କେନ୍ଦୁଝର: ସ୍ଥାନୀୟ ଅଡିଟୋରିୟମ ଠାରେ ଆଜି ଡିଏମଏଫ୍ ଛାତ୍ରବୃତ୍ତି-୨୦୨୩ ଆବଣ୍ଟନ କରାଯାଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ବର୍ଗରେ ମୋଟ ୧୧ ହଜାର ୮୫୬ ଜଣ ଛାତ୍ରଛାତ୍ରୀଙ୍କୁ ୧୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଅତିଥି ଶ୍ରୀ ମାର୍ଣ୍ଡି କହିଥିଲେ ଯେ ଯେଉଁ ଦେଶର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ଼, ସେ ଦେଶ ସେତେ ଆଗକୁ ଯିବ ବୋଲି କହିଥିଲେ।

Advertisment

ଏହି ଅବସରରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ କେନ୍ଦୁଝର ଜିଲ୍ଲାର ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରବୃତ୍ତି ‘ଡିଏମ୍‌ଏଫ୍ ଅନନ୍ୟା’, ଜାତୀୟସ୍ତରର ଶିକ୍ଷାନୁଷ୍ଠାନରେ ନାମଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ‘ଡିଏମ୍‌ଏଫ୍ ଉତ୍କର୍ଷ’, ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚମାଧ୍ୟମିକ ଛାତ୍ରବୃତ୍ତି, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟଅତିଥିଙ୍କ ଉପସ୍ଥିତିରେ ମେଧାବୀ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଛାତ୍ରବୃତ୍ତି ରାଶି ପ୍ରଦାନ ଓ ଡିଏମ୍‌ଏଫ୍ ଛାତ୍ରବୃତ୍ତି ପାଇଁ ସ୍ୱତନ୍ତ୍ର ପୋର୍ଟାଲର ଶୁଭାରମ୍ଭ ହୋଇଥିଲା। ବ୍ଲକ୍‌ର ବିଭିନ୍ନ ସରକାରୀ ହାଇସ୍କୁଲରୁ ମାଟ୍ରିକ୍ ପରୀକ୍ଷାରେ ସଫଳତାର ସହ ପାସ୍‌ କରିଥିବା ୯୯୯୧ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୧୪.୪୭ କୋଟି ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ୧୩ଟି ବ୍ଲକ୍‌ର ଟପରମାନେ ମୁଖ୍ୟଅତିଥିଙ୍କଠାରୁ ନିଜର ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିବା ୩୮୯ଜଣ ମେଧାବୀଙ୍କୁ ୭୩.୮୫ ଲକ୍ଷ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଉଚ୍ଚମାଧ୍ୟମିକ ବର୍ଗରେ ୧୪୭୨ଜଣ ମେଧାବୀଙ୍କୁ ୩.୩୩ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି।

ଏହି ଅବସରରେ କେନ୍ଦୁଝର ଜିଲ୍ଲାରୁ ଓସିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରଣବ ରଞ୍ଜନ ସାହୁ, ଆଦିତ୍ୟ ମହାପାତ୍ର, ଅର୍ଚ୍ଚନା ବାରିକ, ଜ୍ୟୋତିପ୍ରକାଶ ସାହୁ, କ୍ଷେତ୍ରମୋହନ ଜଗଦୀଶ ଚନ୍ଦ୍ର ପେରେଇ, ଘନଶ୍ୟାମ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମାଝୀ, ନୀଳମଣି ଦେହୁରୀ ଓ ଉମାକାନ୍ତ ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ସଞ୍ଜୀବ ବାରିକ ଅତିଥି ପରିଚୟ ପ୍ରଦାନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ସ୍ୱାଗତ ଅଭିଭାଷଣ ଦେଇଥିଲେ। କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍‌ଡି ଧନରାଜ, ଏସ୍‌ପି ନୀତିନ କୁଶଲକର ଡାଗୁଡ଼, ପାଟଣା ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।