ପୃଥକ୍ ପୃଥକ୍ ଦୁର୍ଘଟଣାରେ ୧୭ ଆହତ

ବୈପାରିଗୁଡା: ପୃଥକ୍ ପୃଥକ୍ ସ୍ଥାନରେ ଅଟୋ ଦୁର୍ଘଟଣା ଘଟି ୧୭ ଜଣ ଆହତ ହୋଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତର କେରାଅଟାଳ ଗ୍ରାମର ଲୋକେ ଗୋଟିଏ ଅଟୋ ଯୋଗେ ସତର ଜଣ ରାମଗିରି ସାପ୍ତାହିକ ହାଟକୁ ଆସୁଥିଲେ। ତେବେ ରାମଗିରି ଥାନା ନିକଟରେ ଅଟୋ ସାମ୍ନାକୁ ହଠାତ୍ ଜଣେ ସାଇକେଲ ଆରୋହୀ ଆସିଯିବା ଫଳରେ ତାଙ୍କୁ ରକ୍ଷା କରିବାକୁ ଯାଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରକାଶ। ତେବେ ଏହି ଦୁର୍ଘଟଣାରେ ଚଉଦ ଜଣ ଆହତ ହୋଇଛନ୍ତି। ଆହାତଙ୍କ ମଧ୍ୟରେ ଦୁଇ ବର୍ଷର ଶିଶୁଟିଏ ମଧ୍ୟ ରହିଥିବା ବେଳେ ମଦନ ନାୟକ (୨୪) ଗୁରୁତର ଭାବେ ଆହତ ହୋଇଛନ୍ତି।

ତେବେ ଆହତ ମାନଙ୍କୁ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ମଦନ ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ମାନଙ୍କୁ ବୈପାରିଗୁଡା ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଦଶ ଜଣକୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ତିନି ଜଣକୁ ଚିକିତ୍ସା ପାଇଁ ରଖାଯାଇଛି।

ସେହିପରି ଆଜି ଦିନ ବାରଟା ବେଳେ ବୈପାରିଗୁଡା ନିକଟସ୍ଥ ଗୁଣ୍ଠାଗୁଡା ଠାରେ ଅଟୋ ଓଲଟି ତିନି ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ମହୁଲି ପଞ୍ଚାୟତର ତଳଗୁଞ୍ଜି ଗ୍ରାମର ଚାରିଜଣ ଜିନିଷ ପତ୍ର କିଣିବା ପାଇଁ ଅଟୋ ଯୋଗେ ବୈପାରିଗୁଡା ଆସିଥିଲେ। କାମସାରି ଫେରୁଥିବା ବେଳେ ଗୁଣ୍ଠାଗୁଡା ଠାରେ ଭାରସାମ୍ୟ ହରାଇବାରୁ ଅଟୋ ଓଲଟି ପଡ଼ିଥିଲା। ଅଟୋରେ ବସିଥିବା ସୋମନାଥ କିର୍ସାନୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସୋମନାଥଙ୍କର ଡାହାଣ ହାତ ଏବଂ ବାମ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ନରହରି କିର୍ସାନୀ ଏବଂ ଧନିଆ କିର୍ସାନୀ ସାମାନ୍ୟ ଆହତ ହୋଇଛନ୍ତି। ନରହରିଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ରାମଗିରି ଥାନା ଏଏସ୍ଆଇ ବଳରାମ ହିକକା ଘଟଣାର ତଦନ୍ତ କରୁଥିବା ବେଳେ ବୈପାରିଗୁଡା ଥାନା ଏଏସ୍ଆଇ ଶିବ ଶଙ୍କର ନାୟକ ଗୁଣ୍ଠାଗୁଡା ଠାରେ ଘଟିଥିବା ଦୁର୍ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର