ସହରକୁ ଆସୁଛି ଅରୁଣାଚଳପ୍ରଦେଶର ନକଲି ବିଦେଶୀ ମଦ, ୧୩ ଲକ୍ଷ ଟଙ୍କାର ୧୭୧୦ ଲିଟର ମଦ ଜବତ

କିଙ୍ଗପିନ୍‌ ଅନୀଲ ସମେତ ୪ ଗିରଫ

ରାଉରକେଲା: ଅରୁଣାଚଳ ପ୍ରଦେଶରୁ ଚୋରାରେ ନକଲି ବିଦେଶୀ ମଦ ଆସିଥିଲା ଝାଡ଼ଖଣ୍ଡର ବୋକାରୋ ସହରକୁ। ସେଠାରୁ ପୁଣି ଚୋରାରେ ସୀମା ପାର କରି ଅଣାଯାଇଥିବା ସୁନ୍ଦରଗଡ଼ ଜିଲ୍ଲାକୁ। ରାଉରକେଲା ପୁଲିସ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ଗ୍ରାମରେ ଗଚ୍ଛିତ କରି ରଖାଯାଇଥିଲା। ସେଠାରେ ଗୋଟିଏ ରାତି ଲୁଚାଇ ରଖାଯାଇଥିଲା। ତା’ ପର ରାତିରେ ଉକ୍ତ ମଦକୁ ରାଉରକେଲାକୁ ଆଣି ବିଭିନ୍ନ ଛୋଟ ବଡ଼ ଢ଼ାବା, ଖୁଚୁରା ମଦ ବେପାରିଙ୍କୁ ବିକ୍ରି କରିଥାନ୍ତେ। ମାତ୍ର ମଦ ବେପାରିଙ୍କ ସବୁ ଯୋଜନା ଫସର ଫାଟିଯାଇଛି। ମଦ ସବୁ କାର୍‌ରେ ଲଦା ହେଉଥିବା ସମୟରେ ରାଉରକେଲା ଅବକାରୀ ପୁଲିସ ଅତର୍କିତ ଚଢ଼ଉ କରି ମଦକୁ ଜବତ କରିଛି। କେବଳ ଗୋଟିଏ କି ଦୁଇ ପେଟି ନୁହେଁ, ବରଂ ୧୯ ପେଟି(୧୭୧୦ ଲିଟର) ନକଲି ବିଦେଶୀ ମଦ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩ ଲକ୍ଷ ହେବ। ଏହାସହ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗଦାର କିଙ୍ଗ୍‌ପିନ୍‌ ଅନୀଲ ସାହୁ(୫୫) ଓ ତାଙ୍କର ତିନି ସାଥୀ ବିନୋଦ ପାତ୍ର(୨୮), ବୀରେନ୍ଦ୍ର ସାହୁ(୫୫) ଓ ମନୋଜ ସିଂହ(୩୧)।

ସମ୍ବନ୍ଧିତ ଖବର