ବାଲିଅନ୍ତାରେ ଅଷ୍ଟଧାତୁ ମୂର୍ତ୍ତି ଚୋର ଗ୍ୟାଙ୍ଗ ଆତଙ୍କ; ରାତିକ ମଧ୍ୟରେ ଦୁଇ ମନ୍ଦିରରୁ ଲୁଟି ନେଲେ ୧୮ ମୂର୍ତ୍ତି

ଆନ୍ତଃରାଜ୍ୟ ଲୁଟେରା ସନ୍ଦେହ, ଗ୍ୟାଙ୍ଗର ଟେର ପାଉନି ପୁଲିସ, ଟାର୍ଗେଟରେ ପ୍ରାଚୀନ ମନ୍ଦିର

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠରେ ଥିବା ବାଲିଅନ୍ତା ଥାନା ଓ ବାଳକାଟି ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ମୂର୍ତ୍ତି ଚୋର ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ମୂର୍ତ୍ତି ଚୋର ଗ୍ୟାଙ୍ଗକୁ ଠାବ କରିବାରେ ଏଯାଏ କମିସନରେଟ ପୁଲିସ ସଫଳ ହୋଇପାରିନି। ଗତ ଡିସେମ୍ବର ମାସରୁ ଆଜି ଯାଏ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ପ୍ରାଚୀନ ମନ୍ଦିରକୁ ଟାର୍ଗେଟ କରି ଲୁଟେରା ଦେବାଦେବୀଙ୍କ ଆସ୍ଥାନ କଳାକନା ବୁଲାଇଛନ୍ତି। ହେଲେ ପୁଲିସ କୌଣସି ଘଟଣାରେ ମୂର୍ତ୍ତି ଚୋର ଗ୍ୟାଙ୍ଗ ଠାବ କରିବାରେ ସକ୍ଷମ ହୋଇପାରି ନାହିଁ। ଅନ୍ୟପକ୍ଷରେ ଏହି ଗ୍ୟାଙ୍ଗକୁ ଗିରଫ କରିବାରେ ପୁଲିସ ଏଯାଏ ସକ୍ଷମ ହୋଇପାରି ନାହିଁ।

ଗତକାଲି ରାତିରେ ବାଲିଅନ୍ତା ଥାନା ଅଧୀନ ସ୍ଥାନୀୟ ପ୍ରତାପରୁଦ୍ରପୁର ସ୍ଥିତ ଆଖଣ୍ଡଳେଶ୍ବର ମନ୍ଦିର ଓ କେନ୍ଦୁବିଲ୍ବସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରରୁ ବିଭିନ୍ନ ଦେବବେୀଙ୍କ ୧୫ଗୋଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଲୁଟ ମୂର୍ତ୍ତିର ମୂଲ୍ୟ ୧୫ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଅଭିଯୋଗ ପାଇ ବାଲିଅନ୍ତା ଥାନା ପୁଲିସ ସାଇଣ୍ଟିଫିକ ଟିମ ଓ ସ୍ପେଶାଲ ସ୍କ୍ବାର୍ଡ଼ ନେଇ ତଦନ୍ତ ଆରମ୍ଭ କରିଛି। ଆଖଣ୍ଡଳେଶ୍ବର ମନ୍ଦିରରୁ ୩ଟି ମୂର୍ତ୍ତି ଚୋରି ଯାଇଛ। ଲୁଟ ମୂତ୍ତି ମଧ୍ୟରେ ରହିଛି ୧ଫୁଟ ଉଚ୍ଚତାର ଚନ୍ଦ୍ରଶେଖର ମୂର୍ତ୍ତି, ୬ଇଞ୍ଚର ୩ଟି ପାର୍ବତୀଙ୍କ ମୂର୍ତ୍ତି ଏବଂ ୪ଇଞ୍ଚର ଆଣ୍ଠୁଆଗୋପାଳ ମୂର୍ତ୍ତି। ବଡ଼ କଥା ହେଉଛି, ଲୁଟେରା ମୂର୍ତ୍ତି ନେଇଯାଇଥିଲେ ହେଁ ରୂପା ଛତ୍ରି ଓ ଚନ୍ଦ୍ର ଓ ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ନେଇପାରି ନାହାନ୍ତି। ମନ୍ଦିର ପରିସର ଭିତରେ ମହାବୀର ମନ୍ଦିର ଓ ଜଗନ୍ନାଥ ମନ୍ଦିରରୁ ମଧ୍ୟ ଦେଢ଼କିଲ ଓଜନର ରୂପା ମୁକୁଟ ନେଇ ନାହାନ୍ତି। ଏଥିରୁ ଏହି ଗ୍ୟାଙ୍ଗ କେବଳ ଅଷ୍ଟଧାତୁ ମୂର୍ତ୍ତିକୁ ଟାନର୍କେଟ କରି ଲୁଟ କରୁଥିବା ପୁଲିସ ସନ୍ଦେହ କରୁଛି।

ପ୍ରାପ୍ତ ସୂଚନା ଅନୁସାରେ ଏବେ ଶିବଲାଭ ପଣ୍ଡାଙ୍କର ପୂଜାନୀତି ପାଳି ଚାଲିଛି। ଗତକାଲି ସଂଧ୍ୟା ଆଳତି କରି ଶିବଲାଭ ପହଡ଼ ପକାଇ ଘରକୁ ପଳାଇଥିଲେ। ଆଜି ଭୋର ୪ଟା ସମୟରେ ମନ୍ଦିର ପହଡ଼ ଖୋଲିବାକୁ ଆସି ଦେଖନ୍ତି ତାଲା ଭାଙ୍ଗି ଲୁଟପାଟ ହୋଇଛି। ଏ ସଂପର୍କର ଶିଭଲାଭ ଅନ୍ୟମାନଙ୍କୁ ଜଣାଇଥିଲେ। ମୁଖ୍ୟ ପୂଜକ ବିଶ୍ବନାଥ ପଣ୍ଡା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଐତିହାସିକ ତଥ୍ୟ ଅନୁସାରେ ଖ୍ରୀ ପୂ ୧୩ ଶହ ଶତାଦ୍ଦୀର ଉକ୍ତ ମନ୍ଦିର ପ୍ରତାପରୁଦ୍ର ଦେବଙ୍କ ରାଜତ୍ବ କାଳର ବୋଲି କୁହାଯାଉଛି। ୮ ଗୁଣ୍ଠ ପରିମିତ ବିଜେସ୍ଥଳୀରେ ଥିବା ଉକ୍ତ ମନ୍ଦିରର ଉଚ୍ଚତା ଓ ଚଉଡ଼ା ୪୫ ଫୁଟ। ପ୍ରତାପରୁଦ୍ର ଦେବଙ୍କ ନାମ ଅନୁସାରେ ଗ୍ରାମର ନାମ ପ୍ରତାପରୁଦ୍ରପୁର ଶାସନ ରହିଛି।

 

ସମ୍ବନ୍ଧିତ ଖବର