ସମୂହ ଛୁଟିରେ ଖୋର୍ଦ୍ଧା ଉପଖଣ୍ଡର ୩୦୦ ଜିଲ୍ଲାସ୍ତରୀୟ ଅମଲା, ସରକାରୀ କାର୍ଯ୍ୟାଳୟ କାମ ଠପ୍

ଖୋର୍ଦ୍ଧା: ରାଜ୍ୟ ମିଳିତ ଅମଲା ମଂଚର ନିଷ୍ପତ୍ତିକ୍ରମେ ଗୁରୁବାର ଖୋର୍ଦ୍ଧା ଉପଖଣ୍ଡର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ୩୦୦ ଜିଲ୍ଲାସ୍ତରୀୟ ଅମଲା ଓ ଜିଲ୍ଲାର ୧୪ଶହ ଅମଲା  ସମୂହ ଛୁଟିରେ ଯାଇଛନ୍ତି । ଅମଲାଙ୍କ ଛୁଟି ପରେ ଜିଲ୍ଲା ସଦର ମହକୁମାର ବିଚାରବିଭାଗୀୟ, ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ସମସ୍ତ ସରକାରୀ କାର୍ଯ୍ୟାଳୟର କାମ ପ୍ରାୟତଃ ସ୍ଥାଣୁ ହୋଇଯାଇଛି ।

ଆଜି ସକାଳେ ୧୦ମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ପରବର୍ତୀ ଉଚ୍ଚ ଶିକ୍ଷା ପାଇଁ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଆଦି ଆବେଦନ କରିଥିବା କେତେକ ଛାତ୍ରଛାତ୍ରୀଙ୍କ ଅଭିଭାବକ ତହସିଲ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରିଯାଇଥିବା ଦେଖିବାକୁ ମିଳିଥିଲା । କେବଳ ତହସିଲ ନୁହେଁ ଉପନିବନ୍ଧକ, ଉପଜିଲ୍ଲାପାଳ, ଜିଲ୍ଲାପାଳ, ଶିକ୍ଷା ବିଭାଗ ଆଦି କାର୍ଯ୍ୟାଳୟରେ କୌଣସି କିରାଣୀଙ୍କ ଦେଖାମିଳିନଥିଲା । ବିଭିନ୍ନ କାର୍ଯ୍ୟ ପାଇଁ ଆସିଥିବା ଅନେକ ଲୋକ ଆସି ଅମଲାଙ୍କ ଆନେ୍ଦାଳନ ସମ୍ପର୍କରେ ଶୁଣି ଫେରିଯାଇଥିଲେ।

ସକାଳ ପ୍ରାୟ ୯ଟା ବେଳେ ମଂଚର ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚର କର୍ମକର୍ତା ଅଶୋକ କୁମାର ପଣ୍ଡା, ସନ୍ତୋଷ କୁମାର ନିଶଙ୍କ ସମେତ ସଂଗଠନର ସଦସ୍ୟମାନେ ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାନର ଲଗାଇ ବସିଥିଲେ । ପରେ ସମୂହ ଛୁଟି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏନେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ୨୦୧୭ରୁ ଜିଲ୍ଲାସ୍ତରୀୟ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ସହ କଂପ୍ୟୁଟର ଜ୍ଞାନକୁ ନିହାତି ଆବଶ୍ୟକ ବୋଲି ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି । ଯୋଗ୍ୟତା ବୃଦ୍ଧି କରିଥିଲେ ମଧ୍ୟ ସେମାନଙ୍କ ବେତନ ଆଦି ବୃଦ୍ଧି କରିନାହାନ୍ତି । ଏନେଇ ସରକାରଙ୍କୁ ବିଭିନ୍ନ ସମୟରେ ଲିଖିତ ଓ ପ୍ରତିନିଧି ମଣ୍ଡଳ ଯାଇ ପ୍ରତ୍ୟକ୍ଷ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି । ଏହାର ପ୍ରତିବାଦରେ ସମସ୍ତ ଅମଲା ସମୂହ ଛୁଟିରେ ଯାଇଛନ୍ତି । ସେମାନଙ୍କ ଦାବି ପ୍ରତି ବିଚାର ନକଲେ ଏହି ଆନେ୍ଦାଳନ ଜାରି ରହିବ ।

ସମ୍ବନ୍ଧିତ ଖବର