ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ବଡ ସଫଳତା। ଚିତ୍ରକୋଣ୍ଡା ପୁଲିସର ବଡ ଚଢ଼ାଉ। ଏହି ଚଢାଉରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ୭ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ମଧ୍ୟ ସଫଳତା ହାସଲ କରିଛି। ଚିତ୍ରକୋଣ୍ଡା ପୁଲିସ ଟିମ ପୁରୁଣାପଣି,ଆରଏସି-୧୦ ଏବଂ ରଥଗୁଡା ଅଂଚଳରେ ପେଟ୍ରୋଲିଂ କରୁଥିଲେ। ଏସ୍ଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଉଥିଲା। ରଥଗୁଡା ନିକଟରେ ପୁଲିସ ଦେଖିଥିଲା ଯେ ପ୍ରାୟ ୧୦ ଜଣ ଲୋକ ଠିଆ ହୋଇଛନ୍ତି ଏବଂ ପ୍ରାୟ ୭୬ଟି ଜରି ବ୍ୟାଗ ରଖାଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପୁଲିସ ସେଠାକୁ ଯିବା ବେଳକୁ ପୁଲିସକୁ ଦେଖି ଲୋକମାନେ ଜଙ୍ଗଲ ଆଡକୁ ଦୌଡ଼ିଥିଲେ। ତୁରନ୍ତ ପୁଲିସ ଚାରିଆଡେ ଘେରିଯାଇ ୯ଜଣ ବ୍ୟକ୍ତିଙ୍କୁ କାବୁ କରିପାରିଥିଲେ। ପ୍ରକାଶ ଥାଉକି ସେହି ଅଂଚଳ ସଂପୂର୍ଣ୍ଣ ବିପଦପୂର୍ଣ୍ଣ ଥିବା ବେଳେ କୌଣସି ମୁହର୍ତ୍ତରେ ମଧ୍ୟ କିଛି ଘଟିବାର ସମ୍ଭାବନା ରହିଥିଲା।

Advertisment

ପ୍ରଥମତଃ ନକ୍ସଲ ପ୍ରବଣ ଏବଂ ଦ୍ବିତୀୟରେ ଗଞ୍ଜେଇ ମାଫିଆଙ୍କ ଟାର୍ଗେଟର ଶିକାର ହେବାକୁ ପଡିବ। ତେଣୁ ଅତି ସତର୍କତାର ସହ ଚଢାଉ କରାଯାଇ ସେଠାରୁ ୭୬ଟି ଜରି ବ୍ୟାଗ ଜବତ କରାଯାଇଥିଲା। ଯାହାକୁ ପରେ ଓଜନ କରାଯିବା ପରେ ଜଣାପଡିଥିଲା ଯେ ପ୍ରାୟ ୧୭୧୫ କିଲୋ ୮୦୦ ଗ୍ରାମ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ। ଏହାକୁ ସିଲେରୁ ରାସ୍ତା ଦେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିଲା। ଏହି ଗଞ୍ଜେଇକୁ ଚାଲାଣ କରିବାକୁ ଚେଷ୍ଟା କରୁଥିବା ୯ ଜଣ ଅଭିଯୁକ୍ତ ହେଲେ ସୋନା ଖିଲ,ଅର୍ଜୁନ ଖିଲ,ଡମ୍ବରୁ ଖିଲ,ପ୍ରହ୍ଲାଦ ଖିଲ,ପଦଲମ ଖିଲ,ଅର୍ଜୁନ ହାନ୍ତାଳ,ଚନ୍ଦ୍ର ଖିଲ,ନରସିଂହ ଦଳପତି, ଏବଂ ଦାସ ଖିଲ। ଏମାନେ ସମସ୍ତେ ପୁରୁଣାପଣି ଅଂଚଳର ବୋଲି ପୁଲିସ କହିଛି। ତେବେ ଏହି ଗଞ୍ଜେଇ ଚାଲାଣରେ ଆହୁରି ବହୁ ମାଫିଆଙ୍କ ହାତ ରହିଥିବା ଜଣାପଡିଛି।

ତେଣୁ ପୁଲିସ ଏ ନେଇ ଅଧିକା ତଦନ୍ତ କରୁଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ମାଲକାନଗିରି ପୁଲିସ ୫ ହଜାର କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିସାରିଲାଣି। ମାଲକାନଗିରି ଏସପି ନିତିଶ ଵାଧଵାନୀଙ୍କ ନିର୍ଦ୍ଦେଶ କ୍ରମେ ଲଗାତାର ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଚଢାଉ ଜାରି ରହିଛି। ଚିତ୍ରକୋଣ୍ଡା ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ନିଦ ଏସଡ଼ିପିଓ ଅଂଶୁମାନ ଦ୍ବିବେଦୀ ନିଦ ହଜାଇ ଦେଇଥିବା ଆଲୋଚନା ଜୋର ଧରିଛି। ଆଗାମୀ ଦିନରେ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି ପୁଲିସ କହିଛି।