ଆଇପିଏଲ୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍‌ ରାଇଡର୍ସ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର (ଆଇପିଏଲ୍‌)-୧୩ର ୩୫ତମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁକାବିଲା ହେଉଛି। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ କରିଛି। ଫଳରେ ହାଇଦ୍ରାବାଦ୍‌କୁ ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ରବିବାର ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। କୋଲକାତାର ଇନିଂସ ଆରମ୍ଭ କରିଥିଲେ ଶୁଭମନ ଗିଲ ଓ ରାହୁଲ ତ୍ରିପାଠୀ। ଉଭୟ ଖେଳାଳି ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ। ଫଳରେ ଟିମ୍‌ ୫ ଓଭରରେ ୪୨ ରନ୍‌ ସଂଗ୍ରହ କରିପାରିଥିଲା।

କୋଲକାତା ୪୬ ରନ୍‌ରେ ନିଜର ପ୍ରଥମ ଓ୍ଵିକେଟ୍‌ ଭାବେ ରାହୁଲ ତ୍ରିପାଠୀ (୨୩ ରନ୍‌, ୧୬ ବଣ, ୨ ଚୌକା, ୧ ଛକା)ଙ୍କୁ ହରାଇଥିଲା। ହାଇଦ୍ରାବାଦ୍‌ର ୨ୟ ଶିକାର ହୋଇଥିଲେ ଶୁଭମନ ଗିଲ (୩୬ ରନ୍‌, ୩୭ ବଲ, ୫ ଚୌକା)। ୧୧.୪ ଓଭରରେ ଗିଲ୍‌ ଆଉଟ ହୋଇଯିବା ପରେ ଦଳର ସ୍କୋର ମନ୍ଥର ଗତିରେ ଆଗେଇଥିଲା। ହାଇଦ୍ରାବାଦ୍‌ର ୩ୟ ଶିକାର ହୋଇଥିବା ନୀତିଶ ରାଣା ୨୦ଟି ବଲ୍‌ ଖେଳି ୨୯ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଆନ୍ଦ୍ରେ ରସେଲ ୧୧ଟି ବଲ୍‌ର ସମ୍ମୁଖୀନ ହୋଇ ଟିମ୍‌ ପାଇଁ ବ୍ୟକ୍ତିଗତ ଭାବେ ମାତ୍ର ୯ ରନ୍‌ ଯୋଡ଼ିପାରିଥିଲେ। ଅଧିନାୟକ ଇଅନ୍‌ ମୋର୍ଗାନ୍‌ ୩୪ ରନ୍‌ ଓ ଦିନେଶ କାର୍ତ୍ତିକ ଅପରାଜିତ ରହି ୨୯ ରନ୍‌ କରିଥିଲେ।

କୋଲକାତା ୮୭ ରନ୍‌ରେ ୨ୟ ଓ୍ଵିକେଟ, ୮୮ ରନ୍‌ରେ ୩ୟ ଓ୍ଵିକେଟ ଓ ୧୦୫ ରନ୍‌ରେ ୪ର୍ଥ ଓ୍ଵିକେଟ ହରାଇଥିଲା। ହାଇଦ୍ରାବାଦର ଟି ନଟରାଜନଙ୍କୁ ୨ଟି, ବିଜୟ ଶଙ୍କର ଓ ରସିଦ ଖାନ୍‌ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର