ଆରମ୍ଭ ହେଲା ୧୮-୪୪ ବର୍ଷ ବର୍ଗଙ୍କ ଟିକାକରଣ; ପ୍ରଥମ ଦିନରେ ୨୧୦୬ ଯୁବଗୋଷ୍ଠୀଙ୍କୁ ଟିକା ପ୍ରଦାନ

ବାରିପଦା: ଜିଲ୍ଲାରେ ଆଜିଠାରୁ ୧୮-୪୪ ବୟସର ଯୁବବର୍ଗଙ୍କ ପାଇଁ ଆରମ୍ଭ ହୋଇଛି କୋଭିଡ ଟିକାକରଣ କାର୍ଯ୍ୟକ୍ରମ। ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରରେ ୧୧ଟି ବିଭିନ୍ନ ସ୍ଥାନର ପ୍ରଥମ ଦିନରେ ୧୮-୪୪ ବୟସର ୨୧୦୬ ଜଣ ଯୁବ ପିଢିଙ୍କୁ ଟିକାକରଣ କରାଯାଇଛି। ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ବିଭିନ୍ନ ଟୀକାକରଣ କେନ୍ଦ୍ର ବୁଲି ସ୍ଥିତି ପରଖିଥିଲେ ଏବଂ ଟୀକା ନେବା ପାଇଁ ଯୁବ ପିଢିଙ୍କୁ ଆହ୍ୱାନ କରିଥିଲେ। ସେପଟେ ଯୁବ ପିଢିଙ୍କ ମଧ୍ୟରେ ଟିକାକରଣ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା। ଟୀକା ନେବାକୁ ଆସି କୋଭିଡ ନିୟମ ଅନୁସାରେ ଲମ୍ବା ଧାଡିରେ ଛିଡା ହୋଇ ଅପେକ୍ଷା କରି ଟିକା ନେଇଥିଲେ।

ତେବେ ବାରିପଦା ମ୍ୟୁନିସିପାଲିଟି ଅଞ୍ଚଳରେ ସୋମବାର ସକାଳ ୯ଘଟିକା ଠାରୁ ଦିନ ୨ଟା ମଧ୍ୟରେ ସହରର ଆରମ୍ଭ ହୋଇଥିବା ଟୀକାକରଣରେ ପିଆରଏମ୍ ହସ୍ପିଟାଲର ଏଏନ୍ଏମ୍ ତାଲିମ କେନ୍ଦ୍ରରେ ୧୮୪, ଦେବେନ୍ଦ୍ରପୁର ଅଞ୍ଚଳର ସହରାଞ୍ଚଳ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ରରେ ୧୮୮, ବାଲେଶ୍ୱର ଗୋଲେଇ ସ୍ଥିତ ଶରତ ଚନ୍ଦ୍ର ବିଦ୍ୟାପିଠରେ ୧୯୬, ଏମକେସି ଉଚ୍ଚ ବିଦ୍ୟାଳୟରେ ୧୯୩, ଭଞ୍ଜପୁର ଉଚ୍ଚ ବିଦ୍ୟାଳୟରେ ୧୯୧, ବେଲଗୋଡିଆ ୟୁପି ବିଦ୍ୟାଳୟରେ ୧୯୭, ମଧୁବନ ବାତ୍ୟା ଆଶ୍ରୟସ୍ଥଳୀରେ ୧୯୩, ଶ୍ରୀପଦଗଞ୍ଜ ବନ୍ୟା ଆଶ୍ରୟସ୍ଥଳରେ ୧୮୫, ସୁନାମୁହିନ୍ ବିଦ୍ୟାଳୟରେ ୧୯୪, ପୂର୍ଣ୍ଣଚନ୍ଦ୍ରପୁର ୟୁପି ବିଦ୍ୟାଳୟରେ ୧୯୪ ଓ କମଳା ନେହେରୁ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୯୧ ଜଣଙ୍କୁ ଟୀକାକରଣର ସୁବ୍ୟବସ୍ଥା ବାରିପଦା ମୁନିସିପାଲିଟି ପକ୍ଷରୁ କରାଯାଇଥିବା ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରକାଶ କରିଛନ୍ତି।

ଉପରୋକ୍ତ ଟିକାକରଣ ସ୍ଥାନଗୁଡିକ ପାଇଁ ସ୍ଲଟ୍ ବୁକିଂ ଅନଲାଇନ ମାଧ୍ୟମରେ କରି ଟିକାକରଣ ନେଇ ପାରିବେ। ଜିଲ୍ଲାରେ ଯୁବ ପିଢିଙ୍କ ପାଇଁ ଆରମ୍ଭ ହୋଇଥିବା କୋଭିଡ ଟିକାକରଣରେ ପ୍ରଥମ ଦିନରେ ୨୧୦୬ଜଣ ଟୀକା ନେଇ ଥିବା ବେଳେ ସେଥି ମଧ୍ୟରୁ କିଛି ଆନନ୍ଦିତ ଥିବା ଟିକାଦାତା ପ୍ରକାଶ କରିଛନ୍ତି ଏବଂ ଯଥାଶୀଘ୍ର ଟୀକା ନେଇ କୋଭିଡ-୧୯ ବିରୁଦ୍ଧ ଯୁଧ୍ୟରେ ସାମିଲ ହେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର