ବାଲିଅନ୍ତା:ବାଲିଅନ୍ତା ବ୍ଲକର ପ୍ରମୁଖ ଜନଗହଳିପୂର୍ଣ୍ଣ ବଜାର ରାସ୍ତାକୁ କବଜା କରି ଅଧିକାଂଶ ବ୍ୟବସାୟୀ କାରବାର ଚଳାଇଛନ୍ତି। ଉଭୟ ପାର୍ଶ୍ବରେ ଥିବା ଫୁଟଫାତ ରାସ୍ତାକୁ ମଧ୍ୟ କିଛି ବ୍ୟବସାୟୀ କବଜା କରି ବ୍ୟବସାୟ ଚଳାଇଛନ୍ତି। ଯାହାଫଳରେ ଗାଡ଼ିମଟର ଯାତାୟତ ବେଳେ ଉକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ରାସ୍ତା ଅବସ୍ଥା ସଂକୁଚିତ ହୋଇପଡ଼ିଥିବାରୁ ଭାରୀଯାନ ପରସ୍ପରକୁ ଅତିକ୍ରମ କରିବା କଷ୍ଟକର ହୋଇପଡ଼ୁଛି। ଉଭୟ ପାର୍ଶ୍ବରେ ଘଣ୍ଟା ଘଣ୍ଟା ଧରି ଗାଡ଼ିମଟର ଅଟକି ରହୁଛି। ଜନ ସାଧାରଣଣ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଖାଲି ସେତିକି ନୁହେଁ ରାସ୍ତା ଅବସ୍ଥା ସଂକୀର୍ଣ୍ଣ ହୋଇପଡ଼ିବା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ସମସ୍ୟାର ସମାଧାନ ନେଇ ବାଲିଅନ୍ତା ତହସିଲ ପ୍ରଶାସନ ଏବେ ସ୍ଥିର ହୋଇଛି। ପୁରୀ ମୁଖ୍ୟ କେନାଲ ବନ୍ଧ ଠାରୁ ଭାର୍ଗବୀ ନଦୀବନ୍ଧ ପର୍ୟ୍ୟନ୍ତ ପ୍ରାୟ ୧ କିମି ପର୍ୟ୍ୟନ୍ତ ଥିବା ଉକ୍ତ ବଜାରରୁ ଜବରଦଖଲ ଉଚ୍ଛେଦ ହେବ।
ଉଭୟ ପାର୍ଶ୍ବରେ ୧୭୭ ଜଣ ବ୍ୟବସାୟୀଙ୍କ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ବାଳକାଟି ବଜାରରୁ ଜବରଦଖଲ ଉଚ୍ଛେଦ ହେବ ବୋଲି ଖୋଦ ତହସିଲଦାର ସରୋଜ କୁମାର ପଣ୍ଡା ଜଣାଇଛନ୍ତ। ଏନେଇ ଉଭୟ ପାର୍ଶ୍ବରେ ଜବରଦଖଲରେ ଥିବା ୧୭୭ ଜଣ ବ୍ୟବସାୟୀଙ୍କୁ ତହସିଲ ପଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜବରଦଖଲକାରୀ ଚିହ୍ନଟ ବ୍ୟବସାୟୀଙ୍କ ନିକଟକୁ ନୋଟିସ ପଠାଯାଇଛି। ରାସ୍ତା ପାର୍ଶ୍ବରେ ବେଆଇନ ନିର୍ମାଣ କାର୍ୟ୍ୟକରି ବ୍ୟବସାୟ ଚଳାଇଥିବା ବ୍ୟବସାୟୀମାନେ ଯେପରି ଭଙ୍ଗାରୁଜା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରିନ୍ତି ସେନେଇ ତହସିଲଦାର ଶ୍ରୀ ପଣ୍ଡା ପ୍ରତାପଶାସନ ସରପଞ୍ଚ ଭାଗ୍ୟଧର ନନ୍ଦୀ ଓ ବଜାରକମିଟି ସଭାପତି ନଳିନୀକାନ୍ତ ମହାପାତ୍ରଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଉଭୟ ସରପଞ୍ଚ ଓ ସଭାପତି ଉଚ୍ଛେଦ ବେଳେ ପ୍ରଶାସନକୁ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ତହସିଲଦାର କହିଛନ୍ତି।
ଏସଂପର୍କରେ ତହସିଲଦାରଙ୍କୁ ପଚାରିବାରେ ଉଭୟ ପାର୍ଶ୍ବରୁ ୧୦ ଫୁଟ ଚଉଡ଼ାରେ ଜବରଦଖଲ ଥିବା ସବୁ ବେଆଇନ ନିର୍ମାଣ କାର୍ୟ୍ୟ ଭଙ୍ଗା ହେବ। ବ୍ୟବସାୟୀମାନେ ସ୍ବଇଚ୍ଛାରେ ଚିହ୍ନଟ ଅଂଶରୁ ଜବରଦଖଲ ହଟାଇବା ପାଇଁ କୁହାଯାଇଛି। ଯଦି ନକରି ବିରୋଧ କରନ୍ତି ତା’ ହେଲେ ପୁଲିସ ଫୋର୍ସ ଉପସ୍ଥିତିରେ ଦୋକାନ ଭଙ୍ଗାରୁଜା ହେବ। ଅନ୍ୟପକ୍ଷରେ ବଜାର କମିଟି ସଭାପତି ଶ୍ରୀ ମହାପାତ୍ର ସୂଚନା ଅନୁଯାୟୀ ଆସନ୍ତା କାଲି ସାପ୍ତାହିକ ହାଟ ପରସିରରେ ଏନେଇ ସମସ୍ତ ବ୍ୟବସାୟୀଙ୍କ ସମନ୍ବୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ବ୍ୟବସାୟ କମିଟି ତହସିଲ ପ୍ରଶାସନର ଉଚ୍ଛେଦ କାର୍ୟ୍ୟରେ ସହଯୋଗ କରିବେ କି ବିରୋଧ କରିବେ ତାହା ସ୍ପଷ୍ଟ ହୋଇଯିବ। ୫ ତାରଖ ସୁଦ୍ଧା କମିଟି ତହସିଲଦାରଙ୍କୁ ସୂଚନା ପ୍ରଦାନ କରିବ।