ଜୟପୁର: ଗତ ତିନି ଦିନର ଲଗାଣ ବର୍ଷାରେ କୋରାପୁଟର ଜୟପୁର ସହରର ସୋମବାରତୋଟା, ମାଣ୍ଡିଆଭଟ୍ଟାସାହି, କୁମ୍ଭାରସାହି, ବିଜୁ ରାଜନଗର, ପୁରୁଣାଗଡ, କେଲ୍ଲା ସାହି, ଛୋଟାଗୁଡା,ଓଡିଆ ମେଦ୍ରୀ ସାହି, ପ୍ରସାଦରାଓ ପେଟା ଆଦି ଅଂଚଳର ୧୭ଟି ଘର ଭାଙ୍ଗି ଯାଇଛି। ପ୍ରଶାସନ ପକ୍ଷରୁ ଏମାନଙ୍କୁ ଆର୍ଥିକ ସହଯୋଗର ହାତ ବଢ଼ାଇବା ସହ ଆଗାମୀ ଦିନରେ ପକ୍କାଘର ଯୋଜନାରେ ସାମିଲ କରାଯିବା ଲକ୍ଷ୍ୟ ରହିଛି।

Advertisment

ସୂଚନା ଅନୁଯାୟୀ, ଗତ ତିନି ଦିନର ଲଗାଣ ବର୍ଷାରେ ସହରର ବିଭିନ୍ନ ୱାର୍ଡର ବସ୍ତି ଅଂଚଳରେ ବସବାସ କରୁଥିବା ବହୁ ଗରିବ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା। ଏହି କ୍ରମରେ ୧୭ଟି ଘର ଭାଙ୍ଗି ଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ୍ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଏ ନେଇ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ପରିବାର ଗୁଡିକୁ ତୁରନ୍ତ ରେଡକ୍ରସରୁ ୨ହଜାର ୫୦୦ଟଙ୍କା ଲେଖାଏଁ ଓ ଅନ୍ୟାନ୍ୟ ରନ୍ଧାଖାଦ୍ୟ ଆଦି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି କ୍ରମରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପଟ୍ଟନାୟକ, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି.ସୁନିତା, କାଉନସିଲର ସୀମାଂଚଳ ବିଷୋଇ, ପ୍ରଣବ କିଶୋର ନାୟକ ଆଦିଙ୍କୁ ସାଙ୍ଗରେ ନେଇ ବସ୍ତି ଅଂଚଳର ପରିଦର୍ଶନ କରିଥିଲେ। ଘର ଭାଙ୍ଗିଯାଇଥିବା ହିତାଧିକାରୀଙ୍କୁ ସହଯୋଗର ହାତ ବଢ଼ାଇଥିଲେ।