୧୮ରୁ ୪୪ ବର୍ଷ ଟିକାକରଣରେ ଜାଲିଆତି; ଅଫଲାଇନରେ ହାତେଇଛନ୍ତି ଶତାଧିକ

ଆଗଧାଡ଼ିର ଯୋଦ୍ଧାଙ୍କ ନାଁରେ ଖସି ଯିବାକୁ ଉଦ୍ୟମ; ଅନଲାଇନ୍ ଆବେଦନକାରୀଙ୍କ ମଧ୍ୟରୁ ନେଇନାହାନ୍ତି ୨୦୦ରୁ ଉର୍ଧ୍ବ

ରାୟଗଡ଼ା: ୧୮ରୁ ୪୪ ବର୍ଷ ଯୁଗବର୍ଗଙ୍କୁ ଟିକାକରଣ କ୍ଷେତ୍ରରେ ରାୟଗଡ଼ା ପୌରାଞ୍ଚଳରେ ବ୍ୟାପକ ଜାଲିଆତି ହୋଇଛି। ଟିକାକରଣ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ଅନଲାଇନ୍ କରିବାର ଗାଇଡ୍ ଲାଇନ୍ ରହିଛି। କିନ୍ତୁ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ସଲାସୁତୁରାରେ ଶତାଧିକ ଲୋକଙ୍କୁ ଅଫଲାଇନ୍ ମାଧ୍ୟମରେ ଟିକା ପ୍ରଦାନ କରିଛନ୍ତି। ଅଫଲାଇନରେ ଟିକା ନେଇ ସୋସିଆଲ୍ ମିଡିଆରେ ଯୁବ ଗୋଷ୍ଠୀ ଫଟୋ ପୋଷ୍ଟ କରିବା ପରେ ଏହି ଜାଲିଆତି ଖବର ପଦାକୁ ଆସିଛି। ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ସହ ବହୁ ଯୁବକ/ଯୁବତୀ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଯୁବବର୍ଗଙ୍କୁ ଟିକାକରଣ ପାଇଁ ଦାବି ଜୋରଦାର୍ ହୋଇଥିଲା। ବିଜେଡ଼ି-ବିଜେପି- କଂଗ୍ରେସ ଏ ନେଇ ସ୍ବର ଉତ୍ତୋଳନ କରିବା ସହ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବି ଜୋରଦାର୍ ହେବା ପରେ ଜୁନ୍ ୭ ତାରିଖରୁ ରାୟଗଡ଼ା ଜିଲ୍ଲାରେ ଯୁବବର୍ଗଙ୍କୁ ଟିକାକରଣ ଆରମ୍ଭ ହୋଇଛି। ପ୍ରାଥମିକତା ଭିତ୍ତ‌ିରେ ଜିଲ୍ଲା ସଦର ମହକୁମାର ପୌର ପରିଷଦକୁ ଗୁରୁତ୍ବ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା ପୌର ପରିଷଦ ପାଇଁ ୬୦୦୦ ଡୋଜ୍ ଟିକା ଆସିଥିବା ବେଳେ ପ୍ରଶାସନ ଅନଲାଇନ୍ ଜରିଆରେ ୭ ତାରିଖରେ ୨୦୦୦ ଡୋଜ୍, ୮ ତାରିଖରେ ୨୦୦୦ ଡୋଜ୍ ଏବଂ ୯ ତାରିଖରେ ୨୦୦୦ ଡୋଜ୍ ସ୍ଲଟ୍ ବୁକିଂ ପାଇଁ ଛାଡ଼ିଥିଲା। ଟିକା ପାଇଁ ଆଶାୟୀ ଥିବା ବହୁ ଯୁବ ବର୍ଗ ଅନଲାଇନ୍ ବୁକିଂ ପାଇଁ ଚେଷ୍ଟା କରି ସଫଳ ହୋଇନଥିବା ବେଳେ ଅନଲାଇନ୍ ନାଁରେ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ନିଜ ସଂପର୍କୀୟଙ୍କ ସମେତ ଶତାଧିକଙ୍କୁ ଟିକା ପ୍ରଦାନ କରିଛନ୍ତି।

ଜିଲ୍ଲା ପ୍ରଶାସନକୁ ଭୁଲ୍ ତଥ୍ୟ ଦେଇ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏପରି କରିଥିବା ବେଳେ ଏବେ ଖବର ହାଟରେ ପଡି ଦାଣ୍ଡରେ ଗଡ଼ିବା ପରେ ଟିକା ନେଇଥିବା କିଛି ଯୁବବର୍ଗଙ୍କୁ ସ୍ବାସ୍ଥ୍ୟ ବିଭାଗ ଆଗଧାଡ଼ିର କରୋନା ଯୋଦ୍ଧା ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛି। ଟିକାକରଣରେ ଅଫଲାଇନ୍ ବ୍ୟବସ୍ଥା ନଥିବା ସ୍ବାସ୍ଥ୍ୟ ବିଭାଗ ପ୍ରଥମରୁ ସ୍ପଷ୍ଟ କରିଥିବା ବେଳେ ଶେଷରେ କିପରି ନିଜ ନୀତି, ନିୟମକୁ ନିଜେ ଭାଙ୍ଗିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ, ୯ ତାରିଖରେ ଟିକା ନେଇଥିବା ୩୦ରୁ ଉର୍ଧ୍ବ ଯୁବକଙ୍କୁ ସ୍ବାସ୍ଥ୍ୟ ବିଭାଗ ଅନୁକମ୍ପା ଦେଖାଇଥିବା ବେଳେ ସାଧା କାଗଜରେ ହୋଇଥିବା ଆବେଦନକୁ ଖୋଦ୍ ସିଡିଏମ୍ଓ ଡା. ଆର୍ତ୍ତବନ୍ଧୁ ନାୟକ ଅନୁମତି ପ୍ରଦାନ କରିଛନ୍ତି। ଏ ସଂପର୍କରେ ସିଡିଏମଓଙ୍କ ପଚାରିବାରୁ ନୀତି, ନିୟମରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଟିକା ପ୍ରଦାନ କରାଯାଇଛି ବୋଲି କହିଛନ୍ତି। ସେପଟେ ଟିକା ନଷ୍ଟ ବଞ୍ଚାଇବାକୁ ଶେଷ ମୁର୍ହୂତ୍ତରେ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର।

ଅନ୍ୟପକ୍ଷରେ ଅନଲାଇନ୍ ବୁକିଂ କରିଥିବା ୨ ଶହରୁ ଉର୍ଧ୍ବ ଲୋକ ୩ ଦିନିଆ ଟିକାକରଣରେ ଟିକା ଗ୍ରହଣ କରିନଥିବା ବେଳେ ସେମାନଙ୍କ ଟିକା କାହାକୁ କେଉଁ ଆଧାରରେ ପ୍ରଦାନ କରାଗଲା ତାହା ତଦନ୍ତ ସାପେକ୍ଷ। ଏପରିକି ଜିଲ୍ଲାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ୨ ଶହରୁ ଉର୍ଧ୍ବ ଟିକା ଅଫଲାଇନରେ ପ୍ରଦାନ କରିବା ପାଇଁ ସଂରକ୍ଷିତ ରଖିବାକୁ ନିର୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଏ ସଂପର୍କରେ ମୁହଁ ଖୋଲୁ ନାହାନ୍ତି। ଜିଲ୍ଲାର ଗୁଣପୁର, ଗୁଡାରି ପୌରାଞ୍ଚଳରେ ଆଜି ସୁଦ୍ଧା ଯୁବବର୍ଗଙ୍କୁ ଟିକାକରଣ ଆରମ୍ଭ ହୋଇପାରିନି। କରୋନା କାଳରେ ଗୁଣପୁର ପୌରାଞ୍ଚଳର ୩୦ରୁ ଉର୍ଧ୍ବ ଯୁବକ/ଯୁବତୀଙ୍କ ମୃତ୍ୟୁ ହୋଇଛି। ଯଦି ରାୟଗଡ଼ା ପୌରାଞ୍ଚଳରେ ଟିକା ବଳିଲା ତାହାହେଲେ ପ୍ରାଥମିକତା ଭିତ୍ତିରେ ଗୁଣପୁର ପୌରାଞ୍ଚଳରେ ପ୍ରଦାନ ନେଇ ପ୍ରଶାସନ ପଦକ୍ଷେପ ନେବା କଥା। କିନ୍ତୁ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତାହା ନ କରି ଅଫଲାଇନରେ ଟିକା ପ୍ରଦାନ କରିବା ଠିକ୍ ନୁହେଁ ବୋଲି ଗୁଣପୁରର ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର