ଭଦ୍ରକ: ସଟ୍ଡାଉନ୍ ସମୟରେ ଭଦ୍ରକରେ ନିୟମ ଉଲଂଘନ କରି ଏପର୍ଯ୍ୟନ୍ତ ୧୭ ଜଣ ଲୋକ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିମାନଙ୍କୁ ୧୪ ଦିନିଆ ଭଦ୍ରକ ହାଇସ୍କୁଲ ପରିସରରେ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ସଟ୍ଡାଉନ ଆଉ କିଛି ଘଣ୍ଟା ପରେ କୋହଳ ହେବାକୁ ଥିବା ବେଳେ ଭଦ୍ରକ ସହରର ରାସ୍ତାଗୁଡ଼ିକ ଜନଶୂନ୍ୟ ଦେଖାଯାଇଛି ।
ଡିଜିପି ଅଭୟ ଓ ଉତ୍ତରାଂଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭଦ୍ରକ ଗସ୍ତ କରିଥିଲେ । ସେମାନେ ସ୍ଥାନୀୟ ଏସପି ରାଜେଶ ପଣ୍ଡିତଙ୍କ ସହ ଏକ ଜରୁରୀକାଳୀନ ବୈଠକ କରିଥିଲେ । ଏଥି ସହିତ ଟାଉନ ଥାନା, ପୁରୁଣା ବଜାର ଥାନା ବୁଲି ସହରରେ ୩ ଜଣ କରୋନା ଭାଇରସ ସଂକ୍ରମଣ ଚିହ୍ନଟ ହେବା ପରେ ଲାଗୁ କରାଯାଇଥିବା ସଟ୍ଡାଉନ୍ର ସ୍ଥିତି ସମୀକ୍ଷା କରିଥିଲେ ।
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଭଦ୍ରକରେ ପ୍ରଥମେ ସଟ୍ଡାଉନ୍ ଆରମ୍ଭ ହୋଇଥିଲା । ୩ ତାରିଖ ରାତି ୮ଟାରୁ ୪୮ ଘଣ୍ଟା ପାଇଁ ଏହା ଲାଗୁ ହୋଇଥିଲା । ସଟ୍ଡାଉନ୍ର ଅବଧି ଆଜି ରାତି ୮ଟାରେ ଶେଷ ହୋଇଯିବ ।