଲା। ରାପିଡ୍‌ ଓ ଆଣ୍ଟିଜେନ୍‌ କିଟ୍‌ ଦ୍ଵାରା ପରୀକ୍ଷା କରାଯାଉଛି। ଆଜି ସୁଦ୍ଧା ମୋଟ ୪୨୦ଜଣଙ୍କ ନମୁନା ପରୀକ୍ଷା ହୋଇସାରିଥିବା ଜଣାଯାଇଛି। ତେବେ ଆଣ୍ଟିଜେନ୍‌ ପରୀକ୍ଷାରେ ଗାଁର ସଂଖ୍ୟାଧିକ ଲୋକଙ୍କ ପଜିଟିଭ୍‌ ରିପୋର୍ଟ ଆସୁଥିବା ଜଣାପଡିଛି। ସମସ୍ତ ସଂକ୍ରମିତଙ୍କୁ ଗୃହାବଦ୍ଧ ରହିବାକୁ ପରାମର୍ଶ ଦିଆଯାଇଛି। ସରକାରଙ୍କ ଦ୍ଵାରା ଜାରି ନିୟମ ଅନୁସାରେ ଯେଉଁମାନେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ମାତ୍ର କିଛି ଲକ୍ଷଣ ନାହିଁ ସେମାନେ ଗୃହାବଦ୍ଧ ରହିବେ।

ତେବେ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଏକ ସ୍ୱାସ୍ଥ୍ୟ ଟିମ୍‌ ଯୋଗାଯୋଗରେ ରହିବେ ଓ ଗାଁକୁ ସ୍ୱତନ୍ତ୍ର ଭାବେ ଏକ ଆମ୍ବୁଲାନସ୍‌ ଯୋଗାଇ ଦିଆଯିବ। ଯେଉଁମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବ ସେମାନଙ୍କୁ କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ପଞ୍ଚାୟତ ପକ୍ଷରୁ ସେମାନଙ୍କ ନିକଟକୁ ପହଞ୍ଚାଇ ଦିଆଯିବ ବୋଲି ସରପଞ୍ଚ ଶ୍ରୀମେହେର ଘୋଷଣା କରିଛନ୍ତି।

ପ୍ରକାଶ ଥାଉ କି, ଦୁଇ ସପ୍ତାହ ତଳେ ସୋନପୁର ଜିଲ୍ଲା ପଟାଭାଡ଼ି ଗାଁରୁ ଜନୈକ ଦମ୍ପତି ନାରାୟଣନଗରରେ ଆୟୋଜିତ ଏକ ଶୁଦ୍ଧି କାର୍ଯ୍ୟଘରରେ ଯୋଗଦେବାକୁ ଆସି ପାଞ୍ଚ ଦିନ ଗାଁରେ ରହିଥିଲେ। ଦଶାହ ଭୋଜିରେ ସାମିଲ ହେବା ପରେ ନିଜ ଗାଁକୁ ଫେରିଥିଲେ। ସେମାନେ ଫେରିବା ପରେ ଉକ୍ତ ଦମ୍ପତି କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ଦମ୍ପତିଙ୍କ ସଂସ୍ପର୍ଶରେ ଆସିଥିବା ନାରାୟଣନଗର ରହୁଥିବା ଲୋକଙ୍କ ଆଣ୍ଟିଜେନ ପରୀକ୍ଷା ଆରମ୍ଭ ହୋଇଥିଲା। ଦୈନିକ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଶୁକ୍ରବାର ଗୋଟିଏ ଦିନରେ ୧୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଗକୁ ଏହି ସଂଖ୍ୟା ଅଧିକ ବଢିବା ଆଶଙ୍କା ଦେଖାଯାଇଛି।

ସମ୍ବନ୍ଧିତ ଖବର