ଭିମ୍‌ସାରରେ ପୁଣି ଏକ ଅବ୍ୟବସ୍ଥାର ଚିତ୍ର:୧୭ ଘଣ୍ଟା କାଜୁଆଲଟିରେ ପଡ଼ିରହିଲା ଶବ

ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନାରେ ଅବ୍ୟବସ୍ଥାର ଆଉ ଏକ ନଗ୍ନଚିତ୍ର ଶୁକ୍ରବାର ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ୧୭ ଘଣ୍ଟା ପରେ ମଧ୍ୟ ଶବକୁ ଫ୍ରିଜର୍‌ରେ ରଖା ନଯାଇ କାଜୁଆଲଟିରେ ସେମିତି ପକାଇ ରଖାଯାଇଥିଲା। ମୃତଦେହ ପଡ଼ିରହିବା ଘଟଣାକୁ ନେଇ ଅନ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତଥାପି ରାତି ୮ଟା ଯାଏ ଶବ ଉଠି ନଥିଲା। ପରେ ମୃତକଙ୍କ ପୁଅ ଆସି ପହଞ୍ଚିବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ତେବେ ଶବକୁ ଫ୍ରିଜ‌ର୍‌ରେ ନରଖି କାହିଁକି କାଜୁଆଲଟିରେ ପକାଇ ରଖାଯାଇଥିଲା, ସେନେଇ କର୍ତ୍ତୃପକ୍ଷ କୌଣସି ଉତ୍ତର ଦେଇ ନଥିଲେ।

ମିଳିଥିବା ସୂଚନ‌ା ଅନୁସାରେ, ଛତିଶଗଡ଼ ବିଳାସପୁରର ରାମୁ ଚୌହାନ(୫୧) ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ରହି କୌଣସି କମ୍ପାନିରେ କାମ କରୁଥିଲେ। ଗୁରୁବାର ରାତିରେ ହଠାତ୍‌ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସହକର୍ମୀମାନେ ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବ‌ାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ଡାକ୍ତରଖାନାରେ କାଜୁଆଲଟିରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୨ଟା ୪୦ ମିନିଟ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ତାଙ୍କ ସହ ଆସିଥିବା ସହକର୍ମୀମାନେ ଶବ ନେବା ପରିବର୍ତ୍ତେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇ ରାତିରେ ଶୋଇପଡ଼ିଥିଲେ। ଦିନତମାମ୍‌ କାଜୁଆଲଟି ପରିସରରେ ଶବ ସେମିତି ପଡ଼ି ରହିଥିଲେ ହେଁ ଶବକୁ ଫ୍ରିଜର୍‌ରେ ରଖାଯାଇ ନଥିଲା କି ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରାଯାଇ ନଥିଲା। ଶୁକ୍ରବାର ରାତି ୮ଟାରେ ମୃତ ରାମୁଙ୍କ ପୁଅ ଛତିଶଗଡ଼ରୁ ଆସି ପହଞ୍ଚିବା ପରେ ଶବ ନେଇ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର