ହାତୀ ପାଇଁ ୧୬୫ ଗଜସାଥୀ ଓ ୨ ସ୍ବତନ୍ତ୍ର ମୋଟର ସାଇକେଲ

ତେଲକୋଇ: ଏଥର ବନ୍ୟପ୍ରାଣୀ ଶିକାରୀ ଓ କାଠ ମାଫିଆଙ୍କୁ ସାବାଡ କରିବ କ୍ୟାମେରା। ଘଞ୍ଚ ଜଙ୍ଗଲ ଓ ବନ୍ୟପ୍ରାଣୀ ଶିକାର ଅଞ୍ଚଳରେ ଲାଗିବ କ୍ୟାମେରା। ଏଭଳି ଅଭିନବ ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ। ତେଲକୋଇ ରେଞ୍ଜରେ ୧୦ଟି ଉଚ୍ଚଶକ୍ତି ସମ୍ପନ୍ନ କ୍ୟାମେରା ଲାଗିବା ସହ ୨ଟି ସ୍ବତନ୍ତ୍ର ମୋଟର ସାଇକଲ ଓ ୧୬୫ଜଣ ଗଜସାଥୀଙ୍କୁ ନିୟୋଜିତ କରାଯାଇଛି।

ତେଲକୋଇ ରେଞ୍ଜ ଅନ୍ତର୍ଗତ ସମାକୋଇ, ଶିଖେଶ୍ବରୀ, ରାଣୀବେଡ଼ା, ସଲେଇକେନା ସଂରକ୍ଷିତ ଜଙ୍ଗଲ ଓ ଟୁଙ୍ଗୁରୁବାହାଳ ଡିପିଏଫ ଅଞ୍ଚଳରେ ୧୦ଟି କ୍ୟାମେରା ଟ୍ରାପ ବନ୍ୟପ୍ରାଣୀ ଶିକାର ଓ ଜଙ୍ଗଲ ମାଫିଆଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେବ। ବନ ବିଭାଗ ଏହି ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିଭଳି ଲୋକଙ୍କ ଧନଜୀବନ ସୁରକ୍ଷା ସହିତ ହାତୀଙ୍କ ଗତିବିଧି ଓ ସୁରକ୍ଷା ପାଇଁ ୨ଟି ସ୍ବତନ୍ତ୍ର ମୋଟର ସାଇକଲ ଓ ୩୩ଟି ବନ ସୁରକ୍ଷା ସମିତି ମାଧ୍ୟମରେ ୧୬୫ଜଣ ଗଜସାଥୀଙ୍କୁ ନିୟୋଜିତ କରାଯାଇଛି। କେନ୍ଦୁଝର ଡିଏଫଓ ଏଚ ଡି ଧନରାଜଙ୍କ ତତ୍ତ୍ଵାବଧାନରେ ପ୍ରଥମ ଥର ପାଇଁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏସମ୍ପର୍କରେ ବନ ବିଭାଗ କର୍ମଚାରୀଙ୍କୁ ତିଲିମ ମଧ୍ୟ ପ୍ରଦାନ କରାଯାଇଥିବା ତେଲକୋଇ ରେଞ୍ଜର ପ୍ରମୋଦ କୁମାର ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର