ମୟୂରଭଞ୍ଜରେ କମୁନି ମୃତ୍ୟୁର ଧାରା: ଶ୍ମଶାନରୁ ଲିଭୁନି ଜୁଇ, ପୁଣି ଜଣେ ମୃତ

ନୂଆ ୧୭୧ ପଜିଟିଭ ଚିହ୍ନଟ, ବାରିପଦାରେ ବେକାବୁ, ୮ଶହ ଡେଇଁଲା

ବାରିପଦା: ମୟୂରଭଞ୍ଜରେ କମୁନି କରୋନାଜନିତ ମୃତ୍ୟୁର ଧାରା। ଜିଲ୍ଲା ସଦରମହକୁମା ବାରିପଦାରେ ଥିବା ଦୁଇଟି ଶ୍ମଶାନରେ କରୋନା ପୀଡ଼ିତଙ୍କ ଜୁଇ ଏକପ୍ରକାର ଲିଭୁନଥିବା କହିଲେ ଚଳେ। ଆଜି ଜିଲ୍ଲାରୁ ପୁଣି ଜଣେ ବୃଦ୍ଧଙ୍କର କରୋନାଜନିତ ମୃତ୍ୟୁ ଘଟିଛି। ସରକାରୀ ରିପୋର୍ଟ ଅନୁସାରେ ଆଜି ସୁଦ୍ଧା ଜିଲ୍ଲାରୁ ୧୮ଜଣ କରୋନାଜନିତ ମୃତ୍ୟୁ ଘଟିସାରିଛି। ମାତ୍ର ଏହି ତାଲିକାରେ ଆହୁରି ଅନେକ ମୃତକଙ୍କ ନାମ ଯୋଡ଼ିହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରିକି କରୋନାରୁ ଭଲ ହୋଇସାରିଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟୁଥିବା ଆଜି ବାରିପଦାରେ ପରିଲକ୍ଷିତ ହୋଇଛି।

ଆଜି ବାରିପଦା ପୌରପରିଷଦର ଲୋକନାଥ ଜେନା ଯେ କି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିସାରିଥିଲେ, ତାଙ୍କର ଆଜି ମୃତ୍ୟୁ ଘଟିଛି। ଆଜି ଜିଲ୍ଲାରୁ ପୁଣି ୧୭୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସ୍ଥାନୀୟ ସଂସ୍ପର୍ଶରୁ ୧୬୭ ଜଣ ରହିଛନ୍ତି। ଏଥିସହିତ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୭୫୯କୁ ବୃଦ୍ଧି ପାଇଛି । ଆଜି ମଧ୍ୟ ଜିଲ୍ଲାରେ ବାରିପଦା ପୌରପରିଷଦରୁ ସର୍ବାଧିକ ୩୯ ଜଣ ସଂକ୍ରମିତ ହୋଇଛନ୍ତି । ବାରିପଦାରେ ଏକପ୍ରକାର ବେକାବୁ ହୋଇପଡ଼ିଛି କରୋନା। ଚଳିତ ସେପ୍ଟେମ୍ବର ମାସରେ ଆଜିସୁଦ୍ଧା ବାରିପଦା ପୌରପରିଷଦରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦୫ରେ ପହଞ୍ଚି ସାରିଲାଣି।

ଆଜି ବାରିପଦା ବ୍ଲକରୁ ୨, ବଡ଼ସାହି ବ୍ଲକରୁ ୧୧, ବହଳଦାରୁ ୩, ବାଙ୍ଗିରିପୋଷିରୁ ୧, ବେତନଟୀରୁ ୧, ବିଶୋଇରୁ ୪, ଗୋପବନ୍ଧୁନଗରରୁ ୧୨, ଯଶୀପୁରରୁ ୭, କପ୍ତିପଦାରୁ ୫, କରଞ୍ଜିଆ ବ୍ଲକରୁ ୬, କରଞ୍ଜିଆ ଏନଏସିରୁ ୬, ଖୁଣ୍ଟା ବ୍ଲକରୁ ୨, କୁଳିଅଣା ବ୍ଲକରୁ ୧, ମୋରଡ଼ା ୫, ରାଇରଙ୍ଗପୁର ବ୍ଲକରୁ ୬, ରାଇରଙ୍ଗପୁର ପୌରପରିଷଦରୁ ୨, ରରୁଆଁରୁ ୫, ରାସଗୋବିନ୍ଦପୁର ୪, ଶାମାଖୁଣ୍ଟାରୁ ୭, ଶୁକୃଳିରୁ ୪, ଶୁଳିଆପଦାରୁ ୨୨, ଠାକୁରମୁଣ୍ଡାରୁ ୯ ଓ ତିରିଂ ବ୍ଲକରୁ ୩ ଜଣେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏଥିସହିତ ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୫ ହଜାର ୩୭୮ ଏବଂ ଆଜି ପର୍ଯ୍ୟନ୍ତ ସକ୍ରିୟ ସଂଖ୍ୟା ୧ ହଜାର ୩୬୩ ରହିଛି ।

ସମ୍ବନ୍ଧିତ ଖବର