ନୂଆଦିଲ୍ଲୀ: କୌଣସି କାରଣରୁ ଯଦି ମଣିଷ କୋମାକୁ ଚାଲି ଯାଉଛି ତେବେ ସେ କେବେ ସୁସ୍ଥ ହେବ ତାହା ସଠିକ ଭାବେ କୁହାଯାଇ ପାରି ନଥାଏ। ନିକଟରେ ଜଣେ ବ୍ୟକ୍ତି ନିଜ ପସନ୍ଦର ଖାଦ୍ୟ ନାମ ଶୁଣି କୋମାଅବସ୍ଥାରୁ ଉଠି ପଡ଼ିଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ଉତ୍ତର-ପଶ୍ଚିମ ତାଇୱାନରେ ରହୁଥିବା ୧୮ବର୍ଷୀୟ ଚିୟୁ ନାମକ ଜଣେ ବାଳକ ସ୍କୁଟରରେ ଯାଉଥିବା ସମୟରେ ତାଙ୍କର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠରେ ତାଙ୍କର ଚିକିତ୍ସା କରିବା ପରେ ସେ କଥା କହିପାରୁ ନଥିବା ଡାକ୍ତର କହିଥିଲେ।
ଏହି ଦୁର୍ଘଟଣାରେ ତାଙ୍କ କିଡନୀ ଓ ଲିଭରରେ ମଧ୍ୟ ଆଘାତ ଲାଗିବା ସହିତ ଗୋଡ଼ ହାଡ଼ ଭାଙ୍ଗି ଯାଇଥିଲା। ଏଭଳି ଅବସ୍ଥା ଦେଖି ଚିୟୁଙ୍କ ଡାକ୍ତର ଯଥାଶୀଘ୍ର ଅସ୍ତ୍ରୋପଚାର କରାଇଥିଲେ। ଏହି ଅସ୍ତ୍ରୋପଚାର ସଫଳ ରହିଥିଲା ସିନା ଚିୟୁ କିନ୍ତୁ କୋମାକୁ ଚାଲି ଯାଇଥିଲେ। ଏହାପରେ ଡାକ୍ତର ତାଙ୍କୁ କେମିତି ସୁସ୍ଥ କରିବେ ସେଥିପାଇଁ ଚିକିତ୍ସା ଜାରି ରଖିଥିଲେ।
୬୨ଦିନ କେମାରେ ରହିବା ପରେ ଦିନେ ଚିୟୁଙ୍କ ଭାଇ କଥାକଥାରେ କହିଥିଲେ ଉଠି ପଡ଼ ଚିକେନ ଖାଇବା। ଆଶ୍ଚର୍ଯ୍ୟର କଥା ହେଉଛି ଯେମିତି ହିଁ ଭାଇ ମୁହଁରୁ ଚିୟୁ ଚିକେନ କଥା ଶୁଣିଥିଲେ ତାଙ୍କ ହାତଗୋଡ଼ ହଲିବାକୁ ଲାଗିଥିଲା। ଚିୟୁଙ୍କ ଏଭଳି ଅବସ୍ଥା ଦେଖି ଖୁସିରେ ଭାଇ ଦୌଡ଼ି ଯାଇ ଡାକ୍ତରଙ୍କୁ ଜଣାଥିଲେ। ଡାକ୍ତର ବାଳକଙ୍କ ପାଖକୁ ଆସି ତାଙ୍କ ଚିକିତ୍ସା କରି କହିଥିଲେ ଆଶ୍ଚର୍ଯ୍ୟ କଥା ଚିୟୁ ଏବେ ସମ୍ପୂର୍ଣ୍ଣ ସୁସ୍ଥ। ସେ ଏବେ ଘରକୁ ଯାଇ ପାରିବେ।