ଦୁର୍ଘଟଣା ଠାରୁ ବଳିଗଲା ସଟ୍‌ ଡାଉନ୍‌ ଯନ୍ତ୍ରଣା, ଭଞ୍ଜନଗର ବସ୍‌ଷ୍ଟାଣ୍ଡରେ ଫସି ରହିଛନ୍ତି ୧୭ ଯାତ୍ରୀ

ଭଞ୍ଜନଗର: ଦୀର୍ଘ ଦେଢମାସ ହେବ ବନ୍ଦ ରହିଥିଲା ବସ୍‌ ଚଳାଚଳ। କଟକଣା କୋହଳ ପରେ ବସ୍‌ସେବା ଆରମ୍ଭ କରିବା ପାଇଁ ସରକାର ଅନୁମତି ଦେବା ପରେ ଧିରେ ଧିରେ ସ୍ବଭାବିକ ହେବାକୁ ଲାଗିଛି ବସ ଚଳାଚଳ। ଗତକାଲି ପ୍ରଥମ କରି ୩୪ ଜଣ ଯାତ୍ରୀଙ୍କ ନେଇ ପାଇକମାଳ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିଳମ୍ବିତ ରାତିରେ କଳିଙ୍ଗା ଘାଟିରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଥିଲା। ବ୍ରହ୍ମପୁରଠାରୁ ବରଗଡ ଜିଲ୍ଲା ପାଇକମାଳ ଯାଉଥିବା ଏକ ଘରୋଇ ବସ୍‌କୁ ମାଲ୍‌ବାହୀ ଟ୍ରକ୍‌ ଧକ୍କା ଦେବା ଫଳରେ ୫ ଜଣ ଗୁରୁତର ଆହାତ ହୋଇଥିଲେ। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲେ ମଧ୍ୟ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚି ନପାରି କିଛି ଯାତ୍ରୀ ଦିନସାରା ଭଞ୍ଜନଗର ବସ୍‌ଷ୍ଟାଣ୍ଡରେ ଫସି ରହିଥିଲେ। ବସ୍‌ଟି ଦୁର୍ଘଟଣା ଗ୍ରସ୍ତ ହେବା ପରେ ଆହତମାନଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। କିନ୍ତୁ ବସ୍‌ରେ ଥିବା ଯାତ୍ରୀମାନଙ୍କୁ ପଠାଇବାର କୌଣସି ବ୍ୟବସ୍ଥା କରାଯାଇ ପାରିନଥିଲା। ପ୍ରାୟ ୧୨ ଜଣ ଯାତ୍ରୀ ଭବାନୀପାଟଣା ଯାଉଥିବା ବସ୍‌ରେ ପଳାଇଥିବା ‌ବେଳେ ରହିଯାଇଥିବା ୧୭ ଜଣ ଯାତ୍ରୀଙ୍କୁ ପୁଲିସ୍‌ ଗତକାଲି ରାତିରେ ହିଁ ଏକ ଗାଡିରେ ଭଞ୍ଜନଗରକୁ ଆଣିଥିଲା। ଦୁର୍ଘଟଣାଗ୍ରସ୍ତ

ବସ୍‌ର ମାଲିକ ଆଜି ସକାଳୁ ଭଞ୍ଜନଗରଠାରେ ପହଞ୍ଚିଥିଲେ ସୁଦ୍ଧା ସେମାନଙ୍କ ଯିବା ପାଇଁ କୌଣସି ବ୍ୟବସ୍ଥା କରିନଥିବାରୁ ଭଞ୍ଜନଗର ବସ୍‌ଷ୍ଟାଣ୍ଡର ପ୍ରତିକ୍ଷାଳୟରେ ଗତ ରାତିରୁ ଏହି ଯାତ୍ରୀ ମାନେ ରହିଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ରହିଥିବା ବେଳେ କିଛି ଛୋଟଛୁଆ ମଧ୍ୟ ରହିଛନ୍ତି।

ଜିଲ୍ଲାରେ ଆଜି ସଟଡାଉନ ଜାରି ହୋଇଥିବାରୁ ଗାଡି ଚଳାଚଳ ବନ୍ଦ ସହ ଦୋକାନ ବଜାର ବନ୍ଦ ରହିଥିଲା। ଯାହାଫଳରେ ସେମାନେ ନିଜ ଘରକୁ ଫେରିପାରି ନଥିବା ବେଳେ ଖାଇବା ପିଇବା‌ରେ ମଧ୍ୟ ବହୁ ସମସ୍ୟାର ସମ୍ମୁଖିନ ହୋଇଥିଲେ। ଆଜି ପୁଲିସ୍‌ ପକ୍ଷରୁ ପାଣି ଓ କିଛି ସୁଖିଲା ଖାଦ୍ୟ ସକାଳେ ଦିଆଯାଇଥିବା ବେଳେ କିଛି ଯାତ୍ରୀ ଆହାର କେନ୍ଦ୍ର ଯାଇ ମଧ୍ୟାହ୍ନରେ ଖାଇଥିଲେ। ପାଟଣାଗଡ ଅଞ୍ଚଳ ଲମ୍ପଡ ଗ୍ରାମର ମଧୁ ସୁନା କହିଛନ୍ତି ଯେ ନିଜ ସ୍ତ୍ରୀ ଓ ପିଲାମାନଙ୍କ ସହ ସଙ୍ଗାତ ପୁଅ ବାହାଘରକୁ ଆସିଥିବା ବେଳେ ଲକ୍‌ଡାଉନ୍‌ରେ ଆଉ ଘରକୁ ଫେରି ପାରିନଥିଲେ। ବସ୍‌ ଯିବା ଆରମ୍ଭ ହେବା ପରେ କାଲି ଘରକୁ ଯିବା ପାଇଁ ବାହାରି ଏଠି ଫସି ରହିଛୁ। ସେହିପରି ବୌଦ୍ଧ ମତ୍ସ୍ୟ ବିଭାଗରେ କାର୍ଯ୍ୟରତ ବ୍ରହ୍ମପୁରର ହରିହର ‌ବେହେରା କହିଛନ୍ତି ନିଜ ପରିବାର ସହ ସେଠି ରହୁଥିବା ବେଳେ ଛୁଟିରେ ଘରକୁ ଆସି‌ଥିଲେ। ଦୁର୍ଘଟଣା ସମ୍ମୁଖିନ ହେବା ପରେ ସଟ୍‌ ଡାଉନ୍‌ ଯୋଗୁ ଏଠାରେ ଫସି ଯାଇଛୁ। ନା ଘରକୁ ଫେରି ପାରୁଛୁ ନା ଆଗକୁ ଯାଇ ପାରିଛୁ। ଏମାନଙ୍କ ଭଳି ଅନ୍ୟଯାତ୍ରୀ ମାନେ ଅନ୍ୟ ଉପାୟ ନପାଇ ବସ୍‌ଷ୍ଟାଣ୍ଡରେ ପଡି ରହିଥିବା ଦେଖିବାକୁ ମିଳିଛି।

 

ସମ୍ବନ୍ଧିତ ଖବର