ରାୟଗଡ଼ାରେ ଫସିଲେ ଛତିଶଗଡ଼ର ୧୮ ତୀର୍ଥଯାତ୍ରୀ, ଓଡ଼ିଶା ସୀମାରେ ଛାଡ଼ିଦେଲା ଆନ୍ଧ୍ରପ୍ରଦେଶ ପୁଲିସ୍‌

ସ୍ୱାସ୍ଥ୍ୟ ପରୀକ୍ଷା କଲା ରାପିଡ୍‌ ରେସପନସ୍‌ ଟିମ୍‌

ରାୟଗଡ଼ା: ତୀର୍ଥଯାତ୍ରାରେ ଯାଇଥିଲେ ରାମେଶ୍ୱର, କନ୍ୟାକୁମାରୀ, ମଦୁରାଇ ଓ ତିରୁପତି। ୨୨ ତାରିଖ ଟ୍ରେନ୍‌ ଯୋଗେ ଫେରିଥାନ୍ତେ ନିଜ ଘରକୁ। କରୋନା ମୁକାବିଲା ଲାଗି ଭାରତ ଲକଡାଉନ୍‌ ଘୋଷଣା ପରେ ଟ୍ରେନ୍‌ ବାତିଲ୍‌ ଯୋଗୁ ଫସିଛନ୍ତି ଛତିଶଗଡ଼ର ୧୮ ତୀର୍ଥଯାତ୍ରୀ। ବହୁକଷ୍ଟରେ ଗତକାଲି ରାତିରେ ବେସରକାରୀ ବସ୍‌ ଯୋଗେ ଆନ୍ଧ୍ରର ପାର୍ବତୀପୁରମରେ ପହଞ୍ଚିବା ପରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଆଜି ଆନ୍ଧ୍ରପ୍ରଦେଶ ପୁଲିସ୍‌ ଓଡ଼ିଶା ସୀମାନ୍ତରେ ଛାଡ଼ି ଦେଇଛି। ସେଠାରୁ ଅଟୋ ଯୋଗେ ଆସି ରାୟଗଡ଼ାରେ ପହଞ୍ଚିବା ପରେ ତୀର୍ଥଯାତ୍ରୀଙ୍କୁ ପଚରା ଉଚରା କରୁଛି ରାପିଡ୍‌ ରେସପନସ୍‌ ଟିମ୍‌।

ଘରକୁ ଫେରିନପାରି ଓଡ଼ିଶାରେ ଫସିଥିବା ତୀର୍ଥଯାତ୍ରୀଙ୍କ ଘର ଛତିଶଗଡ଼ ମହାସମୁଦ ଜିଲ୍ଲାର ନନ୍ଦଗାଁରେ। ଗାଁର ୧୮ ତୀର୍ଥଯାତ୍ରୀ ମାର୍ଚ୍ଚ ୧୧ ତାରିଖରେ ଟ୍ରେନ୍‌ ଯୋଗେ ବାହାରି ୧୨ ତାରିଖରେ ରାମେଶ୍ୱରମରେ ପହଞ୍ଚିଥିଲେ। ସେଠାରୁ କନ୍ୟାକୁମାରୀ, ମଦୁରାଇ ବୁଲିବା ପରେ ୧୯ ତାରିଖରେ ତିରୁପତିରେ ପହଞ୍ଚିଥିଲେ। କିନ୍ତୁ କରୋନା ମୁକାବିଲା ଲାଗି ତିରୁପତି ମନ୍ଦିର ବନ୍ଦ ଥିବାରୁ ସମସ୍ତ ତୀର୍ଥଯାତ୍ରୀ ବାହାରେ ଲଣ୍ଡା ହୋଇଥିଲେ। ୨୨ ତାରିଖରେ ତିରୁପତିରୁ ଟ୍ରେନରେ ଫେରିବା ପାଇଁ ଟିକେଟ୍‌ ହୋଇଥିଲା। ହେଲେ ଟ୍ରେନ୍‌ ସେବା ବାତିଲ୍‌ ଯୋଗୁ ତୀର୍ଥଯାତ୍ରୀ ତିରୁପତିରେ ଫସି ରହିଥିଲେ। ସଂପୃକ୍ତ ପ୍ରଶାସନ ଏକ ବେସରକାରୀ ବସରେ ତୀର୍ଥଯାତ୍ରୀଙ୍କୁ ବିଶାଖାପାଟଣାରେ ପହଞ୍ଚାଇବା ପରେ ଅନ୍ୟ ଏକ ଗାଡ଼ିରେ ତୀର୍ଥଯାତ୍ରୀ ଗତକାଲି ରାତିରେ ପାର୍ବତୀପୁରମରେ ପହଞ୍ଚିଥିଲେ।

ଆଜି ସକାଳେ ଆନ୍ଧ୍ରପ୍ରଦେଶ ପୁଲିସ୍‌ ପାର୍ବତୀପୁରମ ଟାଉନରେ ତୀର୍ଥୀଯାତ୍ରୀଙ୍କୁ ଦେଖିବା ପରେ ୨ଟି ଅଟୋରୋ ଆଣି ଓଡ଼ିଶା ସୀମାନ୍ତ କୁନେରୁ ବୋର୍ଡରରେ ଛାଡ଼ି ଦେଇଥିଲା। ସେଠାରୁ ତୀର୍ଥୀଯାତ୍ରୀ ପୁଣି ଅଟୋ କରି ଆସିଥିଲେ। ଅଟୋ ଚାଳକ ତୀର୍ଥଯାତ୍ରୀଙ୍କୁ ରାୟଗଡ଼ା ସହର ସୀମାନ୍ତ ତଥା ମା’ ମଝିଘରିଆଣି ମନ୍ଦିର ନିକଟ ପୋଲ ପାଖରେ ଛାଡ଼ି ପଳାଇ ଯିବା ପରେ ଖବର ପାଇ ପୁଲିସ୍‌, ପ୍ରଶାସନ ତୀର୍ଥଯାତ୍ରୀଙ୍କ ନିକଟରେ ପହଞ୍ଚିଥିଲା।

ଟ୍ରେନ୍‌, ବସ୍‌ ଚଳାଚଳ ବନ୍ଦ ସାଙ୍ଗକୁ ସମସ୍ତ ହୋଟେଲ୍‌ ବଜାର ବନ୍ଦ ଥିବାରୁ ୩/୪ ଦିନ ହେଲା ଭୋକରେ ଆଉଟୁ ପାଉଟୁ ହୋଇ ତୀର୍ଥଯାତ୍ରୀ ଦିନ ବିତାଇଥିବା କହିଛନ୍ତି। ଟ୍ରେନ୍‌ ବାତିଲ୍‌ ପରେ ବସରେ ଆସିବା ଯୋଗୁ ସମସ୍ତ ଟଙ୍କା ସରି ଯାଇଥିବାରୁ ଅନ୍ୟ ଗାଡ଼ି କରି ନିଜ ଘରକୁ ଫେରିବାକୁ ସକ୍ଷମ ନଥିବା କହିଥିଲେ ତୀର୍ଥଯାତ୍ରୀ। ଗାଡ଼ିର ବ୍ୟବସ୍ଥା କରି ଛତିଶଗଡ଼ରେ ଛାଡ଼ି ଦେବାକୁ ତୀର୍ଥଯାତ୍ରୀ ପ୍ରଶାସନକୁ ନିବେଦନ କରିଥିଲେ।

ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶରେ ସଙ୍ଗେ ସଙ୍ଗେ ରାୟଗଡ଼ା ରାପିଡ୍‌ ରେସପନସ୍‌ ଟିମର ଡା. କଲ୍ଲୋଳ ଦାଶ ପହଞ୍ଚି ତୀର୍ଥଯାତ୍ରୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ତୀର୍ଥଯାତ୍ରା ସମୟରେ କେଉଁ କେଉଁ ଅଞ୍ଚଳ ବୁଲିଥିଲେ, କାହା ସଂସ୍ପର୍ଶରେ ଆସିଛନ୍ତି ସେ ସଂପର୍କିତ ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ପଚାରି ବୁଝିବା ସହ ସ୍ୱାସ୍ଥ୍ୟ ପରୀକ୍ଷାରେ କରୋନା ସଂପର୍କିତ କୌଣସି ଲକ୍ଷଣ ତୀର୍ଥଯାତ୍ରୀଙ୍କ ନକିଟରେ ନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଛତିଶଗଡ଼ ବୋର୍ଡରରେ ଛାଡ଼ିବାକୁ ଜିଲ୍ଲା ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳାଇ ଏକ ସ୍ୱତନ୍ତ୍ର ଗାଡ଼ି ଆୟୋଜନ କରିଛନ୍ତିଯ ଆସନ୍ତାକାଲି ସକାଳ ସୁଦ୍ଧା ତୀର୍ଥଯାତ୍ରୀଙ୍କୁ ଛତିଶଗଡ଼ରେ ପହଞ୍ଚାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା।

ସମ୍ବନ୍ଧିତ ଖବର