ରାୟଗଡ଼ାରେ ୧୭୪ ମିମି ବର୍ଷା; ହରିଜନ ସାହିର ୬୦ ଘରେ ପଶିଲା ପାଣି

ରମା ଟକିଜ୍, ଆରକେ ନଗର ସହ ଅଧା ସହର ଜଳାର୍ଣ୍ଣବ; ନିଷ୍କାସନ ହୋଇପାରୁନି ବର୍ଷା ପାଣି, ଯାତାୟାତ ବାଧାପ୍ରାପ୍ତ

ରାୟଗଡ଼ା: ପ୍ରାକ୍ ମୌସୁମୀ ବର୍ଷାରେ ବେହାଲ୍ ହୋଇଛି ରାୟଗଡ଼ା ସହର। ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଅଧା ସହର ଜଳାର୍ଣ୍ଣବ ହୋଇ ପଡିଛି। ସହରର ପ୍ରମୁଖ ଡ୍ରେନ୍ ଗୁଡ଼ିକ ପୋତି ହୋଇଥିବା କାରଣରୁ ବର୍ଷା ପାଣି ନିଷ୍କାସନ ହୋଇନପାରି ଘର ଭିତରେ ପଶିଛି। ସହରର ହରିଜନ ସାହିରେ ଆଣ୍ଠୁଏ ଉଚ୍ଚରେ ବର୍ଷା ଜଳ ଜମି ରହିବା ସହ ଘର ଭିତରେ ପଶିଛି। ଫଳ‌ରେ ସାହିରେ ବସବାସ କରୁଥିବା ୬୦ ଲୋକଙ୍କ ଘରେ ପାଣି ପଶିବା ଯୋଗୁ ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେହିପରି ସହରର ଆରକେ ନଗର, ରମା ଟକିଜ୍ ରୋଡ୍, ମେଡ଼ିକାଲ୍ ପଛ ପାର୍ଶ୍ବ ଅଞ୍ଚଳ, ଡିପିସି ଅଫିସ୍, ଦୈନିକ ବଜାର ଅଞ୍ଚଳରେ ବର୍ଷା‌ ପାଣି ରାସ୍ତା ଉପରେ ଜମି ରହିବା ସହ ଲହଡି ଭାଙ୍ଗିଛି। ରାସ୍ତା ଉପରେ ଥିବା ବର୍ଷା ପାଣି ୪/୫ ଘଣ୍ଟା ଧରି ଜମି ରହିବା କାରଣରୁ ଲୋକେ ଘରୁ ବାହାରି ପାରିନଥିଲେ। ଅପରାହ୍ନରେ ବର୍ଷା କମିବା ପରେ ରାସ୍ତା ଉପରୁ ପାଣି କମିଥିଲା। କିନ୍ତୁ ରାସ୍ତା ଉପରେ କାଦୁଅ ଜମି ରହିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୌର ପରିଷଦ ଅଧିକାରୀ ହରିଜନ ସାହିରେ ପହଞ୍ଚି ପାଣି ନିଷ୍କାସନ ପାଇଁ ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ହରିଜନ ସାହିରେ ଡ୍ରେନ୍ ନିର୍ମାଣ ହୋଇନଥିବାରୁ ସହରର ନର୍ଦମା ଓ ବର୍ଷା ଜଳ ପୂରା ସାହିରେ ଜମି ରହୁଛି। ଏ ସଂପର୍କରେ ପୌର ପରିଷଦ ନିର୍ବାହୀ ଅଧିକାରୀ ୟାସିଲ୍ ବିଲାଲ ଅହମ୍ମଦଙ୍କୁ ପଚାରିବାରୁ ହରିଜନ ସାହିରେ ଡ୍ରେନ୍ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି।

Sambad

ଡ୍ରେନ୍ ନିର୍ମାଣ ହେଉଥିବା ସ୍ଥାନରେ ସାହିର ଜଣେ ବ୍ୟକ୍ତି ଘର କରି ରହୁଥିବାରୁ କାମ ଆରମ୍ଭ ହୋଇପାରିନି। ଉକ୍ତ ବ୍ୟକ୍ତିଙ୍କୁ ବୁଝାଶୁଝା ସରିଛି। ଚଳିତ ସପ୍ତାହରୁ ଡ୍ରେନ୍ ନିର୍ମାଣ କାମ ଆରମ୍ଭ ହେବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କେରଳକୁ ମୌସୁମୀ ଛୁଇଁବା ପରେ ୧୦ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଛି। ଏହା ସହିତ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣି ବଳୟ ସକ୍ରିୟ ହୋଇଥିବାରୁ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା ଜିଲ୍ଲାରେ ୧୭୪ ମିମି ବର୍ଷା ରେକର୍ଡ କରାଯାଇଛି। କାଶୀପୁରରେ ସର୍ବାଧିକ ୭୪.୩ ମିମି ବର୍ଷା ହୋଇଛି। ସେହିପରି ରାୟଗଡ଼ାରେ ୧୬.୮ ମିମି, କୋଲନରାରେ ୧୯.୬ ମିମି, କଲ୍ୟାଣସିଂହପୁରରେ ୫.୨ ମିମି, ଗୁଣପୁରରେ ୪ ମିମି, ପଦ୍ମପୁରରେ ୨୨.୨ ମିମି, ଗୁଡାରିରେ ୧୦.୪ ମିମି, ରାମନାଗୁଡାରେ ୧୭.୨ ମିମି, ଚନ୍ଦ୍ରପୁରରେ ୪.୩ ମିମି ବର୍ଷା ହୋଇଛି। ବିଷମକଟକ, ମୁନିଗୁଡାରେ ବର୍ଷା ହୋଇନଥିବା ରେକର୍ଡ ହୋଇଛି। ହାରାହାରି ୧୫.୧୬ ମିମି ହାରରେ ଜିଲ୍ଲାରେ ବର୍ଷା ହୋଇଛି। ସେହିପରି ୧୦ ତାରିଖରେ ଜିଲ୍ଲାରେ ୧୬୬.୮ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜିଲ୍ଲାରେ ମୌସୁମୀ ବାୟୁ ସକ୍ରିୟ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ସମ୍ବନ୍ଧିତ ଖବର