ବ୍ରଜରାଜନଗର: ପିନ୍ଧିଥିଲେ ଲୁଙ୍ଘି, ମୁଣ୍ଡରେ ଗାମୁଛା। କେହି କେହି ହାଫ୍ ପ୍ୟାଣ୍ଟ୍ ବି ପିନ୍ଧିଥିଲେ। ୩ଟି ଅଟୋରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିର୍ଦ୍ଦିଷ୍ଟ ସମୟରେ ୩ ପଟୁ ଘେରାଉ କରି ଚଢ଼ଉ କରିଥିଲେ। କେହି କିଛି ଜାଣିବା ଓ ବୁଝିବା ପୂର୍ବରୁ ଧାରା ପଡ଼ିଥିଲେ ୧୮ ଜୁଆଡ଼ି। ଜବତ ହୋଇଥିଲା ୮ ବାଇକ୍, ଲକ୍ଷାଧିକ ଟଙ୍କା। ପୁଲିସର ଏମିତି ବେଶ, ଅତର୍କିତ ଚଢ଼ଉ ଏବଂ ସୁଚିନ୍ତିତ ଯୋଜନା କୌଣସି ଚଳଚ୍ଚିତ୍ର ଦୃଶ୍ୟଠାରୁ କମ୍ ନଥିଲା। ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ବୁଧବାର ଅପରାହ୍ଣ ପ୍ରାୟ ୫ଟାରେ ବ୍ରଜରାଜନଗର ଥାନା ଅନ୍ତର୍ଗତ ବଡ଼ଜୋବ ଜଙ୍ଗଲରେ। ଜୁଆ ଖେଳ ଚାଲୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ବ୍ରଜରାଜନଗର ଏସ୍ଡିପିଓ ଦିଲ୍ଲୀପ ଦାସ ଏପରି ଯୋଜନାବଦ୍ଧ ଭାବେ ଚଢ଼ଉ କରିବାକୁ ନିର୍ଣ୍ଣୟ ନେଇଥିଲେ।
ସୂଚନା ଅନୁଯାୟୀ ବଡ଼ଜୋବ ଜଙ୍ଗଲ ଭିତରେ ଜୁଆ ଆଡ଼ା ଚାଲୁଥିବା ନେଇ ଏସଡିପିଓ ଶ୍ରୀ ଦାସ ଜାଣିବା ପରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ତିନୋଟି ଟିମ୍ ପ୍ରସ୍ତୁତ କରାଯାଇଥିଲା। ଟିମ୍ରେ ଶ୍ରୀ ଦାସ, ବ୍ରଜରାଜନଗର ଆଇଆଇସି ବୈକୁଣ୍ଠ ସେଠ, ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼, ରାମପୁର ଫାଣ୍ଡି ଅଧିକାରୀ ପ୍ରକାଶ ଦଳାଇ, ଏସ୍ଆଇ ପ୍ରଦ୍ୟୁମ୍ନ ସ୍ୱାଇଁଙ୍କ ସମେତ ୧୭ ଜଣ ୩ଟି ଅଟୋରେ ଚଢ଼ଉ କରିବାକୁ ଯବା ପାଇଁ ପ୍ରସ୍ତୁତ ହୋଇଥିଲେ। କେହି ପୁଲିସ ପୋଷାକରେ ନଥିଲେ। ମୁଣ୍ଡରେ ଗାମୁଛା, କେହି ହାଫ୍ ପ୍ୟାଣ୍ଟ ଓ ଲୁଙ୍ଘି ଆଦି ଆଦି ପିନ୍ଧିଥିଲେ।
/sambad/media/post_attachments/wp-content/uploads/2021/07/cc0188da-f819-4e27-991a-7aac65e98513.jpg)
ଯୋଜନା ଅନୁସାରେ ଭିନ୍ନ ଭିନ୍ନ ସମୟରେ ଅଟୋରେ ଯାଇ ସମସ୍ତେ ଜୁଆ ଆଡ଼ାର କିଛି ଦୂରରେ ପହଞ୍ଚିଥିଲେ। ନିର୍ଦ୍ଦିଷ୍ଟ ସମୟରେ ଘଟଣାସ୍ଥଳକୁ ଘେରାଉ କରି ଅତର୍କିତ ଭାବେ ଚଢ଼ଉ କରିଥିଲେ। ପୁଲିସର ଏଭଳି ଚଢ଼ଉ ସଂପର୍କରେ ଜୁଆଡ଼ିମାନଙ୍କୁ କୌଣସି ସୁରାକ ବି ମିଳି ପାରି ନଥିଲା। ଫଳରେ ଘଟଣାସ୍ଥଳରୁ ୧୮ଜଣଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା। ଗୋଟିଏ ବୋଲେରୋ, ୮ଟି ବାଇକ୍, ୧୮ ମୋବାଇଲ ପୋନ୍ ସହ ନଗଦ ୧ ଲକ୍ଷ, ୧୪ ହଜାର, ୩୨୦ ଟଙ୍କା ଜବତ କରାଯାଇଥିଲା। ଦୀର୍ଘ ଦିନରୁ ସେହି ଅଞ୍ଚଳରେ ଜୁଆ ଖେଳ ହେଉଥିବା ନେଇ ଶୁଣାଯାଉଥିଲା। ଜୁଆଡ଼ିମନେ ଜଙ୍ଗଲ ଭିତରେ ଦିନ ଓ ରାତି ଖେଳୁଥିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ଏହାର ସତ୍ୟାସତ୍ୟ ଜଣା ପଡୁ ନଥିଲେ। ଏହି ଅଞ୍ଚଳରେ ଜୁଆ ଖେଳିବା ପାଇଁ ସମ୍ବଲପୁର, ଝାରସୁଗୁଡ଼ା, ଛତିଶଗଡ଼ ଅଞ୍ଚଳରୁ ଜୁଆଡ଼ିମାନେ ଆସୁଥିବା ବେଳେ ଏହାର ମୁଖ୍ୟ ରେଙ୍ଗାଲି ଅଞ୍ଚଳର ବୋଲି କୁହାଯାଉଛି। ଆଜି ଯେଉଁ ଜୁଆଡ଼ିମାନେ ଧରା ପଡ଼ିଛନ୍ତି ସେମାନଙ୍କ ମଧ୍ୟରେ ରେଙ୍ଗାଲି ଥାନା ସାଗରପାଲି ଅଞ୍ଚଳର ଜଣେ ଥିବା ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/53af3f7f-ef61-4b55-94e7-1207f86be65e.jpg)