ନଗଡ଼ାରେ କରୋନା ଟିକାକରଣ ଅଭିଯାନ: ଟିକାନେଲେ ୧୫୯ ଜୁଆଙ୍ଗ ଜନଜାତି

କାଳିଆପାଣି : ନଗଡ଼ାରେ ଆଜି ଅନୁଷ୍ଠିତ ଏକ ସ୍ବତନ୍ତ୍ର ଟିକାକରଣ ଅଭିଯାନରେ ୧୫୯ ଜଣ ଜୁଆଙ୍ଗ ଜନଜାତିର ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍ କରୋନା ପ୍ରତିଷେଧକ ଟିକା ଦିଆଯାଇଛି। ଏଥିରେ ନଗଡ଼ା ରାଜସ୍ବ ମୌଜାର ତଳ, ମଝି ଓ ଉପର ନଗଡ଼ାରୁ ୬୫ ଜଣ, ଗୁହିଆଶାଳ ମୌଜାର ଗୁହିଆଶାଳ ଓ ତଳଡିହରୁ ୫୬ ଜଣ ଏବଂ ତୁମୁଣିରୁ ୩୮ ଜଣ ଜୁଆଙ୍ଗ ସାମିଲ ହୋଇପାରିଛନ୍ତି। ଏହାବାଦ୍ ନାଲିଆଡାବ ଗଉଡ଼ ବସ୍ତିରୁ ୨ ଜଣ ଓ ଅନ୍ୟ ବ୍ୟକ୍ତିଙ୍କୁ ମିଶାଇ ଏଠାରେ ମୋଟ୍‌ ୧୭୭ ଜଣ ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଜନଜାତି କଲ୍ୟାଣ ବିଭାଗ ଏବଂ ବିରହୋଡ଼ ଓ ଜୁଆଙ୍ଗ ଉନ୍ନୟନ ସଂସ୍ଥା ମିଳିତ ଆନୁକୂଲ୍ୟରେ ଏହି ଟିକାକରଣ ପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସ୍ବତନ୍ତ୍ର ନିର୍ଦେଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିରଞ୍ଚି ନାରାୟଣ ବାରିକ, ସୁକିନ୍ଦା ବିଡିଓ ବିଶ୍ବଜିତ ଦାସ ଓ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଳ ନଗଡ଼ା ଅଙ୍ଗନବାଡ଼ି ଗୃହ ସମ୍ମୁଖରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଡାକ୍ତର ନନ୍ଦ ନଗଡ଼ା ୱାର୍ଡମେମ୍ବର ବାସନ୍ତୀ ପ୍ରଧାନଙ୍କୁ ଟିକାଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଗୁହିଆଶାଳ, ତଳଡିହ ଓ ତୁମୁଣିର ଲୋକେ ଦୁର୍ଗମ ପାହାଡ଼ି ରାସ୍ତାରେ ୭ ରୁ ୮ କିଲୋମିଟର ଚାଲିଚାଲି ଆସି ଟିକା ନେଇଥିଲେ। ହିତାଧିକାରୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ। ଟିକା ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଟ୍ରିକଲ୍ଅପ୍‌ ଏନଜିଓ ପକ୍ଷରୁ ପ୍ରତ୍ୟେକ ପରିବାରକୁ ଆକର୍ଷଣୀୟ କରୋନା କିଟ୍‌, ବିସ୍କୁଟ୍‌ ଓ ପାଣି ବୋତଲ ଦିଆଯାଇ ଉତ୍ସାହିତ କରାଯାଇଥିଲା। ବିପିଏମ୍‌ ବିଶ୍ବଜିତ ସ୍ବାଇଁ, ଫାର୍ମାସିଷ୍ଟ୍ କାର୍ତ୍ତିକ ଚନ୍ଦ୍ର ସାମଲ, ଚିଙ୍ଗୁଡ଼ିପାଳ ପିଇଓ ଗୌରହରି ବେହେରା, ଏଏନ୍‌ଏମ୍‌ ଅନିତା ନାୟକ, ଲକ୍ଷ୍ମୀ ବେହେରା, ସୃଷ୍ଟି ପକ୍ଷରୁ ପଦ୍ମଲୋଚନ ମହାନ୍ତ, ଅଣ ଆନୁଷ୍ଠାନିକ ଶିକ୍ଷକ ଅନାମ ଜୁଆଙ୍ଗ ଓ ଆସ୍ପାୟାରର ସ୍ବେଛାସେବୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର