ହାଇଦ୍ରାବାଦ୍‌ରୁ ଯଶୱନ୍ତପୁର ନିଆଯାଉଥିବା ବେଳେ ୮ ଓଡ଼ିଆ ନାବାଳକ ଉଦ୍ଧାର

ଜୟପୁର/ଜଟଣୀ: କୋରାପୁଟ ଜିଲ୍ଲା ଶ୍ରମ ବିଭାଗ ହାଇଦ୍ରାବାଦର ରାଂଗାରେଡ୍ଡୀ ଜିଲ୍ଲାର ଏକ ନିୟୁଟ୍ରୀ ପ୍ରଡକ୍ଟସ୍ ତିଆରି କାରଖାନାରୁ ୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଏହି ୯ଜଣଙ୍କ ବୟସ ୧୮ରୁ ୨୧ ବର୍ଷ ମଧ୍ୟରେ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ। ବୈପାରୀଗୁଡ଼ା ବ୍ଲକର ବାଲିଗାଁ ପଂଚାୟତର ୯ଜଣ ଦାଦନ ଖଟିବାକୁ ଯାଇ ଉକ୍ତ କାରଖାନାରେ କାମ କରୁଥିଲେ।

ତେବେ ସେମାନଙ୍କ ମଜୁରୀ ମିଳୁ ନଥିବା ଏବଂ ସେମାନଙ୍କୁ ଉଦ୍ଧାର କରି ଆଣିବାକୁ ପରିବାରବର୍ଗ ଜିଲ୍ଲା ଶ୍ରମ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପାଣିଗ୍ରାହୀ, ସହକାରୀ ଶ୍ରମ ଅଧିକାରୀ ପଦ୍ମ ଚରଣ ପଣ୍ଡା, ଶ୍ରମ ନିରୀକ୍ଷକ ପୂର୍ଣ୍ଣିମା ଡୁରୁକା ପ୍ରମୁଖ ଏହି ଦାଦନ ଶ୍ରମିକଙ୍କୁ ସେଠାରୁ ଉଦ୍ଧାର କରି ଆଣିଥିଲେ। ଏହା ସହ ଏମାନଙ୍କର ମଜୁରୀ ମଧ୍ୟ ଉକ୍ତ କାରଖାନା ପକ୍ଷରୁ ଦିଆଯାଇଥିବା ସୂଚନା ମିଳିଛି। ଜିଲ୍ଲାରେ ବିଭିନ୍ନ ବିଭାଗରେ ହେଉଥିବା ଉନ୍ନୟନ ମୂଳକ କାମରେ ଗ୍ରାମାଂଚଳର ଲୋକଙ୍କୁ କାମ ମିଳୁନଥିବାରୁ ସବୁ ଦିନ ଏଭଳି ଦାଦନ ସୁଅ ଲାଗି ରହିଛି। ଜିଲ୍ଲାପ୍ରଶାସନ ଏହାର ସମୀକ୍ଷା କରିବା ସହ ଦାଦନ ଶ୍ରମିକ ସୁଅ ରୋକିବା ପାଇଁ ପ୍ରୟାସ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଖୋର୍ଦ୍ଧାରୋଡ୍ ଜିଆର୍‌ପି ୮ଜଣ ନାବାଳକଙ୍କ ସମେତ ୧୫ଜଣଙ୍କୁ ଉଦ୍ଧାର କରିଛି । ସମସ୍ତଙ୍କୁ ବେଆଇନ ଭାବେ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବାକୁ ନିଆଯାଉଥିଲା । ଖୋର୍ଦ୍ଧା ରୋଡ୍ ଜିଆର୍‌ପି ପକ୍ଷରୁ ମିଳିଥିବା ସୂଚନାନୁସାରେ, ୧୧ ତାରିଖରେ ୱାଲଟିୟର ଡିଭିଜନର ଗୁଇନ୍ଦା ବିଭାଗ ନାବାଳକଙ୍କ ଚାଲାଣ କରାଯାଉଥିବା ନେଇ ଖବର ଦିଆଯାଇଥିଲା । ସେମାନଙ୍କୁ କଟିହାରରୁ ମୁଜାଫରପୁର- ଯଶବନ୍ତପୁର ଏକ୍ସପ୍ରେସରେ ଯଶବନ୍ତପୁର ନିଆଯାଉଥିଲା । ସୂଚନା ପାଇବା ପରେ କଟକ ଷ୍ଟେସନରେ ଦୁଇଜଣ ଗୁଇନ୍ଦା ଅଧିକାରୀଙ୍କୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ନିୟୋଜିତ କରାଯାଇଥିଲା । ସ୍ଥାନୀୟ ଟିଟିଇଙ୍କ ସହ ସହଯୋଗରେ ଟ୍ରେନ୍‌କୁ କେଜିପି ଷ୍ଟେସନରେ ଅତିରିକ୍ତ ୧୫ ମିନିଟ ଅଟକାଇବା ସହ ଏନେଇ ୬୧୭/୨୦୨୨ରେ ଧାରା ୩୬୩ ଓ ୪୧ ଆଇପିସିରେ ମାମଲା ରୁଜୁ କରିଥିଲେ । ଟ୍ରେନ୍‌ଟି ଖୋର୍ଦ୍ଧା ରୋଡ୍ ପହଂଚିବା ପରେ ସଜାଗ ହୋଇ ରହିଥିବା ସ୍ୱତନ୍ତ୍ର ଗୁଇନ୍ଦା ଟିମ୍ ଓ ଜିଆର୍‌ପି ସେମାନଙ୍କୁ ଅଟକାଇଥିଲେ । ସେମାନଙ୍କ ନଥିପତ୍ର ଆଦି ଯାଂଚ କରିବା ପରେ ୧୫ଜଣ ପୁରୁଷ ସଦସ୍ୟଙ୍କ ମଧ୍ୟରୁ ୮ଜଣ ନାବାଳକଙ୍କୁ ଖୋର୍ଦ୍ଧା ରୋଡ୍ ସିଡବ୍ଲସିକୁ ହସ୍ତାନ୍ତର କରାଯାଇଛି ।

 

ସମ୍ବନ୍ଧିତ ଖବର