ମଣ୍ଡି ଆରମ୍ଭ ନହୋଇ ୧୭୦ ଚାଷୀ ଧାନ ବିକ୍ରି କରି ସାରିଲେଣି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ୧୩୮ଟି ସେବା ସମବାୟ ସମିତି ଜରିଆରେ ଧାନମଣ୍ଡି ସ୍ଥାପନ କରାଯାଇଛି । ତେବେ ଅନେକ ସ୍ଥାନରେ ମଣ୍ଡି ଆରମ୍ଭ ହୋଇ ନଥିବା ନେଇ ଚାଷୀ ଅଭିଯୋଗ କରିଥିବା ବେଳେ ସେହି ସ୍ଥାନରୁ ଚାଷୀ ଧାନ ବିକ୍ରି କରିସାରିଥିବା ଯୋଗାଣ ବିଭାଗ କହିଛି ।

ଡିସେମ୍ବର ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଳାରେ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ମଣ୍ଡି ଆରମ୍ଭ ହୋଇଥିଲା । ବର୍ତମାନ ୨ ମାସ ବିତିଯାଇଛି କିନ୍ତୁ ଅନେକ ସ୍ଥାନରେ ମଣ୍ଡି ଆରମ୍ଭ ହୋଇନାହିଁ । ଆଜି ଏନେଇ ଭୁବନେଶ୍ୱର ବ୍ଲକର ଚନ୍ଦକା, ଦାରୁଠେଙ୍ଗ ଆଦି ପଞ୍ଚାୟତ ଚାଷୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଶୀଘ୍ର ମଣ୍ଡି ଖୋଲିବାକୁ ଦାବି କରିଛନ୍ତି ।

ସେମାନଙ୍କ ଲିଖିତ ଅଭିଯୋଗ ଅନୁସାରେ, ଦୁଇଟି ପଞ୍ଚାୟତର ମୋଟ ଲୋକଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଚାଷୀଙ୍କ ପାଇଁ  ବର୍ତମାନ ସୁଦ୍ଧା ମଣ୍ଡି ଆରମ୍ଭ ହୋଇନାହିଁ କି ସେମାନଙ୍କୁ ଟୋକେନ୍ ମିଳିନାହିଁ ।

ତେବେ ଆଶ୍ଚର୍ଯ୍ୟଜନକ ଭାବେ, ଯୋଗାଣ ବିଭାଗ ସୂଚନାରେ ଶିମିଳିପାଟଣାରେ ପଂଜୀକୃତ ହୋଇଥିବା ମୋଟ ୨୨୧ ଜଣ ଚାଷୀଙ୍କ ମଧ୍ୟରୁ ୧୭୦ଜଣ ଚାଷୀଙ୍କ ଠାରୁ ଆଜି ସୁଦ୍ଧା ୫୨୯୬.୧୬ କ୍ୱିଂଟାଲ୍ ଧାନ କିଣା ସରିଛି ।

ଶିମିଳିପାଟଣା କୃଷି ସେବା ସମବାୟ ସମିତିର ପଂଜୀକୃତ ଚାଷୀ ଦିଲୀପ କୁମାର ପରିଡ଼ା କହିଛନ୍ତି ଯେ ଏହି ସେବା ସମବାୟ ସମିତି ଅଧୀନରେ ଚନ୍ଦକା ଓ ଦାରୁଠେଙ୍ଗ ପଂଚାୟତର ପ୍ରାୟ ୭୦୦ରୁ ଉଦ୍ଧ୍ୱର୍ ଚାଷୀ ନିଜର ଧାନ ବିକ୍ରି କରିପାରିନାହାନ୍ତି । ଏନେଇ ସେମାନେ ସମବାୟ ସମିତି ସେକ୍ରେଟାରୀଙ୍କୁୁ ଯୋଗାଯୋଗ କରିବାରୁ ସେ ଏନେଇ କୌଣସି ଉତ୍ତର ନଦେଇ ପ୍ରସଙ୍ଗକୁ ଏଡ଼ାଇ ଦେଉଛନ୍ତି ।

ଗୋଟିଏ ପଟେ ଚାଷୀଙ୍କୁ ଟୋକେନ୍ ମିଳି ନଥିବା କି ବିକ୍ରି କରି ନଥିବା ଅଭିଯୋଗ କରୁଥିବା ବେଳେ ଆରପଟେ କିଭଳି ସେହି ଧାନମଣ୍ଡିରୁ ମିଲର ଧାନ କିଣିଛି ସେନେଇ ସନ୍ଦେହ ସୃଷ୍ଟି ହେଉଛି । କେବଳ ଏହାନୁହେଁ, ଯୋଗାଣ ବିଭାଗର ଅନ୍ଲାଇନ୍ ସୂଚନାରେ କେଉଁ ଚାଷୀ ଧାନ ବିକ୍ରି କରିଛି ସେନେଇ କୌଣସି ସୂଚନା ମଧ୍ୟ ନାହିଁ । ଏନେଇ ଯୋଗାଣ ବିଭାଗକୁ ପଚାରିବାରେ ସମିତି ସମ୍ପର୍କରେ ସେ କିଛି କହିପାରିବେ ନାହିଁ ଏହା ସମବାୟ ସମିତି ରେଜିଷ୍ଟାରଙ୍କ ଅଧୀନ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ।

ସମ୍ବନ୍ଧିତ ଖବର